ଇନ୍ଦୋର: ମଧ୍ୟପ୍ରଦେଶର ଛିନ୍ଦୱାଡ଼ାରେ ଜଣେ ବିବାହିତା ମହିଳା ସନ୍ଦିଗ୍ଧ ପରିସ୍ଥିତିରେ ଆତ୍ମହତ୍ୟା କରିଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ୩୨ ବର୍ଷୀୟ ମହିଳାଜଣକ ମୃତ୍ୟୁ ପୂର୍ବରୁ ନିଜ ଶରୀରରେ ମେହେନ୍ଦିରେ ପୂରା ତାଙ୍କ ସହ ଘଟିଥିବା ସବୁ କଥା ଲେଖିଯାଇଛନ୍ତି ।

ଚୌରଇ ଥାନା ଅନ୍ତର୍ଗତ ଖୁର୍ଦ ଗାଁରେ ପ୍ରୀତି ବର୍ମା ନାମକ ମହିଳା ଘରେ ଥିବା ବିଷ ଔଷଧ ଖାଇଥିଲେ । ଦେହ ଖରାପ ହେବା ପରେ ପରିବାର ଲୋକ ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଡାକ୍ତର ସେଠାରେ ତାଙ୍କ ଜୀବନ ରକ୍ଷା କରିବା ପାଇଁ ସବୁ ସମ୍ଭବ ଉଦ୍ୟମ କରିଥିଲେ । କିନ୍ତୁ ସେ ଜୀବନ ଯୁଦ୍ଧରେ ହାରିଗଲେ ।

ଚିକିତ୍ସା ସମୟରେ ଡାକ୍ତର ଏବଂ ସେଠାରେ ଥିବା ଲୋରଙ୍କ ନଜର ପ୍ରୀତିଙ୍କ ହାତ ଏବଂ ଗୋଡ଼ ଉପରେ ପଡ଼ିଥିଲା । ହାତ ଏବଂ ଗୋଡ଼ ସାରା ମେହେନ୍ଦିରେ କିଛି ଲେଖା ଯାଇଥିଲା । ନିରିଖି ଦେଖିବା ପରେ ଯାହା ଜଣାପଡ଼ିଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଏହା କୌଣସି ମେହେନ୍ଦିର ଡିଜାଇନ୍ ଥିଲା, ବରଂ ପ୍ରୀତି ତାଙ୍କ ଉପରେ ହୋଇଥିବା ଆତ୍ୟାଚାରକୁ ନିଜ ଶରୀରରେ ଲେଖିଥିଲେ । ଏହା ଦେଖି ଉପସ୍ଥିତି ଲୋକଙ୍କ ଲୋକଙ୍କ ମଧ୍ୟରେ ଶିହରଣ ସୃଷ୍ଟି ହୋଇଥିଲା ।

ମୃତକଙ୍କ ମାଆ ରାଜକୁମାରୀ ଜଙ୍ଘେଲା କହିଛନ୍ତି, ପ୍ରୀତିଙ୍କ ସାନ ଝିଅ ତାଙ୍କୁ ତାଙ୍କ ଝିଅର ମୃତ୍ୟୁ ବିଷୟରେ ଜଣାଇଥିଲେ । ଯେତେବେଳେ ସେ ହସ୍ପିଟାଲରେ ପହଞ୍ଚିଥିଲେ, ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇଯାଇଥିଲା । ତାଙ୍କ ମାଆଙ୍କ ଅନୁଯାୟୀ, ମୃତ୍ୟୁ ପୂର୍ବରୁ ପ୍ରୀତି ତାଙ୍କ ଶ୍ୱଶୁର ଘରେ ହୋଇଥିବା ନିର୍ଯାତନା ବିଷୟରେ ଜଣାଇଥିଲେ । ତାଙ୍କୁ ଇଟା ଏବଂ ପଥରରେ ପିଟିଥିଲେ ଏବଂ ତାଙ୍କ ସ୍ୱାମୀ ରଡରେ ମାଡ଼ ମାରିଥିଲେ । ଯାହାର ଚିହ୍ନ ତାଙ୍କ ପିଠିରେ ସ୍ପଷ୍ଟ ଭାବରେ ଦେଖାଯାଉଥିଲା । ପରିବାର ଅଭିଯୋଗ କରିଛନ୍ତି ଯେ ତାଙ୍କୁ ବଳପୂର୍ବକ ବିଷ ଔଷଧ ପିଇବାକୁ ବାଧ୍ୟ କରାଯାଇଥିଲା ।

ରାଜକୁମାରୀଙ୍କ ଅନୁସାରେ, ତାଙ୍କ ଜ୍ୱାଇଁ ଜଣେ ମଦୁଆ । ସବୁବେଳେ ସକାଳୁ ସକାଳୁ ପ୍ରୀତିଙ୍କୁ ଟଙ୍କା ପାଇଁ ମାରପିଟ୍ କରୁଥିଲା । ସେମାନଙ୍କ ୧୩ ବର୍ଷର ବୈବାହିକ ଜୀବନ ମଧ୍ୟରେ ଏହା ଆହୁରି ବଢ଼ିବାରେ ଲାଗିଲା । ପ୍ରୀତି ବିରକ୍ତ ହୋଇ ବର୍ଷେ ପୂର୍ବେ ବାନ୍ଦୋଲରେ ତାଙ୍କ ବାପାମାଆଙ୍କ ଘରକୁ ଚାଲିଯାଇଥିଲେ । ପ୍ରାୟ ଦୁଇ-ତିନି ସପ୍ତାହ ପୂର୍ବେ, ତାଙ୍କ ସ୍ୱାମୀ ତାଙ୍କୁ ଫେରାଇ ଆଣିଥିଲେ । ପ୍ରତିଶ୍ରୁତି ଦେଇଥିଲେ ଯେ ସେ ଏକ ନୂଆ ଘର ତିଆରି କରିଛନ୍ତି ଏବଂ ସବୁକିଛି ଠିକ୍ ହୋଇଯିବ । କିନ୍ତୁ କିଛି ଦିନ ମଧ୍ୟରେ ପୁଣି ଥରେ ସମାନ ହଇରାଣ ଆରମ୍ଭ ହୋଇଥିଲା ।

ପୋଷ୍ଟମର୍ଟମ ପରୀକ୍ଷା ଶେଷ ହୋଇଛି ଏବଂ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ମୃତକଙ୍କ ପରିବାର ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।