ନୂଆଦିଲ୍ଲୀ: ଭାରତର ପରବର୍ତ୍ତୀ ଗୁଇନ୍ଦା ମୁଖ୍ୟ ଭାବେ ନିଯୁକ୍ତ ହୋଇଛନ୍ତି ମହେଶ ଦୀକ୍ଷିତ । ଆତଙ୍କବାଦ,  ନାଗା ବିଦ୍ରୋହ ଏବଂ ମାଓବାଦ ଦମନ କ୍ଷେତ୍ରରେ ଏକ ଜଣାଶୁଣା ବ୍ୟକ୍ତିତ୍ୱ। ତେବେ ତାଙ୍କ କ୍ୟାରିୟରରେ ଏମିତି ଅନେକ କଥା ଅଛି ଯାହା ତାଙ୍କୁ ଅନ୍ୟ ଅଫିସରମାନଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ସ୍ୱତନ୍ତ୍ର କରି ଗଢ଼ିତୋଳିଛି। ଆସନ୍ତା ଜୁଲାଇ ୧ ତାରିଖରେ ମହେଶ ଦୀକ୍ଷିତ ଆଇବି (IB) ର ସର୍ବୋଚ୍ଚ ପଦବୀ ଗ୍ରହଣ କରିବେ। ବର୍ତ୍ତମାନର ମୁଖ୍ୟ ତପନ ଡେକା ତାଙ୍କର ୪ ବର୍ଷର ସଫଳ କାର୍ଯ୍ୟକାଳ ପରେ ଅବସର ନେଉଛନ୍ତି। ତପନ ଡେକା ତୃତୀୟ ଥର ପାଇଁ କାର୍ଯ୍ୟକାଳ ବୃଦ୍ଧି କରିବାକୁ ମନା କରିବା ପରେ ମହେଶ ଦୀକ୍ଷିତଙ୍କ ପାଇଁ ଏହି ଶୀର୍ଷ ପଦବୀର ଦ୍ୱାର ଖୋଲିଛି। ଭାରତୀୟ ଗୁ ସଂସ୍ଥା ଇତିହାସରେ ମହେଶ ଦୀକ୍ଷିତ ସମ୍ଭବତଃ ପ୍ରଥମ ଡାକ୍ତର, ଯିଏ ଏହି ଦାୟିତ୍ୱ ତୁଲାଇବେ।

ଡାକ୍ତରୀ ପାଠରୁ ଗୁପ୍ତଚର ଦୁନିଆ
ମହେଶ ଦୀକ୍ଷିତ ଏବଂ ତାଙ୍କ ପତ୍ନୀ ରାଜଶ୍ରୀ, ଦୁହେଁ ପୁଣେରୁ ମେଡିସିନରେ ସ୍ନାତକୋତ୍ତର ହାସଲ କରିଛନ୍ତି। ଜଣେ ଡାକ୍ତର ଭାବରେ କ୍ୟାରିୟର ଗଢ଼ିବା ବଦଳରେ ସେ ଦେଶସେବାକୁ ପ୍ରାଥମିକତା ଦେଇଥିଲେ। ୟୁପିଏସସି (UPSC) ସିଭିଲ ସର୍ଭିସେସ୍ ପରୀକ୍ଷାରେ ସେ ସମଗ୍ର ଦେଶରେ ୩୫ ତମ ସ୍ଥାନ ହାସଲ କରିଥିଲେ। ଏତେ ଭଲ ର଼୍ୟାଙ୍କ ଥାଇ ମଧ୍ୟ ସେ ଅଧିକ ଚାହିଦା ଥିବା ଆଇଏଏସ କିମ୍ବା ଆଇଏଫଏସ  ବାଛିନଥିଲେ। ଏହା ବଦଳରେ ସେ ୧୯୯୩ ବ୍ୟାଚର ଆଇପିଏସ ଅଫିସର ଭାବରେ ଯୋଗ ଦେଇଥିଲେ। ପ୍ରଥମେ ସେ ଆନ୍ଧ୍ରପ୍ରଦେଶ କ୍ୟାଡରରେ ଥିଲେ ଏବଂ ରାଜ୍ୟ ବିଭାଜନ ପରେ ତେଲେଙ୍ଗାନା କ୍ୟାଡରକୁ ଆସିଥିଲେ।

ଆତଙ୍କବାଦ ଦମନର ମହାନାୟକ
ମହେଶ ଦୀକ୍ଷିତ ନିଜର ୩୩ ବର୍ଷର କାର୍ଯ୍ୟକାଳ ମଧ୍ୟରେ ଅଧିକାଂଶ ସମୟ ଫିଲ୍ଡରେ ହିଁ କାମ କରିଛନ୍ତି। ଆନ୍ଧ୍ରପ୍ରଦେଶରେ ଏସପି (SP) ଭାବରେ ସେ ମାଓବାଦୀଙ୍କ ବିରୋଧରେ ସଫଳ ଅଭିଯାନ ଚଳାଇଥିଲେ। ହାଇଦ୍ରାବାଦରେ ଯେତେବେଳେ ଇଣ୍ଡିଆନ ମୁଜାହିଦ୍ଦିନ ଏବଂ HUJI ଭଳି ଆନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ସକ୍ରିୟ ହେଉଥିଲେ, ସେତେବେଳେ ଦୀକ୍ଷିତ ରାଜ୍ୟ ପୋଲିସ ଓ ଆଇବି ସହ ମିଶି ତେଲେଙ୍ଗାନାରେ ଭାରତର ସବୁଠାରୁ ଶକ୍ତିଶାଳୀ କାଉଣ୍ଟର-ଟେରରିଜମ ୟୁନିଟ୍ ଗଠନ କରିଥିଲେ। ସେ କୋହିମା (ନାଗାଲାଣ୍ଡ) ଏବଂ ପାଟନା (ବିହାର) ଭଳି ସମ୍ବେଦନଶୀଳ ଅଞ୍ଚଳରେ ଏସଆଇବି ମୁଖ୍ୟ ଭାବରେ କାର୍ଯ୍ୟ କରିବା ସହ ରୁଷର ମସ୍କୋରେ ମଧ୍ୟ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଛନ୍ତି।

ଧାରା ୩୭୦ ଉଚ୍ଛେଦରେ ପ୍ରମୁଖ ଭୂମିକା
ମହେଶ ଦୀକ୍ଷିତଙ୍କର ସବୁଠାରୁ ବଡ଼ ଦକ୍ଷତା ହେଉଛି, ଜାମ୍ମୁ-କାଶ୍ମୀର ମାମଲା। ସେ ଦୀର୍ଘ ଏକ ଦଶନ୍ଧି ଧରି ଶ୍ରୀନଗର ଏବଂ ଆଇବି ମୁଖ୍ୟାଳୟରେ ରହି କାଶ୍ମୀର ପ୍ରସଙ୍ଗ ଉପରେ କାମ କରିଛନ୍ତି। ବର୍ତ୍ତମାନ ସେ ସ୍ପେଶାଲ ଡାଇରେକ୍ଟର ଭାବେ ଆଇବିର ‘କାଉଣ୍ଟର ଟେରରିଜମ’ଡେସ୍କର ମୁଖ୍ୟ ଅଛନ୍ତି। କାଶ୍ମୀରରୁ ଧାରା ୩୭୦ ଏବଂ ୩୫-ଏ ଉଚ୍ଛେଦ ସମୟରେ ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସହ ମହେଶ ଦୀକ୍ଷିତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ। ସେ ସେଠାକାର ରାଜନୈତିକ ସ୍ଥିତିକୁ ନିୟନ୍ତ୍ରଣରେ ରଖିବା ସହ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦର ମେରୁଦଣ୍ଡ ଭାଙ୍ଗିବାରେ ସହାୟକ ହୋଇଥିଲେ । ଏହା ବ୍ୟତୀତ ପହଲଗାମ ଗଣସଂହାରର ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିପାତ କରିବା ଏବଂ ଲଦାଖରେ ଚୀନ ସୀମା ଉପରେ ତୀକ୍ଷ୍ଣ ନଜର ରଖିବାରେ ମଧ୍ୟ ତାଙ୍କର ବଡ଼ ଅବଦାନ ରହିଛି। ଜଣେ ଦକ୍ଷ ରଣନୀତିକାର ଭାବେ ତାଙ୍କର ଏହି ବିଶାଳ ଅନୁଭବ ଆଗାମୀ ଦିନରେ ଭାରତର ଆଭ୍ୟନ୍ତରୀଣ ସୁରକ୍ଷାକୁ ଆହୁରି ମଜଭୁତ କରିବ ବୋଲି ଆଶା କରାଯାଉଛି।