ଭୁବନେଶ୍ୱର: ସାଳନ୍ଦୀ, ବୈତରଣୀ ଓ ଜଳକା ପରେ ଏବେ ମହାନଦୀରେ ଆସିବାକୁ ଯାଉଛି ମଧ୍ୟମ ଧରଣର ବନ୍ୟା। ମୁଣ୍ଡଳୀ ନିକଟରେ ୮ ଲକ୍ଷ ୨୮ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ମହାନଦୀର ବିଭିନ୍ନ ଶାଖା ନଦୀରେ ବନ୍ୟାଜଳ ପ୍ରବେଶ କରିବା ଆରମ୍ଭ ହୋଇଛି। ଏହାର ପ୍ରଭାବରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ କଟକର ବାଙ୍କୀ ଅଞ୍ଚଳ ପ୍ରଭାବିତ ହେବାର ଆଶଙ୍କା ଦେଖାଦେଇଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ବେଳେ ଅଭିଜ୍ଞ ଅଧିକାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।

ବନ୍ୟା ସ୍ଥିତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ। ସେ କହିଛନ୍ତି ଯେ-ଆମର ଫୋକସ ମହାନଦୀ ଉପରେ। ହୀରାକୁଦରେ ୨ଟି ଗେଟ ଖୋଲିଛି। ୬୨୦ ଫୁଟ୍ ଜଳ ସ୍ତର ରହିଛି। ସେହିପରି ୮ ଲକ୍ଷ ୨୮ ହଜାର କ୍ୟୁସେକ୍ ଜଳ ମୁଣ୍ଡଳୀରେ ପ୍ରବାହିତ ହେଉଛି। ସାଳନ୍ଦୀ, ବୈତରଣୀ ଓ ଜଳକା ବନ୍ୟା ପରେ ମହାନଦୀରେ ବନ୍ୟା ଆସିବାକୁ ଯାଉଛି। ଏଥିପାଇଁ ଆମେ ପ୍ରସ୍ତୁତ। ମହାନଦୀର ଶାଖା ନଦୀରେ ବନ୍ୟା ଆସିବ।

ପୁରୀ, ଜଗତ୍ସିଂହପୁରର, କେନ୍ଦ୍ରାପଡା ପ୍ରଭାବିତ ହେବ। ଅଭିଜ୍ଞତା ଥିବା ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଛି। ଜଳବନ୍ଦୀ ସମସ୍ୟା ଆସିବ। ୨୪ ଘଣ୍ଟା ପାଇଁ ବନ୍ୟା ପରିସ୍ଥିତି ରହିବ। ହୀରାକୁଦ ଜଳସ୍ତର ବଢୁଛି। ତଳେ ବନ୍ୟା ଥିବାରୁ ଗେଟ ଖୋଲାଯାଇ ନାହିଁ। କିନ୍ତୁ ଆଉ ଦୁଇ ଫୁଟ୍ ଅର୍ଥାତ୍ ୬୨୨ ଫୁଟ୍ ଜଳସ୍ତର ଆମେ ରଖିପାରିବୁ। ଏହାପରେ ଖଇରମାଳ ପାଣି କମିବା ପରେ ଆମେ ହୀରାକୁଦ ଗେଟ ଖୋଲିବୁ।

ସେହିପରି ପୁରୀର କଣାସ, ଡେଲାଙ୍ଗ, ବ୍ରହ୍ମଗିରି, ନିମାପଡ଼ା, ଅସ୍ତରଙ୍ଗ, ଗୋପ ଅଞ୍ଚଳ ପ୍ରଭାବିତ ହେବ। ଜଗତସିଂହପୁରର, କୁଜଙ୍ଗ, ତିର୍ତ୍ତୋଲ, ବାଲିକୁଦା, ଏରସମା ଅଞ୍ଚଳ କେନ୍ଦ୍ରାପଡାର ଗରଦପୁର, ଆଳି ବନ୍ୟା ଦ୍ଵାରା ପ୍ରଭାବିତ ହେବ। ବାଙ୍କୀ ବି ପ୍ରଭାବିତ ହେବ। ପୂର୍ଣ୍ଣିମା ପର ଦିନ ଥିବାରୁ ସମୁଦ୍ର ଜଳ ଟାଣିବାରେ ବିଳମ୍ବ ହେଉଛି। ପାଣି ନିଷ୍କାସନ ପାଇଁ ଦିନେ ଦୁଇ ଦିନ ଲାଗିବ।