ଲକ୍ଷ୍ନୌ: କୋଲକାତା ନାଇଟ୍ ରାଇଡର୍ସ (KKR) ଶେଷ ଓଭରରେ ବଡ଼ ସ୍କୋର କରିଛି । ରିଙ୍କୁ ସିଂ ଲଗାତାର ବାଉଣ୍ଡାରୀ ମାରିବା ପରେ ଦଳ ୧୫୫ ରନ୍ କରିପାରିଛି । ଏଲଏସ୍ଜି ବିପକ୍ଷରେ ୭ ଓ୍ବିକେଟ ହରାଇ ଏହି ସ୍କୋର କରିଛି କେକେଆର । ଆଜିର ମ୍ୟାଚ୍ରେ ରିଙ୍କୁ ସିଂ ହିଁ ଭଲ ପ୍ରଦର୍ଶନ କରିଛନ୍ତି । ୫୧ ବଲରେ ୫ ଛକା ଏବଂ ୭ ଚୌକା ସହ ୮୩ ରନ୍ କରି ଅପରାଜିତ ଅଛନ୍ତି ।

IPL 2026ର ୩୮ତମ ମ୍ୟାଚ୍ ଏକାନା ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ (KKR) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଲକ୍ଷ୍ନୌ ବିଜୟ ପଥକୁ ଫେରିବାକୁ ଚେଷ୍ଟା କରିବ। ଲକ୍ଷ୍ନୌ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ସେପଟେ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା କେକେଆର ଆରମ୍ଭରୁ ବିପର୍ଯ୍ୟୟ ଭୋଗିଥିଲା । ଶେଷରେ ରିଙ୍କୁ ସିଂ ଦଳକୁ ସମ୍ମାନଜନକ ସ୍କୋର କରିବାରେ ସାହାଯ୍ୟ କରିଥିଲେ ।

ଅଧିନାୟକ ଅଜିଙ୍କ୍ୟ ରାହାଣେ ୧୫ ବଲ୍ ଖେଳି ମାତ୍ର ୧୦ ରନ କରି ଆଉଟ୍ ହୋଇଥିଲେ । ଟିମ୍ ସାଇଫର୍ଟ (୦), ଅଙ୍ଗକ୍ରିଷ ରଘୁବଂଶୀ (୯), କ୍ୟାମେରନ୍ ଗ୍ରୀନ (୩୪), ରୋଭମାନ ପାଓ୍ବେଲ (୧), ଅନୁକୂଳ ରୟ (୦) ଏବଂ ରମଣଦୀପ ସିଂହ(୬) ଜଳଦି ଆଉଟ ହୋଇଯାଇଥିଲେ । ହେଲେ ରିଙ୍କୁ ସିଂ କ୍ରିଜରେ ଜମି ଯାଇଥିଲେ ଏବଂ ଅପରାଜିତ ୮୩ ରନ କରିଥିଲେ ।

ଲକ୍ଷ୍ନୌ ପକ୍ଷରୁ ମୋହସିନ ଖାନ ସର୍ବାଧିକ ୫ଟି ଓ୍ବିକେଟ ନେଇଥିଲେ । ଏହା ସହ ଜର୍ଜ ଲିଣ୍ଡେ ଗୋଟିଏ ଓ୍ବିକେଟ ନେଇଥିବା ବେଳେ ଅନ୍ୟ ବୋଲର ଓ୍ବିକେଟ ପାଇନଥିଲେ । ଆଜି ଦିଗବେଶ ସିଂହ ରାଠୀ ୪ ଓଭରରେ ୪୬ ରନ ଦେଇ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ।