ରାହୁଲ, ଇଶାନ ଓ ବାକି ଖେଳାଳିଙ୍କ ପାଖରେ ବିଶ୍ଵକପ୍ ଖେଳିବାର ସୁଯୋଗ, ଜାଣନ୍ତୁ କେମିତି

Published By : Prameya-News7 Bureau | May 01, 2024 IST

Aajtak

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଏପ୍ରିଲ ୩୦ରେ ୧୫ ଜଣିଆ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରି ସାରିଛି। ଦଳରେ ଅନେକ ଚକିତ କରି ଦେବା ପରି ଖେଳାଳିଙ୍କୁ ସ୍ଥାନ ମିଳିଛି। ଏହା ସହିତ ଏମିତି କିଛି ଖେଳାଳିଙ୍କୁ ବାଦ୍ ଦିଆଯାଇଛି ଯାହାକୁ ନେଇ କିଛି କ୍ରିକେଟ୍ ବିଶେଷଜ୍ଞ ପ୍ରଶ୍ନ ଉଠାଇଛନ୍ତି। ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଅଧିନାୟକ ଦାୟିତ୍ଵ ସମ୍ଭାଳୁଥିବା ଓ୍ଵିକେଟ୍ କିପର ବ୍ୟାଟର କେଏଲ ରାହୁଲ ଓ ମୁମ୍ବାଇ ଇଣ୍ଡିଆନ୍ସର ଓ୍ଵିକେଟ୍ କିପର ଓପନର ଇଶାନ କିଶନଙ୍କୁ ସ୍ଥାନ ମିଳିନି।

Also read: ଫାଷ୍ଟ ବୋଲର ମୟଙ୍କ ଯାଦବଙ୍କୁ BCCI ଦେଇପାରେ କନଟ୍ରାକ୍ଟ, ବଳକା IPL ମ୍ୟାଚ୍ ଖେଳିବା ମୁସ୍କିଲ୍

ଏହା ବ୍ୟତୀତ ମୟଙ୍କ ଯାଦବ, ଋତୁରାଜ ଗାଏକ୍ଵାଡ଼ଙ୍କ ପରି ଅନେକ ଖେଳାଳିଙ୍କୁ ବିଶ୍ଵକପ୍ ଦଳରେ ସୁଯୋଗ ଦିଆଯାଇନି। ମାତ୍ର ଏସବୁ ଖେଳାଳିଙ୍କୁ ନିରାଶ ହେବା ଉଚିତ୍ ନୁହେଁ। ସେମାନଙ୍କ ପାଖରେ ଏବେ ବି ବିଶ୍ଵକପ୍ ଦଳରେ ସାମିଲ ହେବାର ସୁଯୋଗ ରହିଛି। 

ଉଲ୍ଲେଖନୀୟ ଆଇସିସି ବିଶ୍ଵକପ୍ ଦଳ ଘୋଷଣା ପାଇଁ ସବୁ ଅଂଶଗ୍ରହଣକାରୀ ଦେଶକୁ ମେ ୧ ତାରିଖ ପର୍ଯ୍ୟନ୍ତ ସମୟ ଦେଇଥିଲା। ଏହା ସହିତ ଆଇସିସି ଏକ ସୁବିଧା ପ୍ରଦାନ କରିଛି। ଯେଉଁ ଆଧାରରେ ଦଳଗୁଡ଼ିକୁ ମେ ୨୫ ତାରିଖ ସୁଦ୍ଧା ନିଜ ଦଳରେ ପରିବର୍ତ୍ତନ କରିବାର ଅନୁମତି ଦେଇଛି।

ଅର୍ଥାତ ଯଦି କୌଣସି ଦେଶ ନିଜ ଦଳରେ ପରିବର୍ତ୍ତନ କରିବାକୁ ଚାହାନ୍ତି   ତେବେ ସେମାନଙ୍କ ପାଖରେ ଲମ୍ବା ସମୟ ଅଛି।   ଆଇପିଏଲ୍‌ର ଫାଇନାଲ୍ ମ୍ୟାଚ୍ ମେ ୨୬ ତାରିଖ ଖେଳାଯିବ। ତେଣୁ ବିସିସିଆଇ ପାଖରେ ଦଳରେ ପରିବର୍ତ୍ତନ ପାଇଁ ପର୍ଯ୍ୟାପ୍ତ  ସମୟ ରହିଛି। ଅନ୍ୟପଟେ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ରେ ଚମତ୍କାର ପ୍ରଦର୍ଶନ କରି ଚୟନକର୍ତ୍ତାଙ୍କୁ ଆକର୍ଷିତ କରିବାର ସୁଯୋଗ ରହିଛି। ଯଦି କୌଣସି ଖେଳାଳି ଅସାଧାରଣ ପ୍ରଦର୍ଶନ କରନ୍ତି ତେବେ ବିସିସିଆଇ ଉକ୍ତ ଖେଳାଳିଙ୍କୁ ଦଳରେ ସାମିଲ କରିବା ବିଷୟରେ ଚିନ୍ତା କରି ପାରନ୍ତି।

କିନ୍ତୁ ମେ ୨୫ ତାରିଖ ପରେ କୌଣସି ପରିବର୍ତ୍ତନ ପାଇଁ ଆଇସିସିର ବୈଷେୟିକ କମିଟିର ଅନୁମତି ଜରୁରୀ। ଆଉ ଖେଳାଳି ପରିବର୍ତ୍ତନ ପାଇଁ ଉଚିତ କାରଣ ଦର୍ଶାଇବାକୁ ପଡ଼ିବ। 

ଟି-୨୦ ବିଶ୍ଵକପ୍ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା(ଉପ ଅଧିନାୟକ),  ରବୀନ୍ଦ୍ର ଜାଡ଼େଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ମହମ୍ମଦ ସିରାଜ।  

ରିଜର୍ଭ ଖେଳାଳି- ଶୁଭମନ ଗିଲ୍, ରିଙ୍କୁ ସିଂ, ଖଲିଲ ଅହମ୍ମଦ ଓ ଅଭେଶ ଖାନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.