କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପିର ଐତିହାସିକ ବିଜୟ ପରେ କୋଲକାତା ପୋଲିସର ଅଧିକାରୀକ ଏକ୍ସ (ପୂର୍ବର ଟ୍ୱିଟର)ରେ ଏକ ଡିଜିଟାଲ ପରିବର୍ତ୍ତନ ହୋଇଛି। ଖବର ଅନୁସାରେ ଏହି ଆକାଉଣ୍ଟ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତୃଣ ମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ଓ ଅନ୍ୟ କେତେକ ପାର୍ଟି କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ‘ଅନଫଲୋ’ କରିଛି। ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ତାଳମେଳ ବସାଇବାକୁ ଏହି ହ୍ୟାଣ୍ଡେଲ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ‘ଫଲୋ’ କରୁଛି।

କୋଲକାତା ପୋଲିସର ଏହି ପରିବର୍ତ୍ତନ ତୃଣ ମୂଳ କଂଗ୍ରେସ ମୁଖ୍ୟାଳୟ ଓ ସାରା ସହରରେ ଥିବା ନେତାଙ୍କ ଘରୁ ଅତିରିକ୍ତ ସୁରକ୍ଷା ହଟିବା ପରେ ହୋଇଛି। କୋଲକାତା ପୋଲିସ ଏବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଗୃହମନ୍ତ୍ରାଳୟଙ୍କ ଅଧିକାରୀକ ଆକାଉଣ୍ଟକୁ ଫଲୋ କରୁଛି। ଉଲ୍ଲେଖଯୋଗ୍ୟ ଯେ ଗତ ବିଧାନସଭା ନିର୍ବାଚନରେ ମମତାଙ୍କ ତୃଣ ମୂଳ କଂଗ୍ରେସ ସୋଚନୀୟ ପରାସ୍ତ ହୋଇଛି। ଏହା ସତ୍ତ୍ୱେ ମମତା ଶନିବାର ପୂର୍ବାହ୍ନ ପର୍ଯ୍ୟନ୍ତ ତାଙ୍କ ଏକ୍ସ ଆକାଉଣ୍ଟ ହ୍ୟାଣ୍ଡଲ ବାୟୋରେ ତାଙ୍କ ପଦବୀ ମାନନୀୟ ମୁଖ୍ୟମନ୍ତ୍ରୀ ପଶ୍ଚିମବଙ୍ଗ ରଖିଥିଲେ।

ତେବେ ଶନିବାର ମଧ୍ୟାହ୍ନରେ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ପାଠ କରିବା ପରେ ମମତା ଚୁପଚାପ ତାଙ୍କ ବାୟୋ ପରିବର୍ତ୍ତନ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ (ପଞ୍ଚଦଶ, ଷୋଡ଼ଶ ଓ ସପ୍ତଦଶ ବିଧାନସଭା) ବୋଲି ଉଲ୍ଲେଖ କରିଛନ୍ତି। ହେଲେ ସେ ତାଙ୍କ ବାୟୋରେ ‘ପୂର୍ବତନ’ ବା ଏକ୍ସ ଚିଫ ମିନିଷ୍ଟର ବୋଲି କେଉଁଠି ବି ଲେଖି ନାହାନ୍ତି। ଉଲ୍ଲେଖଯୋଗ୍ୟ ଯେ ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ମମତା ତାଙ୍କ ଦଳର ହାରକୁ ସ୍ୱୀକାର କରିନଥିଲେ। ତାଙ୍କ ଦଳକୁ ଷଡ଼ଯନ୍ତ୍ର କରି ହରାଇ ଦିଆଯାଇଥିବାର ଅଭିଯୋଗ କରିଥିଲେ।

ମମତା ବାନାର୍ଜୀ ତାଙ୍କ ଘୋଷଣା ମୁତାବକ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଇ ନାହାନ୍ତି କି ତାଙ୍କ ମନ୍ତ୍ରୀମଣ୍ଡଳ ମଧ୍ୟ ଇସ୍ତଫା ଦେଇନି। ଏଣୁ ମମତା ରାଜ୍ୟ ରାଜନୈତିକ ଇତିହାସରେ ଏକ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି। ସେ କହିଛନ୍ତି ଯେ ପଶ୍ଚିମବଙ୍ଗ ଇତିହାସରେ ତାଙ୍କ ଦଳର ପରାଜୟ ଦିନ ଏକ କଳା ଦିନ ହୋଇ ରହିବ। ସେ ତାଙ୍କ ଦଳର ପରାଜୟ ପାଇଁ ନିର୍ବାଚନ କମିସନଙ୍କୁ ଦୋଷୀ କରିଛନ୍ତି। ନିର୍ବାଚନ କମିସନଙ୍କ ଷଡ଼ଯନ୍ତ୍ରରେ ତାଙ୍କ ଦଳର ପରାୟଜ ହୋଇଥିବା ସେ କହିଛନ୍ତି।

Also Read..ପରାଜୟ ସ୍ୱୀକାର କରିବାକୁ ମନା କରିଥିଲେ, ଏବେ ମମତା ଚୁପଚାପ ବଦଳାଇ ଦେଇଛନ୍ତି ନିଜର X ବାୟୋ