ବ୍ୟାଟିଂ-ବୋଲିଂରେ କମାଲ, ଚତୁର୍ଥ ଥର ଫାଇନାଲ୍‌ରେ କୋଲକାତା ନାଇଟ୍ ରାଇଡର୍ସ

Published By : Prameya-News7 Bureau | May 21, 2024 IST

aajtak

ଅହମ୍ମଦାବାଦ: ବୋଲରଙ୍କ ଚତ୍ମକାର ପ୍ରଦର୍ଶନ ପରେ ଅଧିନାୟକ ଶ୍ରେୟସ ଆୟର ଓ ଭେଙ୍କଟେଶ ଆୟରଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମ କ୍ଵାଲିଫାୟର ମ୍ୟାଚ୍‌ରେ କୋଲକାତା ନାଇଟ୍ ରାଇଡର୍ସ ୮ ଓ୍ଵିକେଟ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି।ଏଥିସହ ପ୍ରଥମ ଦଳ ଭାବେ ଆଇପିଏଲ୍‌ ୨୦୨୪ର ଫାଇନାଲ୍‌ରେ ପ୍ରବେଶ କରିଛି କୋଲକାତା। ଏହାକୁ ମିଶାଇ ମୋଟ୍ ଚତୁର୍ଥ ଥର ଫାଇନାଲ୍‌ ଖେଳିବାକୁ ଯାଉଛି କୋଲକାତା। ହାଇଦ୍ରାବାଦ ଦ୍ଵାରା ଧାର୍ଯ୍ୟ ୧୬୦ ରନର ବିଜୟ ଲକ୍ଷ୍ୟକୁ କୋଲକାତା ୨ ଓ୍ଵିକେଟ୍ ହରାଇ ୧୩.୪ ଓଭରରେ ହାସଲ କରି ନେଇଛି। ଶ୍ରେୟସ ଆୟର ୨୪ ବଲରୁ ୫୮ ରନ ଓ ଭେଙ୍କଟେଶ ୨୮ ବଲ୍‌ରୁ ୫୧ ରନର ଧୂଆଁଧାର ଇନିଂସ ଖେଳି ଦଳକୁ ସହଜ ବିଜୟ ଦେଇଛନ୍ତି। ଆଜି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ବ୍ୟାଟିଂ ବିପର୍ଯ୍ୟ ସତ୍ତ୍ଵେ ୧୫୯ ରନ କରିଥିଲା। ଦଳ ପକ୍ଷରୁ ରାହୁଲ ତ୍ରିପାଠୀ ୫୫ ରନ କରିଥିଲେ। ଅନ୍ୟପଟେ ପରାଜୟ ସତ୍ତ୍ଵେ ଫାଇନାଲ୍‌ରେ ପହଞ୍ଚିବା ପାଇଁ ହାଇଦ୍ରାବାଦ ନିକଟରେ ଆଉ ଗୋଟିଏ ସୁଯୋଗ ରହିଛି। ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହେବାକୁ ଥିବା ଏଲିମିନେଟର ବିଜେତାକୁ ଦ୍ଵିତୀୟ କ୍ଵାଲିଫାୟରରେ ଭେଟିବ ହାଇଦ୍ରାବାଦ। 

Also read: ମାଆଙ୍କ ସମାଧୀ ସ୍ଥଳରେ ପହଞ୍ଚିଲେ ଷ୍ଟାର କ୍ରିକେଟର, ସେୟାର କଲେ ଇମୋସନାଲ ଫଟୋ

୧୬୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା କୋଲକାତା ନାଇଟ୍ ରାଇଡର୍ସକୁ ଦୁଇ ଓପନର ରହମନତୁଲ୍ଲା ଓ ସୁନୀଲ ନାରାୟଣ ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ଓ୍ଵିକେଟ୍ ପାଇଁ ୪୪ ରନ ଯୋଡ଼ିଥିଲେ। ରହମନତୁଲ୍ଲା ୨୩ ରନ ଓ ସୁନୀଲ ନାରାୟଣ ୨୧ ରନ କରି ଆଉଟ୍ ହୋଇଥିଲେ। ଆଶା କରାଯାଉଥିଲା ମ୍ୟାଚ୍ ରୋମାଞ୍ଚକର ହେବ। ତେବେ ଭେଙ୍କଟେଶ ଆୟର ଓ ଶ୍ରେୟସ ଆୟର ଦମଦାର ବ୍ୟାଟିଂ କରିଥିଲେ। ଉଭୟ ବିସ୍ଫୋରକ ବ୍ୟାଟିଂ କରି ହାଇଦ୍ରାବାଦ ବୋଲରଙ୍କୁ କୌଣସି ସୁଯୋଗ ଦେଇ ନ ଥିଲେ। ଉଭୟ ଅବିଭାଜିତ  ତୃତୀୟ ଓ୍ଵିକେଟ୍ ପାଇଁ ୯୭ ରନ ଯୋଡ଼ି ଦଳକୁ ୩୮ ବଲ୍ ପୂର୍ବରୁ ଜିତାଇଛନ୍ତି। ଭେଙ୍କଟେଶ ୨୮ ବଲ୍‌ରୁ ୫ ଚୌକା ଓ ୪ ଛକା ସହ ୫୧ ରନ କରିଥିବା ବେଳେ ଶ୍ରେୟସ ଆୟର ୨୪ ବଲରୁ ୫ ଚୌକା ଓ ୪ ଛକା ସହ ୫୮ ରନ କରି ଅପରାଜିତ ଥିଲେ। 

ହାଇଦ୍ରାବାଦ ଇନିଂସ

ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ପ୍ରଥମ ଓଭରରେ ଝଟକା ଲାଗିଥିଲା। ପୁଣି ଥରେ ଟ୍ରେଭିସ୍ ହେଡ୍ ଖାତା ଖୋଲି ପାରି ନ ଥିଲେ। ୧୩ ରନ ସ୍କୋରରେ ଅଭିଷେକ ଶର୍ମା(୩) ଆଉଟ୍  ହୋଇଥିଲେ। ପୁଣି ନୀତିଶ ରେଡ୍ଡୀ(୯) ମଧ୍ୟ ନିରାଶ କରିଥିଲେ। ଶାହବାଜ ଅହମ୍ମଦ ଗୋଲ୍ଡେନ ଡକର ଶିକାର  ହୋଇଥିଲେ। ୩୯ ରନରେ ୪ ଓ୍ଵିକେଟ୍ ହରାଇବା ପରେ ମୁସ୍କିଲରେ ଥିବା ହାଇଦ୍ରାବାଦକୁ ସମ୍ଭାଳିଥିଲେ ରାହୁଲ ତ୍ରିପାଠୀ ଓ ହେନରିକ କ୍ଲାସେନ। ଉଭୟ ପ୍ରଥମେ ଧୈର୍ଯ୍ୟର ସହ ବ୍ୟାଟିଂ କରିଥିଲେ। ସେଟ୍ ହେବା ପରେ ଦ୍ରୁତ ବ୍ୟାଟିଂ କରିଥିଲେ। ଉଭୟ ପଞ୍ଚମ ଓ୍ଵିକେଟ୍ ପାଇଁ ୬୨ ରନ ଯୋଡ଼ିଥିଲେ। କ୍ଲାସେନ ୩୨ ରନର ଉପଯୋଗୀ ଇନିଂସ ଖେଳି ଆଉଟ୍ ହୋଇଥିଲେ। ଏହା ପରେ ପୁଣି ଥରେ ହାଇଦ୍ରାବାଦକୁ ବ୍ୟାକଫୁଟ୍‌କୁ ଠେଲିଥିଲେ କୋଲକାତା ବୋଲର। ଅବଦୁଲ ସାମଦ(୧୬) ଓ ସନବୀର ସିଂ(୦) ପାଭିଲିୟନ ଫେରିଥିଲେ।  ତେବେ ନିମ୍ନକ୍ରମରେ ପାଟ୍ କମିନ୍ସ ଅଧିନାୟକତ୍ଵ ଇନିଂସ ଖେଳିଥିଲେ। ସେ ୩୦ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିବାରୁ ୧୫୯ ରନ କରି ପାରିଛି ହାଇଦ୍ରାବାଦ। ବୋଲିଂରେ ମିଚେଲ୍ ଷ୍ଟାର୍କ ୩ଟି ଓ ବରୁଣ ଚକ୍ରବର୍ତ୍ତୀ ୨ଟି ଓ୍ଵିକେଟ୍ ନେଇଛନ୍ତି। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.