ଭୁବନେଶ୍ୱର ୧୮/୧୨: ଧଉଳି ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ । ଧଉଳି ଗଣଦୁଷ୍କର୍ମ ମାମଲାର ଧରାପଡିଲା ମୁଖ୍ୟ ଅଭିଯୁକ୍ତ । ସତ୍ୟ ପ୍ରକାଶକୁ ଗିରଫ କଲା ପୋଲିସ । ହାପିକୁ ଗଞ୍ଜାମରୁ ଉଠାଇ ଆଣିଲା ସ୍ପେଶାଲ ସ୍କ୍ୱାର୍ଡ । ପୋଲିସ କମିଶନର ଏସ. ଦେବଦତ୍ତ ସିଂହଙ୍କ ସୂଚନା । 

ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ଧଉଳି ଗଣଦୁଷ୍କର୍ମ ଘଟଣା । ଘଟଣା ରେଡ ଫ୍ଲାଗ୍‌ ଅନ୍ତର୍ଭୁକ୍ତ ହେବା ପରେ ଧଉଳି ଥାନା ପୋଲିସ ସହ କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତକୁ ମନିଟରିଂ କରୁଛି । ଗଣଦୁଷ୍କର୍ମ ପରେ ୨ ଦିନ ଧରି ମୁଖ୍ୟ ଅଭିଯୁକ୍ତ ହାପି ଭୋଇ ବୁଲୁଥିଲା । ହେଲେ ପରେ ତାର ପତ୍ତା ମିଳିନଥିଲା । ତେବେ ମୁଖ୍ୟ ଅଭିଯୁକ୍ତ ଧରାପଡିଥିବା ବେଳେ ଅନ୍ୟ ୨ ସହଯୋଗୀ ବି ଫେରାର୍‌ ହୋଇଯାଇଛନ୍ତି ।

ପୋଲିସ ତଦନ୍ତ ବେଳେ ହାପିର ମୋବାଇଲ୍‌ ଫୋନ୍‌କୁ ଟ୍ରାକିଂ କରିବାରୁ ସଫଲତା ପାଇଛି । ଗଣବଳାତ୍କାର ଘଟଣା ପରେ ହାପି କେଉଁଆଡ଼େ ଫେରାର୍‌ ହୋଇନଥିଲା । ପୋଲିସ ଉକ୍ତ ଘଟଣାକୁ ହାଲୁକା ଭାବେ ନେଇଥିବା ଜାଣିବାରୁ ୨ ଦିନ ଧରି ଶିଶୁପାଳଗଡ଼ ଓ ଧଉଳି ଅଞ୍ଚଳରେ ଛାତି ଫୁଲାଇ ଘୁରି ବୁଲୁଥିଲା । ଘଟଣା ପରଦିନ ଅପରାହ୍ଣରେ ସେ ଧଉଳି ଥାନା ସାମ୍ନା ରାସ୍ତା ଦେଇ ଶାନ୍ତିସ୍ତୂପକୁ ଯାଇଥିଲା । ସେଠାରେ ପାର୍କିଂ ଘଟଣାକୁ କେନ୍ଦ୍ର କରି ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କୁ ମାର୍‌ପିଟ୍‌ କରିଥିଲା । ସ୍ଥାନୀୟ ଦୋକାନୀଙ୍କ ହସ୍ତକ୍ଷେପ ପରେ ସେ ଫେରିଯାଇଥିଲା ।

୧୨ ତାରିଖ ରାତିରେ ପୀଡ଼ିତା ଥାନାରେ ଅଭିଯୋଗ କରିଥିଲେ । ପରଦିନ ସକାଳେ ପୀଡି଼ତାର ମା’ ଥାନାକୁ ଆସି ଆଉ ଥରେ ଗଣବଳାତ୍କାର ଅଭିଯୋଗ କରିଥିଲେ । ନିଜ ଥାନା ଅଞ୍ଚଳରେ ଏତେ ବଡ଼ କାଣ୍ଡ ଘଟିଯାଇଥିଲେ ହେଁ ତତ୍‌କାଳୀନ ଥାନା ଅଧିକାରୀ ଚେତିନଥିଲେ । ହାପିକୁ ଧରିବାକୁ ଥରୁଟିଏ ବି ଚେଷ୍ଟା କରି ନଥିଲେ । ଗତ ୧୩ ତାରିଖ ବିଳମ୍ବିତ ରାତିରେ ପୋଲିସ ହାପିର ୨ଜଣ ସହଯୋଗୀ(ବାଙ୍କୀ ଅଞ୍ଚଳର ବିଭୁପ୍ରସାଦ ମିଶ୍ର ଓ କଟକ ଓଲଟପୁର ଅଞ୍ଚଳର କାଳନ୍ଦୀ ପାତ୍ର)ଙ୍କୁ କାବୁ କରିଥିଲା । ତେବେ ଆଜି ପୋଲିସକୁ ମିଳିଛି ସଫଳତା ।

​​​​​​​