କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଶେଷ ହୋଇଥିବା ବେଳେ ଜନାଦେଶ କାହା ସପକ୍ଷରେ ଯିବ ତା ଉପରେ ସମସ୍ତଙ୍କ ନଜର । ମେ’୪ରେ ଭୋଟ ଗଣତି ହେବ ଏବଂ ଫଳ ପ୍ରକାଶ ପାଇବ । ହେଲେ ତା ପୂର୍ବରୁ ରାଜନୈତିକ ଦଳ ବଡ଼ ବଡ଼ ଦାବି କରୁଛନ୍ତି । ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଦାବି କରିଛନ୍ତି ଯେ, ଟିଏମସି ୨୦୦ରୁ ଅଧିକ ଆସନରେ ବିଜୟୀ ହେବ । ସୋମବାର ଭୋଟ ଗଣତି ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର (ମେ’ ୨) ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦଳର କାଉଣ୍ଟିଂ ଏଜେଣ୍ଟମାନଙ୍କୁ ଅନଲାଇନରେ ସମ୍ବୋଧିତ କରିଛନ୍ତି।

ପଶ୍ଚିମବଙ୍ଗ ନିର୍ବାଚନ ପରେ ଆସିଥିବା ଏକଜିଟ୍ ପୋଲକୁ ପ୍ରତ୍ୟାଖ୍ୟାନ କରିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତ, ଆମେ (TMC) ୨୦୦ରୁ ଅଧିକ ଆସନରେ ଜିତୁଛୁ । ଏକଜିଟ୍ ପୋଲ୍ କେବଳ ଶେୟାର ମାର୍କେଟକୁ ନିୟନ୍ତ୍ରଣ କରିବା ପାଇଁ ଏକ ପ୍ରୟାସ । ଏହା ପୂର୍ବରୁ ୨୦୨୧ ଏବଂ ୨୦୨୪ରେ ସେମାନେ ସମାନ କାମ କରିଥିଲେ ।

CAPF ସଂପର୍କରେ କ’ଣ କହିଲେ ମମତା ?

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିର୍ବାଚନ କମିଶନଙ୍କ ଦ୍ୱାରା ରାଜ୍ୟରେ ନିୟୋଜିତ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି ଯେ, କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ତୃଣମୂଳ କଂଗ୍ରେସ (TMC) କର୍ମୀଙ୍କ ବିରୋଧରେ ବର୍ବରତା ପ୍ରଦର୍ଶନ କରିଛି । ସେ ଆଶ୍ୱାସନା ଦେଇଛନ୍ତି ଯେ, ଆଗାମୀ ଦିନରେ, ତୃଣମୂଳ କଂଗ୍ରେସ ଦଳ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ବର୍ବରତାର ସମ୍ମୁଖୀନ ହୋଇଥିବା ସମସ୍ତଙ୍କୁ ପୁରସ୍କାର ଦେବ।

୨ଟି ଆସରେ ହୋଇଛି ରିପୋଲିଂ

ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଦୁଇଟି ବିଧାନସଭା ଆସନରେ ସାନି ମତଦାନ ହୋଇଛି। ଏହା ପୂର୍ବରୁ ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟିର ସହ-ପ୍ରଭାରୀ ଅମିତ ମାଲବ୍ୟ ଅଭିଯୋଗ କରିଥିଲେ ଯେ, ଡାଇମଣ୍ଡ ହାର୍ବରର ଫାଲଟାରେ ଅନେକ ମତଦାନ କେନ୍ଦ୍ରରେ ଭୋଟରମାନଙ୍କୁ ଦଳର ପ୍ରାର୍ଥୀ ବାଛିବାରୁ ବାରଣ କରାଯାଇଥିଲା।