ନୂଆଦିଲ୍ଲୀ: ସାରା ଦେଶରେ ଶନିବାର ୮୦ତମ ସ୍ୱାଧୀନତା ଦିବସ ପାଳନ କରାଯାଇଛି। ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତା ତଥା ଦେଶର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଏହି ଅବସରରେ ଦିଲ୍ଲୀର ପୃଥ୍ୱୀରାଜ ରୋଡସ୍ଥିତ ତାଙ୍କ ଅଧିକାରୀକ ବାସଭବନରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ତାଙ୍କ ସହ ପରିବାର ସଦସ୍ୟ, ଶୁଭ ଚିନ୍ତକ, ବ୍ୟକ୍ତିଗତ କର୍ମଚାରୀ ଓ ସୁରକ୍ଷା କର୍ମୀ ଯୋଗ ଦେଇଥିଲେ। ଲାଲକୃଷ୍ଣ ଆଡଭାନୀଙ୍କୁ ଏବେ ୯୮ ବର୍ଷ ବୟସ ହୋଇଗଲାଣି, ହେଲେ ଦେଶ ପ୍ରତି ତାଙ୍କର ଭଲପାଇବା ସାମାନ୍ୟତମ ମଳିନ ପଡିନି।

ବୟୋବୃଦ୍ଧ ହେବା ସତ୍ତ୍ୱେ ତାଙ୍କ ଦେଶଭକ୍ତି ଭାବନା ଏବେବି ପୂର୍ବ ଭଳି ରହିଛି। ସେ ଗତ ଅନେକ ଦଶନ୍ଧୀ ହେଲା ସବୁ ସ୍ୱାଧୀନତା ଦିବସରେ ନିଜ ବାସଭବନରେ ପତାକା ଉତ୍ତୋଳନ କରି ଆସୁଛନ୍ତି। ଏହି କ୍ରମରେ ଆଜି ମଧ୍ୟ ସେ ପରିଜନ ଓ କର୍ମଚାରୀଙ୍କ ଉପସ୍ଥିତିରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସାଲ୍ୟୁଟ କରିଛନ୍ତି। ସ୍ୱାଧୀନତା ଦିବସରେ ତାଙ୍କର ଏହି ପତାକା ଉତ୍ତୋଳନ ତାଙ୍କ ସମର୍ଥକ ଓ କାର୍ଯ୍ୟକର୍ତ୍ତାଙ୍କ ଲାଗି ପ୍ରେରଣାଦାୟକ କ୍ଷଣ ପାଲଟିଛି।

ଲାଲକୃଷ୍ଣ ଆଡଭାନୀଙ୍କୁ ୩୧ ମାର୍ଚ୍ଚ ୨୦୨୪ରେ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ବର୍ଦ୍ଧିତ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଅବନତ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କ ଦିଲ୍ଲୀସ୍ଥିତ ବାସଭବନକୁ ଯାଇ ତାଙ୍କୁ ଏହି ସମ୍ମାନରେ ସମ୍ମାନୀତ କରିଥିଲେ। ସେ ୧୯୯୯-୨୦୦୪ ମସିହା ପର୍ଯ୍ୟନ୍ତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ନେତୃତ୍ୱାଧୀନ ସରକାରରେ ପ୍ରଥମେ ଗୃହମନ୍ତ୍ରୀ ଓ ପରେ ଉପପ୍ରଧାନମନ୍ତ୍ରୀ ଥିଲେ।

ଲାଲକୃଷ୍ଣ ଆଡଭାନୀ ୧୯୪୨ ମସିହାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ରେ ଯୋଗ ଦେଇଥିଲେ। ୧୯୪୭ ବିଭାଜନରେ ଦିଲ୍ଲୀ ଆସିବା ପରେ ସେ ରାଜନୀତିକୁ ତାଙ୍କ ଜୀବନର ରାସ୍ତା ବାଛିଥିଲେ। ୧୯୫୭ ମସିହାରେ ସେ ଅଟଳ ବିହାରୀ ବାଜପେୟୀଙ୍କ ସହଯୋଗୀ ରୂପେ ସକ୍ରିୟ ହୋଇଥିଲେ। ୧୯୭୦ ମସିହାରେ ସେ ପ୍ରଥମ ଥର ରାଜ୍ୟସଭାକୁ ଯିବା ପରେ ୧୯୭୨ ମସିହାରେ ଭାରତୀୟ ଜନସଂଘର ଅଧ୍ୟକ୍ଷ ହୋଇଥିଲେ। ୧୯୭୫ ଜରୁରିକାଳୀନ ପରିସ୍ଥିତି କାଳରେ ତାଙ୍କୁ ବେଙ୍ଗାଲୁର ଜେଲରେ ରହିବାକୁ ପଡିଥିଲା।