ମୁମ୍ବାଇ ୨୭।୦୯; ବଲିଉଡ଼ର 'ନମ୍ବର ୱାନ୍' ଅଭିନେତା ଗୋବିନ୍ଦା । ଏବେ ପରଦା ପଛର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତାଙ୍କ ନାଁ କୋମଲ ରାନୀଙ୍କ ସହ ଯୋଡ଼ାଯାଉଥିବା ବେଳେ, କୋମଲଙ୍କ ଏକ କ୍ରିପ୍ଟିକ୍ ପୋଷ୍ଟ ଇନଷ୍ଟାଗ୍ରାମରେ ଏବେ ନିଆଁ ଲଗାଇଛି।

ଲାଲବାଗଚା ରାଜାଙ୍କ ଦର୍ଶନ ସମୟରେ ଗୋବିନ୍ଦା ଓ କୋମଲ ରାନୀଙ୍କୁ ଏକାଠି ଦେଖିବାକୁ ମିଳିବା ପରେ ଡେଟିଂ ରୁମର୍ସ ଜୋର ଧରିଥିଲା। ପୂର୍ବରୁ ଗୋବିନ୍ଦା ଏସବୁକୁ ଖଣ୍ଡନ କରି ନିଜର ମାନହାନି ଘଟାଯାଉଥିବା ଅଭିଯୋଗ କରିସାରିଛନ୍ତି।ଏସବୁକୁ ନିଜର ଛବି ଖରାପ କରିବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ର ବୋଲି କହିଥିଲେ ଗୋବିନ୍ଦା। ଏହି ସମସ୍ତ ବିବାଦ ଭିତରେ କୋମଲ ରାନୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ଲମ୍ବା ନୋଟ୍ ଲେଖି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। କୌଣସି ବ୍ୟକ୍ତିଙ୍କ ସ୍ପଷ୍ଟ ନାଁ ନ ନେଲେ ମଧ୍ୟ ତାଙ୍କ ଇଙ୍ଗିତ ସିଧାସଳଖ ସୁନୀତା ଆହୁଜାଙ୍କ ଆଡ଼କୁ ବୋଲି ଚର୍ଚ୍ଚା ହେଉଛି।

କୋମଲ ଲେଖିଛନ୍ତି-"ଯେଉଁ ମହିଳା ବର୍ଷ ବର୍ଷ ଧରି ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି, ତାଙ୍କ ଅଭିଶାପ କାହା ଉପରେ କୌଣସି ପ୍ରଭାବ ପକାଏ ନାହିଁ। ଯେଉଁ ଘର ପୂର୍ବରୁ ହିଁ ଭାଙ୍ଗି ସାରିଛି, ତାହାକୁ ଅନ୍ୟ କେହି ଭାଙ୍ଗି ପାରିବେ ନାହିଁ।"ସେ ଆହୁରି ମଧ୍ୟ ପ୍ରଶ୍ନ କରିଛନ୍ତି ଯେ, ଜଣେ ବ୍ୟକ୍ତିଙ୍କୁ କ୍ରମାଗତ ଭାବେ ମାନସିକ ଯନ୍ତ୍ରଣା ଦେବା, କାମରୁ ଦୂରେଇ ରଖିବା ଏବଂ ଏକଘରିଆ କରିଦେବା ପଛର ଉଦ୍ଦେଶ୍ୟ କ’ଣ? ପୋଷ୍ଟର ଶେଷରେ ସେ ସ୍ପଷ୍ଟ ଭାବେ ଲେଖିଛନ୍ତି,"ନିଜ ଏଜେଣ୍ଡା ପାଇଁ ମୋ ନାଁ ବ୍ୟବହାର କରିବା ବନ୍ଦ କର।

ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନର ଏହି ଗସିପ ଏବେ ସୋସିଆଲ ମିଡିଆ ଓ ଇଣ୍ଡଷ୍ଟ୍ରିରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଛି। ଗୋଟେପଟେ ଡେଟିଂ ରୁମର୍ସ ଏବଂ ଅନ୍ୟପଟେ କୋମଲଙ୍କ ଏଭଳି ପୋଷ୍ଟ ଏହି ବିବାଦକୁ ଆଗକୁ ଆହୁରି କେଉଁଆଡ଼େ ନେଇଯାଉଛି, ତାହା ସମୟ କହିବ।"