ନୂଆଦିଲ୍ଲୀ: ଦେଶର ଏଲପିଜି ଗ୍ରାହକଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର। ଗ୍ୟାସ୍ ସିଲିଣ୍ଡର ପୁନଃ ବୁକିଂ ପାଇଁ ଆଉ ୪୫ ଦିନ ଦୀର୍ଘ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଏବେ ଗ୍ରାହକମାନେ ମାତ୍ର ୨୫ ଦିନ ମଧ୍ୟରେ ଦ୍ୱିତୀୟ ସିଲିଣ୍ଡର ବୁକ୍ କରିପାରିବେ। କେନ୍ଦ୍ର ସରକାର ଏହି ପୁରୁଣା କଟକଣାକୁ କୋହଳ କରି ନୂଆ ନିୟମ ଲାଗୁ କରିଛନ୍ତି। ପୂର୍ବରୁ ୪୫ ଦିନ ପରେ ଗ୍ୟାସ୍ ବୁକ୍ କରିବାର ନିୟମ ଗ୍ରାମାଞ୍ଚଳ ପାଇଁ ଲାଗୁ ହୋଇଥିଲା।

ସୋମବାରରୁ ଲାଗୁ ହେଲା ନୂଆ ନିୟମ

କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏହି ନିଷ୍ପତ୍ତି ସୋମବାର ଠାରୁ ସାରା ଦେଶରେ ଲାଗୁ ହୋଇଛି। ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଉଭୟ କ୍ଷେତ୍ରର ଉପଭୋକ୍ତାଙ୍କ ପାଇଁ ଏହି ସମୟସୀମାକୁ ୨୫ ଦିନକୁ ହ୍ରାସ କରାଯାଇଛି। ଫଳରେ ଯେଉଁ ପରିବାରଗୁଡ଼ିକରେ ଗ୍ୟାସ୍ ବ୍ୟବହାର ଅଧିକ ରହିଛି, ସେମାନଙ୍କୁ ଆଉ ଇନ୍ଧନ ସଙ୍କଟର ସାମ୍ନା କରିବାକୁ ପଡ଼ିବ ନାହିଁ।

Also Read: ସାରା ବିଶ୍ୱରେ ମହଙ୍ଗା ମାଡ଼, ୨୦୨୨ ପରେ ସର୍ବୋଚ୍ଚ ସ୍ତରରେ ପହଞ୍ଚିଲା ଫୁଡ୍ ପ୍ରାଇସ୍ ଇଣ୍ଡେକ୍ସ

କେନ୍ଦ୍ରମନ୍ତ୍ରୀ ସୁରେଶ ଗୋପୀଙ୍କ ସୂଚନା

କେନ୍ଦ୍ର ପେଟ୍ରୋଲିୟମ୍, ପ୍ରାକୃତିକ ଗ୍ୟାସ୍ ଓ ପର୍ଯ୍ୟଟନ ପ୍ରତିମନ୍ତ୍ରୀ ସୁରେଶ ଗୋପୀ ଏକ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସମସ୍ତ ତୈଳ ବିପଣନ କମ୍ପାନୀ (OMCs) ଗୁଡ଼ିକୁ ଏହି ନୂଆ ନିୟମକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମଧ୍ୟପ୍ରାଚ୍ୟରେ ଉପୁଜିଥିବା ସଙ୍କଟ ଏବଂ ଜର୍ମୁଜ ଷ୍ଟ୍ରେଟ୍ ବାଧାପ୍ରାପ୍ତ ହେବା ଯୋଗୁଁ ଗ୍ୟାସ୍ ଯୋଗାଣରେ କିଛି ସମସ୍ୟା ଦେଖାଦେଇଥିଲା। ଏହି ସ୍ଥିତିକୁ ଦୃଷ୍ଟିରେ ରଖି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ କମାଇବା ପାଇଁ ପୂର୍ବରୁ ଗ୍ରାମାଞ୍ଚଳରେ ୪୫ ଦିନ ଓ ସହରାଞ୍ଚଳରେ ୨୫ ଦିନର ବୁକିଂ ବ୍ୟବଧାନ ରଖାଯାଇଥିଲା।

ଗ୍ରାହକଙ୍କୁ ମିଳିବ ବଡ଼ ସୁବିଧା

ପୂର୍ବରୁ ୪୫ ଦିନିଆ ନିୟମ ଯୋଗୁଁ ଅନେକ ସାଧାରଣ ପରିବାର ଗ୍ୟାସ୍ ସରିଯିବା ପରେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଥିଲେ। ବିଶେଷକରି ବଡ଼ ପରିବାରଗୁଡ଼ିକ ପାଇଁ ଗୋଟିଏ ସିଲିଣ୍ଡରରେ ୪୫ ଦିନ ଚଳାଇବା କଷ୍ଟକର ହୋଇପଡ଼ୁଥିଲା। ଏବେ ସରକାରଙ୍କ ଏହି ସଂଶୋଧିତ ନିଷ୍ପତ୍ତି ଫଳରେ ସାରା ଦେଶର କୋଟି କୋଟି ଏଲପିଜି ଗ୍ରାହକ ସିଧାସଳଖ ଉପକୃତ ହେବେ।