ମାଲୁର: ଗଣେଶ ପୂଜାର କର୍ଣ୍ଣାଟକର ମାଲୁରରେ ଦେଖିବାକୁ ମିଳିଛି ଏକ ଭିନ୍ନ ଦୃଶ୍ୟ । ହିନ୍ଦୁ-ମୁସଲିମ ସଦ୍ଭାବନାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ମାଲୁର ତାଲୁକର ଜଣେ ମୁସଲିମ ସମ୍ପ୍ରଦାୟର ନେତା ଗଣେଶ ପୂଜା କମିଟିଗୁଡିକୁ ୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ମାଲୁରର ୱାଇଟ୍ ଗାର୍ଡେନସ୍ଥିତ ବିଜେପି କାର୍ଯ୍ୟାଳୟ ନିକଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେପି ସଂଖ୍ୟାଲଘୁ ନେତା ସୈୟଦ ଅଜଗର ଏବଂ ମଞ୍ଜୁନାଥ ଗୌଡ଼ାଙ୍କ ସମର୍ଥକମାନେ ତାଲୁକର ବିଭିନ୍ନ ପ୍ରାନ୍ତରେ ଗଣେଶ ମୂର୍ତ୍ତି ସ୍ଥାପନ କରୁଥିବା ଯୁବ ଗୋଷ୍ଠୀଗୁଡ଼ିକୁ ଏହି ଆର୍ଥିକ ସହାୟତା ବଣ୍ଟନ କରିଥିଲେ ।

ଆୟୋଜକମାନେ କହିଛନ୍ତି ଯେ ଏହି ଅର୍ଥରାଶିକୁ ଯୁବ ଗୋଷ୍ଠୀଗୁଡ଼ିକ ମଧ୍ୟରେ ବଣ୍ଟାଯିବ । ଏହାଦ୍ୱାରା ପ୍ରତ୍ୟେକ ଗୋଷ୍ଠୀକୁ ୧୦,୦୦୦ ଟଙ୍କା ଲେଖାଏଁ ମିଳିବ । ଏହି ସହାୟତା ଗ୍ରହଣ କରିବା ପାଇଁ ବିଜେପି କାର୍ଯ୍ୟାଳୟ ନିକଟରେ ବିପୁଳ ସଂଖ୍ୟାରେ ଯୁବକ ଏକାଠି ହୋଇଥିଲେ । ପୂର୍ବତନ ପୌର ପରିଷଦ ସଦସ୍ୟ ଏମ୍.ଏସ୍. ପ୍ରଦୀପ ରେଡ୍ଡୀ କହିଛନ୍ତି ଯେ ସାମ୍ପ୍ରଦାୟିକ ସଦ୍ଭାବନାକୁ ସୁଦୃଢ଼ କରିବା ସହ ଗଣେଶ ପୂଜା ଉତ୍ସବ ପାଳନକୁ ଏକ ଭିନ୍ନ ଉଚ୍ଚତା ଦେବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ।

କାର୍ଯ୍ୟକ୍ରମରେ ସୈୟଦ ଅଜଗର କହିଛନ୍ତି ଯେ ମାଲୁର ତାଲୁକର ବିଭିନ୍ନ ସମ୍ପ୍ରଦାୟର ଲୋକମାନେ ଭାଇଚାରାର ମନୋଭାବ ନେଇ ଏକାଠି ରହିଆସୁଛନ୍ତି । ଶାନ୍ତି, ସାମ୍ପ୍ରଦାୟିକ ସଦ୍ଭାବନା ଏବଂ ଭକ୍ତିର ସହ ଗଣେଶ ପୂଜା ପାଳନ କରିବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଥିଲେ । ବାଲ ଗଙ୍ଗାଧର ତିଲକଙ୍କ ସହ ଜଡ଼ିତ ସାର୍ବଜନୀନ ଗଣେଶ ପୂଜା ପରମ୍ପରାର ସ୍ମରଣ କରାଇ ଅଜଗର କହିଥିଲେ ଯେ ଲୋକଙ୍କୁ ଏକାଠି ଆଣିବାର ଏହି ଭାବନାକୁ ବଜାୟ ରଖିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ । ଏହି କାର୍ଯ୍ୟକ୍ରମରେ ଅନେକ ବିଜେପି ନେତା ଏବଂ ଯୁବକ ଉପସ୍ଥିତ ଥିଲେ।