ମୁରିଦକେ ୨୨।୩: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସୁଛି। ଏକ ଆତଙ୍କବାଦ ସଙ୍ଗଠନର କମାଣ୍ଡରକୁ ତା ପରିବାର ଲୋକେ ହତ୍ୟା କରିଛନ୍ତି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଏ-ତୌୟବା କମାଣ୍ଡର ବିଲାଲ ଆରିଫ ସରାଫିକୁ ଇଦ ନମାଜ ପରେ ହତ୍ୟା କରାଯାଇଛି। କୁହାଯାଉଛି ଏହି ହତ୍ୟାକାଣ୍ଡ ତା ପରିବାର ଲୋକେ ଭିଆଇଛନ୍ତି। ଆକ୍ରମଣକାରୀ ପ୍ରଥମେ ତା ଉପରେ ଛୁରୀରେ ଆକ୍ରମଣ କରିଥିଲା ପରେ ଗୁଳିକରିଛି। ଫଳରେ ଘଟଣାସ୍ଥଳରେ ଆତଙ୍କବାଦୀର ମୃତ୍ୟୁ ହୋଇଛି।

ଏହି ଘଟଣା ପାକିସ୍ତାନର ମୁରିଦକେର ସେହି ସ୍ଥାନରେ ହୋଇଛି ଯେଉଁଠି କେବେ ଲସ୍କରର ମୁଖ୍ଯାଳୟ ଥିଲା। ଏହି ଅଞ୍ଚଳ ଦୀର୍ଘ ସମୟରୁ ଆତଙ୍କବାଦୀ ଗତିବିଦ୍ଧି ପାଇଁ ଚର୍ଚ୍ଚାରେ ଥିଲା। ତେବେ ଏହି ହତ୍ୟାକାଣ୍ଡ ପଛରେ ଥିବା ଅସଲ କାରଣ ଏବେବି ସ୍ପଷ୍ଟ ହୋଇ ପାରିନାହିଁ। ତେବେ ପ୍ରାରମ୍ଭିକ ଯାଞ୍ଚରୁ ପାରିବାରିକ ବିବାଦ ଯୋଗୁ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ସୂତ୍ର ଅନୁସାରେ ଏହି ହତ୍ୟାକାଣ୍ଡରେ ସାମିଲ ୨ ଜଣଙ୍କୁ ପୋଲିସ ଗିରଫ କରିଛି। ହତ୍ୟାକାଣ୍ଡ ପରେ କିଛି ଭିଡିଓ ସୋସିଆଲ ମିଡିଆରେ ଆସିଛି। ଯେଉଁଥିରେ ମୃତକ ମାଟିରେ ପଡିଥିବାର ଦେଖାଯାଉଛି।

କୁହାଯାଉଛି ବିଲାଲ ସଙ୍ଗଠନ ଲାଗି ନୂଆ ନୂଆ ଲୋକଙ୍କୁ ଯୋଗାଡ କରୁଥିଲା। ସେ ଖାସ କରି ଯୁବକଙ୍କୁ ନିଜ ଜାଲରେ ଫଶାଇ ସଙ୍ଗଠନର ବିଚାରଧାରାରେ ଯୋଡୁଥିଲା। ଏହାଛଡା ସେ ଲୋକଙ୍କୁ ମାନସିକ ରୂପେ ପ୍ରସ୍ତୁତ କରିବା ଓ ସଙ୍ଗଠନର ଏଜେଣ୍ଡା ରୂପାନ କାମ କରୁଥିଲା। ରିପୋର୍ଟ ଅନୁସାରେ ପାକିସ୍ତାନରେ ଆତଙ୍କବାଦ ଘଟଣା ଏବେ ଲଗାତାର ବଢିଚାଲିଛି। ଏହାର ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ମଧ୍ୟ ପଡିବାକୁ ଲାଗିଲାଣି। ବୈଶ୍ୱିକ ଆତଙ୍କବାଦ ସୂଚକାଙ୍କ ୨୦୨୬ ଅନୁସାରେ ପାକିସ୍ତାନ ଏବେ ବିଶ୍ୱର ସବୁଠୁ ପ୍ରଭାବିତ ଦେଶ ବୋଲି ଜଣାପଡିଛି। ୨୦୨୫ ମସିହାରେ ଦେଶରେ ୧ ହଜାରରୁ ଅଧିକ ଆତଙ୍କବାଦୀ ଆକ୍ରମଣ ହୋଇଥିବା ରେକର୍ଡ ରହିଛି।

ଏଥିରେ ଖୈବରପୁକ୍ତନଖ୍ୱା ଓ ବଲୁଚିସ୍ତାନ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଏହି କ୍ଷେତ୍ରରେ ସବୁଠୁ ଅଧିକ ଆକ୍ରମଣ ଓ ମୃତ୍ୟୁ ରେକର୍ଡ ହୋଇଛି। ଏଠାରେ ସକ୍ରିୟ ଆତଙ୍କବାଦୀ ସଙ୍ଗଠନଙ୍କ ମଧ୍ୟରେ ତହରିକ-ଏ-ତାଲିବାନ ପାକିସ୍ତାନ ସବୁଠୁ ପ୍ରମୁଖ। ଏହି ସଙ୍ଗଠନ ଦେଶରେ ବହୁମାତ୍ରାରେ ଆତଙ୍କବାଦୀ ଆକ୍ରମଣ କରିଛି।