ଅହମ୍ମଦାବାଦ: ଆଇପିଏଲ୍ ୨୦୨୪ର ପ୍ରଥମ କ୍ଵାଲିଫାୟରରେ ମୁହାଁମୁହିଁ ହୋଇଛନ୍ତି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସନରାଇଜର୍ସ ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲେ ସୁଦ୍ଧା ୧୯.୩ ଓଭରରେ ୧୫୯ ରନର ସମ୍ମାନଜନକ ସ୍କୋର କରି ପାରିଛି। ରାହୁଲ ତ୍ରିପାଠୀ ୫୫ ରନର ଇନିଂସ ଖେଳିଥିବା ହେନରିକ କ୍ଲାସେନ ୩୨ ରନ ଓ ପାଟ୍ କମିନ୍ସଙ୍କ ଗୁରୁତ୍ଵପୂର୍ଣ୍ଣ ୩୦ ରନ ବଦଳରେ ହାଇଦ୍ରାବାଦ ଏହି ସ୍କୋରରେ ପହଞ୍ଚି ପାରିଛି। ପ୍ରଥମ କ୍ଵାଲିଫାୟର ମ୍ୟାଚ୍ ଜିତି ଫାଇନାଲ୍ରେ ପହଞ୍ଚିବା ପାଇଁ କୋଲକାତା ସାମ୍ନାରେ ୧୬୦ ରନର ବିଜୟ ଲକ୍ଷ୍ୟ ରହିଛି। ବୋଲିଂରେ କୋଲକାତା ପକ୍ଷରୁ ମିଚେଲ୍ ଷ୍ଟାର୍କ ୩ ଓ୍ଵିକେଟ୍ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ୨ ଓ୍ଵିକେଟ୍ ନେଇଛନ୍ତି।
Also read: ଟି-୨୦ ବିଶ୍ୱକପ୍ରେ ୪ ସ୍ପିନର ଦରକାର ନଥିଲା, ରିଙ୍କୁଙ୍କୁ ସମସ୍ତେ ମିସ୍ କରିବେ- ହରଭଜନ ସିଂହ
ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ପ୍ରଥମ ଓଭରରେ ଝଟକା ଲାଗିଥିଲା। ପୁଣି ଥରେ ଟ୍ରେଭିସ୍ ହେଡ୍ ଖାତା ଖୋଲି ପାରି ନ ଥିଲେ। ୧୩ ରନ ସ୍କୋରରେ ଅଭିଷେକ ଶର୍ମା(୩) ଆଉଟ୍ ହୋଇଥିଲେ। ପୁଣି ନୀତିଶ ରେଡ୍ଡୀ(୯) ମଧ୍ୟ ନିରାଶ କରିଥିଲେ। ଶାହବାଜ ଅହମ୍ମଦ ଗୋଲ୍ଡେନ ଡକର ଶିକାର ହୋଇଥିଲେ। ୩୯ ରନରେ ୪ ଓ୍ଵିକେଟ୍ ହରାଇବା ପରେ ମୁସ୍କିଲରେ ଥିବା ହାଇଦ୍ରାବାଦକୁ ସମ୍ଭାଳିଥିଲେ ରାହୁଲ ତ୍ରିପାଠୀ ଓ ହେନରିକ କ୍ଲାସେନ। ଉଭୟ ପ୍ରଥମେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ସେଟ୍ ହେବା ପରେ ଦ୍ରୁତ ବ୍ୟାଟିଂ କରିଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍ ପାଇଁ ୬୨ ରନ ଯୋଡ଼ିଥିଲେ। କ୍ଲାସେନ ୩୨ ରନର ଉପଯୋଗୀ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ପୁଣି ଥରେ ହାଇଦ୍ରାବାଦକୁ ବ୍ୟାକଫୁଟ୍କୁ ଠେଲିଥିଲେ କୋଲକାତା ବୋଲର। ଅବଦୁଲ ସାମଦ(୧୬) ଓ ସନବୀର ସିଂ(୦) ପାଭିଲିୟନ ଫେରିଥିଲେ। ତେବେ ନିମ୍ନକ୍ରମରେ ପାଟ୍ କମିନ୍ସ ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ସେ ୩୦ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିବାରୁ ୧୫୯ ରନ କରି ପାରିଛି ହାଇଦ୍ରାବାଦ।