ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିଲ୍ଲୀ ମହିଳା ଆୟୋଗ ଓ ସଂଖ୍ୟାଲଘୁ ଆୟୋଗର ପୁନର୍ଗଠନ କରିଛନ୍ତି। ଫଳରେ ପ୍ରାୟ ଅଢେଇ ବର୍ଷହେଲା ଖାଲି ପଡିଥିବା ମହିଳା ଆୟୋଗ ପଦବୀ ପୂରଣ ହୋଇଥିବା ବେଳେ ସଦସ୍ୟା ମଧ୍ୟ ନିଯୁକ୍ତ ହୋଇଛନ୍ତି। ଲତା ଗୁପ୍ତାଙ୍କୁ ମୁଖ୍ୟମନ୍ତ୍ରୀ ମହିଳା ଆୟୋଗ ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି। ଲତା ବିଜେପି ପ୍ରଦେଶ ଉପାଧ୍ୟକ୍ଷ ସହିତ ୨ ଥର ନିଗମ କାଉନସିଲର ନିର୍ବାଚିତ ହୋଇଥିଲେ। ଜାନୁୟାରୀ ୨୦୨୪ରେ ଶ୍ୱାତୀ ମାଲିୱାଲଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡିଥିଲା। ଅଧ୍ୟକ୍ଷ ପଦ ସହିତ ମହିଳା ଆୟୋଗ ସଦସ୍ୟ ନିଯୁକ୍ତି ମଧ୍ୟ ହୋଇଛି।

ସେହିପରି ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଦିଲ୍ଲା ସଂଖ୍ୟାଲଘୁ ଆୟୋଗର ମଧ୍ୟ ଗଠନ କରିଛନ୍ତି। ନିର୍ମଳ ଜୈନଙ୍କୁ ସଂଖ୍ୟା ଲଘୁ ଆୟୋଗର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ସଦସ୍ୟ ରୂପେ କୂଲଦୀପ ସିଂହ ଓ ମହମ୍ମଦ ହାରୁନଙ୍କ ନାମିତ କରାଯାଇଛି। ସେହିପରି ଲତା ଗୁପ୍ତା ମହିଳା ଆୟୋଗ ଅଧ୍ୟକ୍ଷ ନିଯୁକ୍ତ ହୋଇଥିବା ବେଳେ ଶ୍ୟାମ ବାଲା, ମାଲତୀ ବର୍ମା, ଲତା ଶୋଢୀ, ସନରିକା ଶର୍ମା ଝା ଓ ରେଣୁ ଭଲ୍ଲାଙ୍କୁ ସଦସ୍ୟ ନିଯୁକ୍ତ କରାଯାଇଛି।

ଲତା ଗୁପ୍ତା କିଏ?
ଲତା ଗୁପ୍ତା ବିଜେପିର ଜଣେ ବରିଷ୍ଠ କାର୍ଯ୍ୟକର୍ତ୍ତା ଓ ସମାଜ ସେବୀ ଅଟନ୍ତି। ମଧ୍ୟପ୍ରଦେଶ ମୁରୈନାର ପ୍ରତିଷ୍ଠିତ ଓକିଲ ପରିବାରରେ ତାଙ୍କର ଜନ୍ମ । ସେ ଦିଲ୍ଲୀ ପ୍ରଦେଶ ବିଜେପିର ଉପାଧ୍ୟକ୍ଷା, ବିଜେପି ମହିଳା ମୋର୍ଚ୍ଚାର ପୂର୍ବତନ ମହାମନ୍ତ୍ରୀ ଓ ଶାହଦରା ଜିଲ୍ଲା ବିଜେପିର ପୂର୍ବତନ ଜିଲ୍ଲାଧ୍ୟକ୍ଷ ମଧ୍ୟ ଥିଲେ। ସେ ୨୦୦୭-୨୦୧୨ ପର୍ଯ୍ୟନ୍ତ ଶକରପୁର ୱାର୍ଡ ଓ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ପାଣ୍ଡବ ନଗର ୱାର୍ଡରୁ ବିଜେପି କାଉନସିଲର ନିର୍ବାଚିତ ହୋଇଥିଲେ। ଲତା ଗୁପ୍ତା ଦିଲ୍ଲୀ ନଗରନିଗମର ପ୍ରଥମ ସ୍ଥାୟୀ ମହିଳା ସମିତି ଅଧ୍ୟକ୍ଷା ମଧ୍ୟ ଥିଲେ।