ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗସ୍ତକାଳରେ କିର୍ଗିସ୍ତାନ ମଧ୍ୟଯିବେ। ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଆତିଥେୟତା ପାଇଁ କିର୍ଗିସ୍ତାନ ଖାସ ଏବେ ପ୍ରସ୍ତୁତି କରୁଛି। ଗସ୍ତଅବସରରେ ମୋଦିଙ୍କୁ ବିସକେକ୍ ରେ ଖାସ୍ ଖାଦ୍ୟରେ ଆପ୍ୟାୟିତ କରାଯିବ। ଯେଉଁଥିରେ ମୋଦିଙ୍କ ପସନ୍ଦର ଗୁଜରାଟୀ ଖାଦ୍ୟ ସହିତ ପାରମ୍ପରିକ କିର୍ଗିଜ ଖାଦ୍ୟର ସାକାହାରୀ ସ୍ୱାଦ ମଧ୍ୟ ସାମିଲ ରହିବ। ବିସକେକସ୍ଥିତ ଗାନ୍ଧି ରେଷ୍ଟୁରାଣ୍ଟ ମୁଖ୍ୟ ସେଫ ଭାରତୀୟ ମୂଳର ଚିନ୍ମୟ ବଡୋଦେକର ଆଇଏନଏସକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗୁଜରାଟି ଘରୋଇ ଖାଦ୍ୟ ପରସାଯିବାର ଯୋଜନା ରହିଛି।

ତାଙ୍କୁ ଜଳଖିଆରେ ଚୁଡ଼ା, ଉପମା ଓ ଇଡଲୀ ସାମ୍ବର ଭଳି ବ୍ୟଞ୍ଜନ ପରସା ଯାଇ ପାରେ। ସେହିପରି ମଧ୍ୟାହ୍ନ ଭୋଜନରେ ଥେପଲା, ଘର ତିଆରି ଡାଲି-ଭାତ ଓ ଗୁଜରାଟି ଶୈଳୀରେ ପ୍ରସ୍ତୁତ ତରକାରୀ ସାମିଲ ରହିବ। ସେହିପରି ରାତ୍ରଭୋଜରେ ହାଲୁକା ଖେଚୁଡି ଓ ଦହି ପରସାଯିବ। ବଡୋଦେକର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ଖାଦ୍ୟ ପ୍ରସ୍ତୁତି ପୂର୍ବରୁ ସୁରକ୍ଷା ଓ ମାନ ସମ୍ପର୍କିତ ସମସ୍ତ ଔପଚାରିକତା ପାଳନ କରାଯାଉଛି। ସେ କହିଛନ୍ତି ଯେ ମେନ୍ୟୁ, ଖାଦ୍ୟ ପେୟ ସମ୍ପର୍କିତ କଟକଣା ଓ ଅନ୍ୟ ଜରୁରି ବିଷୟ ଉପରେ ବିଶେଷ ଧ୍ୟାନ ଦିଆଯାଇଛି।

ଖାଦ୍ୟ ସାମଗ୍ରୀକୁ ଲ୍ୟାବରେ ପରୀକ୍ଷଣ ସହିତ ଅନ୍ୟ ଜରୁରି ଟେଷ୍ଟିଂ କରାଯାଉଛି। ଖାଦ୍ୟ ପରସା ଯିବା ପୂର୍ବରୁ ୩ ପୃଥକ ଟିମ୍ ଏହାର ଯାଞ୍ଚ ଓ ପୁଷ୍ଟି କରିବେ। ମୋଦିଙ୍କ ମେନ୍ୟୁରେ ଗୁଜରାଟି ସ୍ୱାଦ ସହିତ କିର୍ଗିସ୍ତାନର ପାରମ୍ପରିକ ବ୍ୟଞ୍ଜନର ମେଳ ମଧ୍ୟ ଦେଖିବାକୁ ମିଳିବ। ଗାନ୍ଧି ରେଷ୍ଟୁରାଣ୍ଟ ସେଫଙ୍କ ଅନୁସାରେ ମଧ୍ୟାହ୍ନ ଭୋଜନରେ ‘ପ୍ଲୋବ’ଅର୍ଥାତ କିର୍ଗିଶୈଳୀରେ ପଲଉ ପ୍ରସ୍ତୁତ କରାଯିବ। ସାଧାରଣତଃ ପ୍ଲୋବରେ ଆମିଷ ସାମଗ୍ରୀ ଉପଯୋଗ ହୁଏ। ହେଲେ ମୋଦିଙ୍କ ଲାଗି ଏହାର ଖାସ ସାକାହାରୀ ଭର୍ସନ ପ୍ରସ୍ତୁତ କରାଯିବ, ଯେଉଁଥିରେ ଅନେକ ପ୍ରକାରର ତରକାରୀ ରହିବ।

ସେହିପିର ପ୍ରଧାନମନ୍ତ୍ରୀଙ୍କ ରାତ୍ର ଭୋଜ ନିମନ୍ତେ ‘ଲଘମନ’ ତିଆରି କରାଯିବ। ଏହା ନୁଡଲରେ ତିଆରି ହେଉଥିବା ଏକ ଲୋକପ୍ରିୟ ମଧ୍ୟ ଏସିୟ ଖାଦ୍ୟ। ଏହାକୁ ସାଧାରଣତଃ ଫ୍ରାଏଡ ନୁଡୁଲ ଓ ଅନ୍ୟ ସାମଗ୍ରୀ ସହିତ ତିଆରି କରାଯାଏ। ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ଏହାକୁ ସମ୍ପୂର୍ଣ୍ଣ ସାକାହାରୀ ପ୍ରସ୍ତୁତ କରାଯିବ। ‘ଗାନ୍ଧି ରେଷ୍ଟୁରାଣ୍ଟ’ ବିସକେକ୍ ରେ ଭାରତୀୟ ବ୍ୟଞ୍ଜନ ସହିତ ଫ୍ୟୁଜନ ଫୁଡ ଲାଗି ବେଶ୍ ଜଣାଶୁଣା। ଏଠାରେ ପୂର୍ବରୁ ଅନେକଥର ଇଣ୍ଡୋ-କିର୍ଗି ଫୁଡଫେଷ୍ଟିଭାଲ ଆୟୋଜନ ହୋଇ ସାରିଛି। ଏହି ଅଭିଜ୍ଞତାକୁ ନଜରରେ ରଖି ପ୍ରଧାନମନ୍ତ୍ରୀ ମୋଦିଙ୍କ ଲାଗି ଭାରତୀୟ ଓ କିର୍ଗିସ୍ୱାଦର ଖାସ ବ୍ୟଞ୍ଜନ ପ୍ରସ୍ତୁତ କରାଯାଉଛି। ପ୍ରଧାନମନ୍ତ୍ରୀ ମୋଦି ଉଜବେକିସ୍ତାନରୁ ଅଗଷ୍ଟ ୩୧ ତାରିଖରେ କିର୍ଗିସ୍ତାନ ଗସ୍ତରେ ପହଞ୍ଚିବେ। ଏହି ଅବସରରେ ସେ ୧ ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜଧାନୀ ବିସକେକରେ ଅବସ୍ଥାନ କରିବେ। ଏହି ଗସ୍ତକାଳରେ ସେ ଏସସିଓ ର ୨୬ତମ ସମ୍ମିଳନୀରେ ଅଂଶଗ୍ରହଣ କରିବେ।