ଅହମ୍ମଦାବାଦ ୨୧।୦୫: ଆଇପିଏଲ୍ ୨୦୨୪ । ଗୁରୁବାର ଖେଳାଯିବ ଆଇପିଏଲ୍ର ଏଲିମିନେଟର ମୁକାବିଲା । ସାମ୍ନା ସାମ୍ନି ହେବେ ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଏହି ମ୍ୟାଚ୍ର ବିଜେତା ଦ୍ୱିତୀୟ କ୍ୱାଲିଫାୟରକୁ ଖେଳିବ । ପରାଜିତ ଦଳ ପାଇଁ ଆଉ ଦ୍ୱିତୀୟ ସୁଯୋଗ ନଥିବାରୁ ଉଭୟ ଦଳ ବିଜୟ ପାଇଁ ଲଗାଇବେ ଶକ୍ତି । ଫଳରେ ମ୍ୟାଚ୍ଟି ବେଶ୍ ସଂଘର୍ଷପୂର୍ଣ୍ଣ ହେବ ।
ଗତ ଏପ୍ରିଲ ୬ ତାରିଖରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ରାଜସ୍ଥାନ ରୟାଲ୍ସ ୬ୱିକେଟ୍ରେ ସେହି ମ୍ୟାଚ୍ ଜିତିଥିଲା । ଏହି ମ୍ୟାଚ୍ ଅନେକ ସ୍ମରଣୀୟ ଫର୍ଦ୍ଦ ଯୋଡିଥିଲା । ବିରାଟ କୋହଲିଙ୍କ ଶତକ ବଳରେ ରୟାଲ୍ ଚ୍ୟାଲେଞ୍ଜର୍ସ ୩/୧୮୩ ରନ୍ ସଂଗ୍ରହ କରିଥିଲା । ଜବାବରେ ଜୋସ ବଟଲର ଶତକୀୟ ପାଳି ଖେଳି ରୟାଲ୍ ଚ୍ୟାଲେଞ୍ଜର୍ସ ଠାରୁ ବିଜୟ ଛଡ଼ାଇ ଆଣିଥିଲେ । ୫ଟି ବଲ୍ ବାକି ଥାଇ ଦଳ ବିଜୟ ହାସଲ କରିଥିଲା । ଏଥର ରୟାଲ ଚ୍ୟାଲେଞ୍ଜର୍ସ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ପୂର୍ବ ରେକର୍ଡ ରୟାଲ୍ ଚ୍ୟାଲେଞ୍ଜର୍ସ ପକ୍ଷରେ ରହିଛି । ଉଭୟ ଦଳ ପରସ୍ପରକୁ ୩୧ ଥର ଭେଟିଛନ୍ତି । ଏଥିରୁ ରୟାଲ୍ ଚ୍ୟାଲେଞ୍ଜର୍ସ ୧୫ଟି ମ୍ୟାଚ୍ ଜିତିଛି ଓ ରାଜସ୍ଥାନ ରୟାଲ୍ସ ୧୩ଟି ମ୍ୟାଚ୍ରେ ବିଜୟୀ ହୋଇଛି । ବର୍ତ୍ତମାନ ମଧ୍ୟ ରୟାଲ୍ ଚ୍ୟାଲେଞ୍ଜର୍ସ ଚମତ୍କାର ଫର୍ମରେ ରହିଛି । ଭାଗ୍ୟ ଦଳର ସାଥ୍ ଦେଉଛି ।
ତେବେ ପ୍ରଥମ ୮ଟି ମ୍ୟାଚ୍ ମଧ୍ୟରୁ ରୟାଲ୍ ଚ୍ୟାଲେଞ୍ଜର୍ସ ୭ଟିରେ ପରାଜିତ ହୋଇଥିଲା । ଏହାପରେ ଦଳ କ୍ରମାନ୍ୱୟରେ ୬ଟି ମ୍ୟାଚ୍ ଜିତି ପ୍ଲେ-ଅଫ୍ରେ ପ୍ରବେଶ କରିଥିଲା । ବର୍ତ୍ତମାନ ଦଳର ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । ବିରାଟ କୋହଲି ୧୪ଟି ମ୍ୟାଚ୍ରୁ ୭୦୮ ରନ୍ ସଂଗ୍ରହ କରିସାରିଛନ୍ତି । ଡୁ ପ୍ଲେସି, ରଜତ ପାତିଦାର, କାମରେନ ଗ୍ରୀନ, ଦିନେଶ କାର୍ତ୍ତିକ ପ୍ରମୁଖ ବିସ୍ଫୋରକ ବ୍ୟାଟିଂ ଜାରି ରଖିଛନ୍ତି । ବିଶେଷ କରି ବୋଲିଂ ବିଭାଗ ଫର୍ମକୁ ଫେରିଥିବାରୁ ରୟାଲ୍ ଚ୍ୟାଲେଞ୍ଜର୍ସ ଶକ୍ତି ବୃଦ୍ଧି ପାଇଛି । ରାଜସ୍ଥାନ ରୟାଲ୍ସର ପ୍ରଦର୍ଶନ ସମ୍ପୂର୍ଣ୍ଣ ଓଲଟା । ପ୍ରଥମ ୯ଟି ମ୍ୟାଚ୍ରୁ ରାଜସ୍ଥାନ ରୟାଲ୍ସ ୮ଟି ମ୍ୟାଚ୍ ଜିତି ୧୬ ପଏଣ୍ଟ ହାସଲ କରିଥିଲା । ମାତ୍ର ଏହାପରେ ଦଳ କ୍ରମାନ୍ୱୟରେ ୪ଟି ମ୍ୟାଚ୍ ପରାଜିତ ହୋଇଥିଲା ଓ ଅନ୍ତିମ ଲିଗ୍ ମ୍ୟାଚ୍ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା । ଦଳକୁ ୧୭ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା । ବୁଧବାର ଶେଷ ସୁଯୋଗ ରହିଥିବାରୁ ଦଳ ବିଜୟକୁ ଫେରିବା ଜରୁରି । ବଟଲରଙ୍କ ଅନୁପସ୍ଥିତି ଦଳକୁ ପ୍ରଭାବିତ କରିବା ନିଶ୍ଚିତ । ମାତ୍ର ଯୁବ ଓପନର ଯଶସ୍ୱୀ ଜୈସ୍ୱାଲଙ୍କ ଉପରେ ଦଳର ଭାଗ୍ୟ ନିର୍ଭର କରିବ ।
ସମ୍ଭାବ୍ୟ ଏକାଦଶ
ରାଜସ୍ଥାନ ରୟାଲ୍ସ : ଯଶସ୍ୱୀ ଜୈସ୍ୱାଲ୍, ଟମ କୋହଲର-କ୍ୟାଡମୋର, ସଞ୍ଜୁ ସାମସନ(ଅଧିନାୟକ), ରିୟାନ ପରାଗ, ଧ୍ରୁବ ଜୁରେଲ, ସିମରନ ହେତମାୟର, ଆର ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ଅଭେଶ ଖାନ, ସନ୍ଦିପ ଶର୍ମା, ୟୁଝବେନ୍ଦ୍ର ଚହଲ । (ଇମ୍ପାକ୍ଟ ପ୍ଲେୟାର: ରୋଭମାନ ପାୱେଲ)
ସମ୍ଭାବ୍ୟ
ରୟାଲ୍ ଚ୍ୟାଲେଞ୍ଜର୍ସ: ବିରାଟ କୋହଲି, ଫାଫ ଡୁ ପ୍ଲେସି(ଅଧିନାୟକ), ରଜତ ପାତିଦାର, କାମେରନ ଗ୍ରୀନ, ଗ୍ଲେନ ମ୍ୟାକ୍ସୱେଲ୍, ଦିନେଶ କାର୍ତ୍ତିକ, ମହିପାଲ୍ ଲୋମରର, ସ୍ୱପ୍ନିଲ ସିଂହ, କରଣ ଶର୍ମା, ଲୋକି ଫର୍ଗୁସନ, ୟଶ ଦୟାଲ । (ଇମ୍ପାକ୍ଟ ପ୍ଲେୟାର: ମହମ୍ମଦ ସିରାଜ) ।