ଭୁବନେଶ୍ବର ୧୬।୧: ମକର ସଂକ୍ରାନ୍ତି ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ମାମଲା ଥାନାରେ ପହଞ୍ଚିଲା । ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ କରିବା ଓ ଭୋକିଲା ରଖିବା ନେଇ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଏତଲା । କାର୍ଯ୍ୟରେ ଅବହେଳା ଯୋଗୁଁ ଉପାସରେ ରହିଲେ ଲିଙ୍ଗରାଜ ଓ ବନ୍ଦ ହେଲା ନୀତିକାନ୍ତି । କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ନାରାୟଣ ମହାନ୍ତିଙ୍କ ନାଁରେ ଲିଖିତ ଅଭିଯୋଗ କଲେ ଅମରେନ୍ଦ୍ର ଗରାବଡୁ ।

ସୂଚନାଯୋଗ୍ୟ ଯେ, ପବିତ୍ର ମକର ସଂକ୍ରାନ୍ତିରେ ଖାଡ଼ା ଉପାସ ରହିଲେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁ । ମଙ୍ଗଳବାର ସଞ୍ଜ ବେଶ ପରଠାରୁ ଏଭଳି ଅଚଳାବସ୍ଥା ଦେଖାଦେଇଥିଲା । ନୀତି ବନ୍ଦ କରି ସେବାୟତ ଅଡ଼ି ରହିଲେ । ମକର ସଂକ୍ରାନ୍ତିରେ ଲାଗିହେବାକୁ ଥିବା ଘୃତ କମ୍ବଳ ନୀତିରେ ବିବାଦ ଯୋଗୁଁ ଠାକୁରଙ୍କ ପୂଜାର୍ଚ୍ଚନା ବନ୍ଦ କରିଦେଇଥିଲେ । ମକର ସଂକ୍ରାନ୍ତି ପୂର୍ବ ଦିନ ନବାଙ୍କ ବେଢ଼ା ନୀତିରେ କ୍ଷୀର କିଏ ଆଉଟିବେ ତାକୁ ନେଇ ବିବାଦ ଉପୁଜିଥିଲା । ଗୋଟିଏ ପଟେ ବଢୁ ନିଯୋଗ କହୁଥିଲେ କ୍ଷୀର ଆଉଟିବା ତାଙ୍କ ସେବା ତ ଅନ୍ୟପଟେ ବ୍ରାହ୍ମଣ ନିଯୋଗଏହାକୁ ବିରୋଧ କରୁଥିଲେ ।

ଏହି ବିବାଦ ଗତବର୍ଷରୁ ଚାଲୁଛି । ଗତବର୍ଷ ଦିଅଁଙ୍କ ନୀତି ୩ ଦିନ ବନ୍ଦ ରହିଥିଲା ।  ୧୦ ମାସ ବିତିଯିବା ପରେ ଡିସେମ୍ବର ୨୦୨୫ରେ ସୁଆର ମାନେ ଏହି ସେବା କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ବଢୁ ନିଯୋଗ ବିରୋଧ କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ତେବେ ନୀତି କିଏ କରିବ ଏହି ପ୍ରସଙ୍ଗରେ ରହିତାଦେଶ ଜାରି ହୋଇଛି ଯାହାକି ଫେବୃଆରୀ ୨୬ ପର୍ଯ୍ୟନ୍ତ ବଳବତ୍ତର ରହିଛି ।  ପ୍ରଶାସନ ବା ଦେବୋତ୍ତର କମିଶନ ଏ ଦିଗରେ ହସ୍ତକ୍ଷେପ ନ କରିବାରୁ ଏଥର ମଧ୍ୟ ସମାନ ବିବାଦ ଦେଖାଦେଲା ବୋଲି ସେବାୟତ ମାନେ କହିଛନ୍ତି । କାହିଁକି ଏମିତି ବାରମ୍ବାର ଘଟୁଛି । ସେବାୟତ ସେବା ବନ୍ଦ କରୁଛନ୍ତି ଆଉ ଉପାସ ରହୁଛନ୍ତି ଲିଙ୍ଗରାଜ ।