ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ନାଗାଲାଣ୍ଡର ମୋନ୍ ଜିଲ୍ଲାରେ ବଡ଼ ଧରଣର ଭୂସ୍ଖଳନ (Landslide) ଘଟିଛି। ଏହି ପ୍ରାକୃତିକ ବିପର୍ଯ୍ୟୟରେ ଶିଶୁଙ୍କ ସମେତ ପ୍ରାୟ ୮ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ମାଟି ଅତଡ଼ା ତଳୁ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ବର୍ଷା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ହଠାତ୍ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି।

ମୋନ୍ ଜିଲ୍ଲାର ଡେପୁଟି କମିଶନର ୱେନିଏଇ କୋନ୍ୟାକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ‘ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଆଶଙ୍କା ରହିଛି। ଆମେ ବର୍ତ୍ତମାନ ସୁଦ୍ଧା ୪ଟି ମୃତଦେହ ଉଦ୍ଧାର କରିଛୁ ଏବଂ ନିଖୋଜ ଲୋକଙ୍କୁ ଖୋଜିବା ପାଇଁ ବ୍ୟାପକ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ ଜାରି ରଖିଛୁ।’

ଭୂସ୍ଖଳନ ଯୋଗୁଁ ଅଞ୍ଚଳର ଅନେକ ଘରଦ୍ୱାର ସମ୍ପୂର୍ଣ୍ଣ ଭାବେ ଭାସିଯାଇଛି। ମାଟି ଓ ପଥର ଆବର୍ଜନା ତଳେ ଅନେକ ଲୋକ ଚାପି ହୋଇ ରହିଥିବା ଆଶଙ୍କାରେ ଉଦ୍ଧାରକାରୀ ଦଳ ତଲାସୀ ଅଭିଯାନ ଚଳାଇଛନ୍ତି। ତେବେ ପାହାଡ଼ ଉପରୁ ପ୍ରବଳ ମାତ୍ରାରେ ପାଣି ମାଡ଼ି ଆସୁଥିବାରୁ ଉଦ୍ଧାର କାର୍ଯ୍ୟରେ ପ୍ରବଳ ବାଧା ସୃଷ୍ଟି ହେଉଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

ବର୍ତ୍ତମାନ ଘଟଣାସ୍ଥଳରେ ସ୍ଥାନୀୟ ସ୍ବେଚ୍ଛାସେବୀ, ପୋଲିସ, ଭାରତୀୟ ସେନା ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି।
ଏହି ଘଟଣାକୁ ନେଇ ନାଗାଲାଣ୍ଡ ସରକାର ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଜ୍ୟର ବିଭିନ୍ନ ଭାଗରେ ଲାଗି ରହିଥିବା ପ୍ରତିକୂଳ ପାଣିପାଗ ଏବଂ ଜରୁରୀକାଳୀନ ସ୍ଥିତି ଉପରେ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି। କେବଳ ମୋନ୍ ଜିଲ୍ଲା ନୁହେଁ, ବରଂ ମୋକୋକଚୁଙ୍ଗ ଜିଲ୍ଲାର ଟୁଲି ସବ୍-ଡିଭିଜନ ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟ ଏହି ପ୍ରବଳ ବର୍ଷାରେ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ରାସ୍ତାଘାଟ ବନ୍ଦ ହୋଇଯାଇଥିବା ବେଳେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ସରକାରୀ ସମ୍ପତ୍ତି ଏବଂ ସାଧାରଣ ଲୋକଙ୍କ ଘରଦ୍ୱାର ବ୍ୟାପକ ଭାବେ ନଷ୍ଟ ହୋଇଛି।