ଭୋପାଳ: ହାଇକୋର୍ଟ ଜଣେ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀର ଆଜୀବନ କାରାଦଣ୍ଡକୁ ହ୍ରାସ କରି ମାତ୍ର ୭ ବର୍ଷ କରିଛନ୍ତି। ଅଦାଲତଙ୍କ ମତରେ, ପତ୍ନୀଙ୍କ ଦ୍ୱାରା ଦିଆଯାଇଥିବା ଏକ ବିବାଦୀୟ ବୟାନ ଯୋଗୁଁ ସ୍ୱାମୀ ହଠାତ୍ ଉତ୍ତେଜିତ ହୋଇ ଏହି କାଣ୍ଡ ଭିଆଇଥିଲା, ଏହା କୌଣସି ପୂର୍ବ ଯୋଜନାବଦ୍ଧ ହତ୍ୟାକାଣ୍ଡ ନଥିଲା। ଅଭିଯୁକ୍ତ ସ୍ୱାମୀ ନିଜର ଗର୍ଭବତୀ ପତ୍ନୀଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା । ଏହି ମାମଲାରେ ନିମ୍ନ ଅଦାଲତ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଏହି ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଅଭିଯୁକ୍ତ ସ୍ୱାମୀ ମଧ୍ୟପ୍ରଦେଶ ହାଇକୋର୍ଟରେ ଅପିଲ୍ କରିଥିଲା।

ସୂଚନା ଅନୁସାରେ, ଛିନ୍ଦୱାଡ଼ାର ଚୌରାଇ ବ୍ଲକର ବାସିନ୍ଦା ଶିବ କହର ତାଙ୍କ ସ୍ତ୍ରୀ କିରଣଙ୍କୁ ସେପ୍ଟେମ୍ବର ୧୮, ୨୦୨୧ରେ ହତ୍ୟା କରିଥିଲା । ସେହି ସମୟରେ ମହିଳା ଜଣକ ସାତ ମାସର ଗର୍ଭବତୀ ଥିଲେ। ତେବେ ହତ୍ୟାକାଣ୍ଡ ପୂର୍ବରୁ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ସେହି ସମୟରେ ପତ୍ନୀ,  ସ୍ୱାମୀଙ୍କୁ ଆକ୍ଷେପ କରି କହିଥିଲେ ଯେ, ‘ମୁଁ ହଜାରେ ସ୍ୱାମୀ ରଖିପାରିବି’। ସେପଟେ ପତ୍ନୀଙ୍କୁ ପଥରରେ ଛେଚି ହତ୍ୟା କରିବା ପରେ, ଶିବ କହର ଏନେଇ ନିଜ ଶ୍ବଶୂର ଏବଂ ସ୍ଥାନୀୟ ଥାନାକୁ ଫୋନ୍‌ କରି ଜଣାଇଥିଲା । 

ଜୁନ ୧୮ରେ ମଧ୍ୟପ୍ରଦେଶ ହାଇକୋର୍ଟ ମାମଲାର ସମସ୍ତ ଦିଗକୁ ଅନୁଧ୍ୟାନ କରି ପତ୍ନୀହନ୍ତା ସ୍ୱାମୀର ସଜା ହ୍ରାସ କରିଛନ୍ତି। କୋର୍ଟ ନିଜ ରାୟରେ କହିଛନ୍ତ, ପତ୍ନୀଙ୍କର ଏହି କଥା ଜଣେ ସ୍ୱାମୀର ଗରିମା ଓ ସ୍ୱାଭିମାନ ଉପରେ ଗଭୀର ଆଘାତ ଆଣିଥିଲା। ପାରମ୍ପରିକ ଭାରତୀୟ ସମାଜରେ ଏଭଳି ଶବ୍ଦ ଜଣେ ପୁରୁଷକୁ ମାନସିକ ସ୍ତରରେ ଗୁରୁତର ଭାବରେ ବିଚଳିତ କରିବା ପାଇଁ ଯଥେଷ୍ଟ।

ଏହି ହତ୍ୟାକାଣ୍ଡ ପଛରେ କୌଣସି ପୂର୍ବ ପ୍ରସ୍ତୁତି କିମ୍ବା ସୁଚିନ୍ତିତ ଷଡ଼ଯନ୍ତ୍ର ନଥିଲା। ପତ୍ନୀଙ୍କର ସେହି କଥାରେ ହଠାତ୍ ରାଗିଯାଇ ଏବଂ ନିଜ ଉପରୁ ନିୟନ୍ତ୍ରଣ ହରାଇ ସ୍ୱାମୀ ଏହି ଘାତକ ଆକ୍ରମଣ କରିଥିଲା।  କୋର୍ଟ ଏହି ମାମଲାକୁ 'ହତ୍ୟା' ଶ୍ରେଣୀରୁ ହଟାଇ ଦେଇଥିଲେ । ପୂର୍ବରୁ ମିଳିଥିବା ଆଜୀବନ କାରାଦଣ୍ଡର ସଜାକୁ ରଦ୍ଦ କରି ହାଇକୋର୍ଟ ଅଭିଯୁକ୍ତ ସ୍ୱାମୀର ଜେଲ୍ ସଜାକୁ ମାତ୍ର ୭ ବର୍ଷକୁ କମାଇ ଦେଇଛନ୍ତି। କୋର୍ଟ ଦର୍ଶାଇଛନ୍ତି ଯେ, ଅପରାଧ ନିଶ୍ଚିତ ଭାବରେ ଗୁରୁତର, କିନ୍ତୁ ପରିସ୍ଥିତିକୁ ବିଚାରକୁ ନେଇ ସଜା ହ୍ରାସ କରାଯିବା ନ୍ୟାୟସଙ୍ଗତ।