ନୂଆଦିଲ୍ଲୀ: ସାରା ଦେଶରେ ଘରୋଇ ଏଲପିଜି ଉପଭୋକ୍ତାଙ୍କ ପାଇଁ ଅକ୍ଟୋବର ୧ ତାରିଖରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। କେନ୍ଦ୍ର ସରକାରଙ୍କ ନୂଆ ନିୟମ ଅନୁସାରେ ଏଲପିଜି ସିଲିଣ୍ଡର ଉପରେ ମିଳୁଥିବା ସରକାରୀ ସବସିଡି ଲାଭ ପାଇବା ପାଇଁ ବାୟୋମେଟ୍ରିକ ଅଥେଣ୍ଟିକେସନ (ବିଏଏ) ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି ଗ୍ରାହକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ପ୍ରକ୍ରିୟା ପୁରା ନ କରିଛନ୍ତି ତେବେ ତାଙ୍କ ଗ୍ୟାସ୍ ସିଲିଣ୍ଡର ବୁକିଂ ଓ ଯୋଗାଣ ବନ୍ଦ ନ ହେଲେ ମଧ୍ୟ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସବସିଡିର ଲାଭ ବନ୍ଦ ହୋଇଯିବ। ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ବଜାର ଦରରେ ଏଲପିଜି ସିଲିଣ୍ଡର କିଣିବାକୁ ପଡିବ।

ଯଦି ଆପଣ ୧ ଅକ୍ଟୋବର ପୂର୍ବରୁ ନିଜର ବାୟୋମେଟ୍ରିକ ସତ୍ୟାପନ କରି ନାହାନ୍ତି ତେବେ ଆପଣଙ୍କୁ ସିଲିଣ୍ଡର ପିଛା ମିଳୁଥିବା ୨୧୦ ଟଙ୍କାର ଅପ୍ରତ୍ୟକ୍ଷ ସବସିଡି ସମାପ୍ତ ହୋଇଯିବ। ସବସିଡି ଅଟକିବା ପରେ ମଧ୍ୟ ଆପଣଙ୍କ ଗ୍ୟାସ୍ ବୁକିଂ ଓ ଅଥବା ଡେଲିଭରୀ ବନ୍ଦ ହେବ ନାହିଁ। ତେବେ ଆପଣଙ୍କୁ ରିଫିଲ ସିଲିଣ୍ଡର ବଜାର ମୂଲ୍ୟରେ କିଣିବାକୁ ପଡିବ। ସେହିପରି ନୂଆ ସତ୍ୟାପନ ନିୟମରେ ଗୋଟିଏ ନାମରେ ଚାଲିଥିବା ଜାଲି, ଦୋହରା ଅଥବା ଅଯୋଗ୍ୟ କନେକ୍ସନ ତୁରନ୍ତ ଚିହ୍ନଟ ହୋଇ ବ୍ଲକ୍ ହୋଇଯିବ।

ଘରୋଇ ଉପଯୋଗର ସବସିଡି ସିଲିଣ୍ଡରର ହୋଟେଲ, ରେଷ୍ଟୁରାଣ୍ଟ ଅଥବା ଔଦ୍ୟୋଗିକ କ୍ଷେତ୍ରରେ ହେଉଥିବା ଅବୈଧ ଓ ବ୍ୟବସାୟୀକ ଉପଯୋଗ ବନ୍ଦ ହୋଇଯିବ। ସରକାରଙ୍କ ଏପରି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ ସବସିଡିର ଦୂରୁପଯୋଗକୁ ରୋକିବା। ଦେଶର ମୁଖ୍ୟ ଏଲପିଜି ବିତରକ କମ୍ପାନୀମାନେ ନିଜ ଗ୍ରାହକଙ୍କ ଲାଗି ନୂଆ ଅପଡେଟ ବୁକିଂ ନମ୍ବର ଜାରି କରିବା ସହିତ ଡେଲିଭରୀ ଅଥେଣ୍ଟିକେସନ କୋଡ (ଡିଏସି) ପ୍ରାଣାଳୀକୁ ମଧ୍ୟ କଡ଼ାକଡ଼ି ଲାଗୁ କରିଛନ୍ତି। ସିଲିଣ୍ଡର ବୁକିଂ କେବଳ ସେହି ନମ୍ବରରେ ସ୍ୱୀକାର କରାଯିବ ଯାହା ଆପଣଙ୍କ ଗ୍ୟାସ୍ ଏଜେନ୍ସୀରେ ପଞ୍ଜିକୃତ ରହିଛି। ବିନା ରେଜିଷ୍ଟର୍ଡ ନମ୍ବରରୁ ମିସଡ କଲ ଓ ଏସଏମଏସ୍ କଲେ ବୁକିଂ ହେବ ନାହିଁ।

ସିଲିଣ୍ଡର ବୁକିଂ ହେବା ପରେ ଉପଭୋକ୍ତାଙ୍କ ପଞ୍ଜିକୃତ ମୋବାଇଲ ନମ୍ବରକୁ ୪ ଅଥବା ୬ ଅଙ୍କର ଡେଲିଭରୀ ଅଥେଣ୍ଟିକେସନ କୋଡ (ଡିଏସି) ପଠାଯାଏ। ଯେତେବେଳେ ଡେଲିଭରୀ ମ୍ୟାନ ଆପଣଙ୍କ ଘରକୁ ସିଲିଣ୍ଡର ନେଇ ପହଞ୍ଚିବ ତାଙ୍କୁ ସେହି କୋଡ ଜଣାଇବା ବାଧ୍ୟତାମୂଳକ। ଡେଲିଭରୀ ମ୍ୟାନ ନିଜ ଆପରେ କୋଡ ଦେବା ପରେ ଏହା ସଫଳ ହେବ।