ଚେନ୍ନାଇ: ତାମିଲନାଡୁରେ ଶାସକ ତାମିଲଗା ଭେଟ୍ରି କାଜାଗମ୍ (TVK) ସରକାରଙ୍କୁ ବାହାରୁ ସମର୍ଥନ ଜାରି ରଖିଥିଲେ ସୁଦ୍ଧା ଆସନ୍ତା ଉପନିର୍ବାଚନରେ ଏକାକୀ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛନ୍ତି ବାମପନ୍ଥୀ ଦଳ CPI ଏବଂ CPI-M । ଉଭୟ ଦଳ TVK ନେତୃତ୍ୱାଧୀନ ମେଣ୍ଟରେ ସାମିଲ ନ ହୋଇ ସ୍ୱତନ୍ତ୍ର ଭାବରେ ପ୍ରାର୍ଥୀ ଦେବାକୁ ଘୋଷଣା କରିଛନ୍ତି।

CPI ଧାରାପୁରମ୍ (Dharapuram) ଆସନରୁ ପ୍ରାର୍ଥୀ ଦେବ। CPI(M) ମଦୁରାନ୍ତକମ୍ ଆସନରୁ ନିଜର ପ୍ରାର୍ଥୀ ଦେବ।
ଚେନ୍ନାଇଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ CPI ରାଜ୍ୟ ସମ୍ପାଦକ ଏମ୍. ବୀରପାଣ୍ଡିଆନ୍ କହିଛନ୍ତି ଯେ, କର୍ମୀମାନଙ୍କ ସହ ଆଲୋଚନା ଏବଂ ଉଭୟ ବାମ ଦଳ ମଧ୍ୟରେ ସହମତି ପରେ ଏହି ନିଷ୍ପତ୍ତି ନିଆଯାଇଛି।

ବୀରପାଣ୍ଡିଆନ୍ ସ୍ପଷ୍ଟ କରିଛନ୍ତି ଯେ, ୨୦୨୬ ବିଧାନସଭା ନିର୍ବାଚନ ପରଠାରୁ ସେମାନେ କୌଣସି ମେଣ୍ଟର ଭାଗିଦାର ନୁହଁନ୍ତି। ଏହି ଉପ-ନିର୍ବାଚନ ସାଧାରଣ ନୁହେଁ, ବରଂ ଜନସାଧାରଣଙ୍କ ଉପରେ ‘ଲଦି ଦିଆଯାଇଥିବା’ ନିର୍ବାଚନ। ରାଜ୍ୟରେ ଫାସିବାଦୀ ଶକ୍ତିକୁ ରୋକିବା, ରାଜ୍ୟପାଳ ଶାସନକୁ ଏଡ଼ାଇବା ଏବଂ ବିଜେପିକୁ ପରୋକ୍ଷ ଶାସନରୁ ଦୂରେଇ ରଖିବା, ବାମପନ୍ଥୀ ଦଳଗୁଡ଼ିକ TVK ସରକାରକୁ ସମର୍ଥନ କରିବାର ମୁଖ୍ୟ ଉଦ୍ଦେଶ୍ୟ । ଏହା ବ୍ୟତୀତ ବାମ ଦଳଗୁଡ଼ିକ TVK କୁ ନିଜର ଧର୍ମନିରପେକ୍ଷ ଚିନ୍ତାଧାରା ଓ ଆଦର୍ଶ ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି।