ନୂଆଦିଲ୍ଲୀ ୧୯।୧: ଉନ୍ନାଓ ହାଜତ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ ବିଜେପି ବିଧାୟକ କୂଲଦୀପ ସିଂହ ସେଙ୍ଗାରଙ୍କ ସେହି ନିବେଦନକୁ ଦିଲ୍ଲୀ ହାଇକୋର୍ଟ ସୋମବାର ଖାରଜ କରିଦେଇଛନ୍ତି ଯେଉଁଥିରେ ତାଙ୍କ ଦଣ୍ଡ ନିଲମ୍ବନ ନିମନ୍ତେ ନିବେଦନ କରିଥିଲେ। କୋର୍ଟ ସ୍ପଷ୍ଟ ରୂପେ କହିଛନ୍ତି ଯେ ମାମଲାର ଜଟିଳତା ଓ ଅପରାଧର ପ୍ରକୃତିକୁ ନଜରରେ ରଖି ଦଣ୍ଡ ଉପରେ ରୋକ ଲଗାଇବାର କୌଣସି ଆଧାର ନାହିଁ।

ସେଙ୍ଗର ଲୋଅର କୋର୍ଟର ଦଣ୍ଡକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଜାମିନ ନିବେଦନ ମଧ୍ୟ କରିଥିଲା। ତେବେ କୋର୍ଟ ହାଜତ ହତ୍ୟା ଭଳି ଗୁରୁତର ଅପରାଧରେ ଦୋଷୀକୁ ଆଶ୍ୱସ୍ତ କରିବା ଆଦୌ ନ୍ୟାୟହୀତରେ ନୁହେଁ ବୋଲି କହିବା ସହିତ ନିମ୍ନ କୋର୍ଟଙ୍କ ଦ୍ୱାରା କରାଯାଇଥିବା ଦଣ୍ଡାଦେଶକୁ ନିଲମ୍ବନ କରିବାକୁ ସ୍ପଷ୍ଟ ମନା କରିଦେଇଛନ୍ତି। ସେହିପରି କୋର୍ଟ ତାର ଜାମିନ ନିବେଦନ ମଧ୍ୟ ଅଗ୍ରାହ୍ୟ କରିଦେଇଛନ୍ତି।

ଏହି ମାମଲା ଉତ୍ତରପ୍ରଦେଶ ଉନ୍ନାଓ ଜିଲ୍ଲାରେ ୨୦୧୭ ମସିହାରେ ହୋଇଥିବା ହାଜତ ହତ୍ୟା ମାମଲା ସହ ସମ୍ପୃକ୍ତ। ପୀଡ଼ିତକୁ ପୋଲିସ ହାଜତରେ ନିର୍ମମ ମାଡ଼ ମରାଯାଇଥିଲା, ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମାମଲାର ଯାଞ୍ଚରେ ଏହି ପୁରା ଘଟଣାକ୍ରମରେ କୂଲଦୀପ ସିଂହ ସେଙ୍ଗାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ଓ ବିଧାୟକ ଭାବେ ନିଜ ପ୍ରଭାବର ଦୂରୁପଯୋଗ କରିଥିବା ଜଣାପଡିଥିଲା। ପରେ ଏହି ମାମଲା ସିବିଆଇକୁ ନ୍ୟସ୍ତ ହୋଇଥିଲା। ମାମଲାର ତଦନ୍ତ ପୁରା ହେବା ପରେ ସ୍ୱତନ୍ତ୍ର ନ୍ୟାୟାଳୟ ସେଙ୍ଗରକୁ ଦୋଷୀ ସାବ୍ୟସ୍ତ କରିବା ସହ ଦଣ୍ଡାଦେଶ କରିଥିଲେ।

ମାମଲାର ଶୁଣାଣିରେ କୋର୍ଟ ସ୍ୱୀକାର କରିଥିଲେ ଯେ ଏହି ହତ୍ୟା ମାମଲା ସୁନିୟୋଜିତ ଥିଲା ଓ ଏଥି ପାଇଁ ଶାସନ କ୍ଷମତା ଓ ପ୍ରଭାବର ଦୂରୁପଯୋଗ କରାଯାଇଥିଲା। ତେବେ ସୋମବାର ମାମଲାର ଶୁଣାଣିରେ ହାଇକୋର୍ଟ କହିଛନ୍ତି ଯେ ସେଙ୍ଗର ଜଣେ ପ୍ରଭାବଶାଳୀ ବ୍ୟକ୍ତି ଥିଲା, ଏଥିରେ ଯଦି ତାକୁ ଆଶ୍ୱସ୍ତି ଦିଆଯାଏ ତେବେ ନ୍ୟାୟ ପ୍ରକ୍ରିୟା ଓ ପୀଡ଼ିତପକ୍ଷଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ହାଜତ ମୃତ୍ୟୁ ଗଣତାନ୍ତ୍ରିକ ବ୍ୟବସ୍ଥା ନିମନ୍ତେ ଚିନ୍ତାର ବିଷୟ ଓ ଏପରି ମାମଲାରେ ଆଦୌ ଆଶ୍ୱସ୍ତି ଦିଆଯାଇ ପାରିବନି।