କୋଲକାତା: ତୃଣମୂଳ କଂଗ୍ରେସ (TMC) ର ସାଧାରଣ ସମ୍ପାଦକ ତଥା ଲୋକସଭା ସାଂସଦ ଅଭିଷେକ ବାନାର୍ଜୀଙ୍କୁ ନେଇ ପଶ୍ଚିମବଙ୍ଗ ରାଜନୀତିରେ ଚର୍ଚ୍ଚା । କୋଲକାତା ନଗର ନିଗମ (KMC) ସୋମବାର ଦିନ ଅଭିଷେକ ବାନାର୍ଜୀଙ୍କୁ ତାଙ୍କର ୧୭ଟି ସମ୍ପତ୍ତି ସହ ଜଡ଼ିତ ନୋଟିସର ଜବାବ ରଖିବା ପାଇଁ ଆହୁରି ୧୦ ଦିନର ଅତିରିକ୍ତ ସମୟ ପ୍ରଦାନ କରିଛି। ଅପରପକ୍ଷରେ, ସୋମବାର ଦିନ କୋଲକାତା ପୋଲିସର ଏକ ଟିମ୍ ହଠାତ୍ ତାଙ୍କ ବାସଭବନରେ ପହଞ୍ଚିବା ପରେ ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ, ଅଭିଷେକ ବାନାର୍ଜୀ ହେଉଛନ୍ତି ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା।

ନୋଟିସର କାରଣ

କିଛି ଦିନ ପୂର୍ବରୁ କୋଲକାତା ନଗର ନିଗମ (KMC) ପକ୍ଷରୁ ଅଭିଷେକ ବାନାର୍ଜୀଙ୍କୁ ନୋଟିସ୍ ଜାରି କରାଯାଇଥିଲା। ନିଗମର ଅଧିକାରୀମାନେ ଦକ୍ଷିଣ କୋଲକାତାର ଭବାନୀପୁର ସ୍ଥିତ ହରିଶ ମୁଖାର୍ଜୀ ରୋଡ୍ରେ ଥିବା ତାଙ୍କ ବାସଭବନର କାନ୍ଥରେ ମଧ୍ୟ ଏହି ନୋଟିସ୍ ଲଗାଇଥିଲେ। ଅଭିଷେକ ବାନାର୍ଜୀଙ୍କ ବାସଭବନ କିମ୍ବା ସମ୍ପତ୍ତିରେ ଯେଉଁ ଅତିରିକ୍ତ ନିର୍ମାଣ କରାଯାଇଛି, ସେଥିପାଇଁ ପୌରପାଳିକା ବା ନଗର ନିଗମରୁ ଉପଯୁକ୍ତ ଅନୁମତି ନିଆଯାଇଛି କି ନାହିଁ, ସେ ନେଇ ନୋଟିସରେ ପ୍ରଶ୍ନ କରାଯାଇଥିଲା।

ଏହି ନୋଟିସର ଉତ୍ତର ଦେବାର ଶେଷ ସମୟ ସୀମା ସୋମବାର ମଧ୍ୟରାତ୍ରି ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ରବିବାର ଦିନ ଅଭିଷେକ ବାନାର୍ଜୀଙ୍କ ଓକିଲ କେଏମସିକୁ ଏକ ପତ୍ର ଲେଖି ଜବାବ ଦାଖଲ ପାଇଁ ଅଧିକ ସମୟ ମାଗିଥିଲେ। ଏହାକୁ ବିଚାର କରି ନିଗମ ଅଧିକାରୀମାନେ ତାଙ୍କୁ ୧୦ ଦିନର ଅଧିକ ସମୟ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଅଭିଷେକଙ୍କ ବାସଭବନ ‘ଶାନ୍ତିନିକେତନ’ରେ ପୋଲିସ

ସୋମବାର ମଧ୍ୟାହ୍ନରେ ଦକ୍ଷିଣ କୋଲକାତାର ୧୮୮ଏ, ହରିଶ ମୁଖାର୍ଜୀ ରୋଡ୍ ସ୍ଥିତ ଡାଇମଣ୍ଡ ହାର୍ବର ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭବନ ‘ଶାନ୍ତିନିକେତନ’ରେ କୋଲକାତା ପୋଲିସର ଏକ ଦଳ ପହଞ୍ଚିଥିଲେ। ତେବେ ପୋଲିସର ଏହି ଗସ୍ତକୁ ନେଇ ପ୍ରଶାସନିକ କିମ୍ବା ରାଜନୈତିକ ସ୍ତରରେ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ।

ପୋଲିସ ଟିମରେ ଉଭୟ ୟୁନିଫର୍ମ ପିନ୍ଧା ଏବଂ ସାଦା ପୋଷାକଧାରୀ ଅଧିକାରୀ ସାମିଲ ଥିଲେ। ସେମାନେ କିଛି ସମୟ ଘର ଭିତରେ ରହିବା ପରେ ବାହାରକୁ ଆସିବା ବେଳେ ସାଙ୍ଗରେ ଏକ କମ୍ପ୍ୟୁଟର ମନିଟର ଧରି ବାହାରୁଥିବାର ଦେଖାଯାଇଥିଲା। ପରେ ସେହି ମନିଟରକୁ "କୋଲକାତା ପୋଲିସ" ଷ୍ଟିକର ଲାଗିଥିବା ଏକ ଧଳା ରଙ୍ଗର ଗାଡ଼ିରେ ରଖାଯାଇଥିଲା। ପୋଲିସ ଟିମ୍ ଚାଲିଯିବା ପରେ ଉକ୍ତ ବାସଭବନର ଗ୍ୟାରେଜ୍ରୁ ଏକ କାର୍ ବାହାରିଥିଲା। ସୂତ୍ର ଅନୁସାରେ, ସେହି କାର୍ ଏବଂ ‘ଶାନ୍ତିନିକେତନ’ ବାସଭବନଟି ବାନାର୍ଜୀ ପରିବାରର କିଛି ସଦସ୍ୟଙ୍କ ଏକ କମ୍ପାନୀ ନାମରେ ନଗର ନିଗମରେ ପଞ୍ଜିକୃତ ହୋଇ ରହିଛି।