ଭଦୋଦରାନୂଆ ବର୍ଷରେ ବିଜୟରୁ ଯାତ୍ରା ଆରମ୍ଭ କଲା ଟିମ୍ ଇଣ୍ଡିଆ। ଛକା ମାରି ମ୍ୟାଚ୍ ଜିତାଇଲେ କେଏଲ୍ ରାହୁଲ। ରବିବାର ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଖେଳାଯାଉଥିବା ନିୟୁଜିଲାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚରେ ଭାରତ ୪ ୱିକେଟରେ ବିଜୀୟ ହୋଇଛି। ୪୯ ଓଭରର ଶେଷ ବଲ୍‌ରେ କେଏଲ୍ ରାହୁଲ ଛକ୍କା ମାରି ମ୍ୟାଚ୍ ଜିତାଇଛନ୍ତି।

ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୦୦ ରନ୍ କରିଥିଲା। ଜବାବରେ ଭାରତ ହାତରେ ୪ ୱିକେଟ୍ ଥାଇ ୪୯ ଓଭରରେ ୩୦୬ ରନ୍ କରି ମ୍ୟାଚ୍ ଜିତି ନେଇଛି। ଏହି ବିଜୟ ସହିତ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଭାରତ ୦-୧ରେ ଆଗୁଆ ରହିଛି। ଭାରତୀୟ ଦଳ ପକ୍ଷରୁ କୋହଲି ୯୩ ରନ, ଗିଲ ୫୬ ରନ ଏବଂ ଶ୍ରେୟସ ଆୟର ୪୯ ରନ କରି ଦଳକୁ ବିଜୟ ଲକ୍ଷ୍ୟ ହାସଲ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।​​​​​​​

ନ୍ୟୁଜିଲାଣ୍ଡର ୩୦୧ ରନ ଟାର୍ଗେଟ୍‌କୁ ପିଛା କରୁଥିବା ଟିମ୍ ଇଣ୍ଡିଆ ଦୃଢ଼ ବ୍ୟାଟିଂ ଆରମ୍ଭ କରିଥିଲା। ରୋହିତ ଏବଂ ଗିଲ ଭଲ ଆରମ୍ଭ ଦେଇଥିଲେ। ରୋହିତ ଭଲ ଫର୍ମରେ ଦେଖାଯାଉଥିଲେ, କିନ୍ତୁ ୯ ଓଭରରେ ଦଳୀୟ ସ୍କୋର ୩୯ ବେଳେ ରୋହିତ ଶର୍ମାଙ୍କ ୱିକେଟ୍ ଯାଇଥିଲା। ରୋହିତ ୨୬ ରନ କରି ପାଭିଲିଅନ ଫେରିଥିଲେ। ଯେଉଁଥିରେ ସେ ଦୁଇଟି ଚମତ୍କାର ଛକା ଏବଂ ତିନୋଟି ଚୌକା ମାରିଥିଲେ।

ଏହାପରେ ବିରାଟ କୋହଲି ଏବଂ ଶୁଭମନ ଗିଲ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଉଭୟଙ୍କ ମଧ୍ୟରେ ଏକ ଶତକୀୟ ଭାଗୀଦାରି ହୋଇଥିଲା। ଆଜିର ମ୍ୟାଚ୍‌ରେ କୋହଲି ମଧ୍ୟ ତାଙ୍କର ୨୮,୦୦୦ ଆନ୍ତର୍ଜାତୀୟ ରନ ପୂରଣ କରିଥିଲେ। ଗିଲ ମଧ୍ୟ ଏକ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ୨୭ ତମ ଓଭରରେ କ୍ୟାପ୍ଟେନ ଗିଲ୍ ଆଉଟ୍ ହୋଇଥିଲେ। ଟିମ୍ ପାଇଁ ସେ ୫୬ ରନର ଯୋଗଦାନ ଦେଇଥିଲେ।

ଏହାପରେ ଶ୍ରେୟସ ଆୟର ଆସି ବିରାଟ କୋହଲିଙ୍କ ସହ ମିଶି ଦଳର ସ୍କୋରକୁ ଆଗକୁ ବଢ଼ାଇଥିଲେ। ଦୁହେଁ ମିଶି ୭୭ ରନର ଭାଗୀଦାରି କରିଥିଲେ। କିନ୍ତୁ କୋହଲି ତାଙ୍କ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ୯୩ ରନ ଆଉଟ୍ ହୋଇଥଲେ। ଫଳରେ ୪୦ତମ ଓଭରରେ ଭାରତ ତୃତୀୟ ୱିକେଟ୍ ହରାଇଥିଲା। କୋହଲି ତାଙ୍କ ଇନିଂସରେ ୮ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ। ତା’ପରେ ବ୍ୟାଟିଂ କରିବାକୁ ଆସିଥିବା ଜାଡେଜା ମାତ୍ର ୪ ରନ୍‌ର ଯୋଗଦାନ ଦେଇ ଖୁବ୍‌ଶୀଘ୍ର ଆଉଟ୍ ଥିଲେ।

ତେବେ ପରବର୍ତ୍ତୀ ଓଭରରେ ଶ୍ରେୟସ ଆୟର ୪୯ ରନ କରି ଆଉଟ ହେବା ପରେ ଭାରତ ଉପରେ ଚାପ ବଢ଼ିଯାଇଥିଲା। ଏହି ସମୟରେ ନ୍ୟୁଜିଲାଣ୍ଡ ପକ୍ଷ ମଜଭୁତ ସ୍ଥିତିକୁ ଫେରି ଆସିଥିଲା। କିନ୍ତୁ ହର୍ଷିତ ରାଣା ଦ୍ରୁତ ଗତିରେ ସ୍କୋର ବୋର୍ଡକୁ ଆଗକୁ ନେବାକୁ ଚେଷ୍ଟା କରି ଚମତ୍କାର ୨୯ ରନର ଇନିଂସ ଖେଳିଥିଲେ। ଫଳରେ ଟିମ୍ ଇଣ୍ଡିଆ ମ୍ୟାଚ୍‌ରେ କମ୍‌ ବ୍ୟାକ୍ କରିଥିଲା।

ହର୍ଷିତଙ୍କ ୱିକେଟ ପଡ଼ିବା ପରେ ଭାରତକୁ ମ୍ୟାଚ୍‌ ଜିତିବାକୁ ୨୨ ବଲରୁ ୨୨ ରନ ଆବଶ୍ୟକ ଥିଲା। କେଏଲ ରାହୁଲ ଏବଂ ଆହତ ୱାଶିଂଟନ ସୁନ୍ଦର ବ୍ୟାଟିଂ କରି ୪୯ ଓଭରରେ ଭାରତକୁ ବିଜୟୀ କରାଇଥିଲେ। ରାହୁଲ ୪୯ ଓଭରର ଶେଷ ବଲ୍‌ରେ ଛକା ମାରି ମ୍ୟାଚ୍ ଜିତାଇଥିଲେ।

ନ୍ୟୁଜିଲାଣ୍ଡ ବୋଲିଂ-

ନ୍ୟୁଜିଲାଣ୍ଡ ପକ୍ଷରୁ ଆଜି କଡ଼ା ଫିଲ୍ଡିଂ ଓ ବୋଲିଂ ଦେଖିବାକୁ ମିଳିଥିଲା। ତଥାପି କେତକ ସ୍ଥାନରେ ମିସ୍ ଫିଲ୍ଡ ଓ କ୍ୟାଚ୍ ମିସ୍ କରିବା ଦଳକୁ ମହଙ୍ଗା ପଡ଼ିଥିଲା। ଦଳ ପକ୍ଷରୁ କାଇଲ୍ ଜାମିସନ୍ ସର୍ବାଧିକ ୪ ୱିକେଟ୍ ନେଇଥିବା ବେଳେ ଆଦିତ୍ୟ ଅଶୋକ ଓ ଖ୍ରୀଷ୍ଟିଆନ୍ କ୍ଲାର୍କ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ। ବାକି ୪ ଜଣ ବୋଲର ୱିକେଟ୍ ହାସଲ କରିବାରେ ବିଫଳ ହୋଇଥିଲେ।

କାହାକୁ ମିଳିଲା ସ୍ଥାନ ?

ଏହି ମ୍ୟାଚ୍‌ରେ ଭାରତ ପକ୍ଷରୁ ଅର୍ଶଦୀପ ସିଂହ, ଧ୍ରୁବ ଜୁରେଲ୍, ନୀତିଶ କୁମାର ରେଡ୍ଡୀ ଏବଂ ଯଶସ୍ୱୀ ଜୟସୱାଲ ସ୍ଥାନ ମିଳିପାରି ନାହିଁ। ସେପଟେ ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ କ୍ରିଶ୍ଚିଆନ କ୍ଲାର୍କ ତାଙ୍କର ଏକଦିବସୀୟ ଡେବ୍ୟୁ କରିଛନ୍ତି। କିୱି ଦଳର ପ୍ଲେଇଂ ଇଲେଭେନରେ ଭାରତୀୟ ବଂଶୋଦ୍ଭବ କ୍ରିକେଟର ଆଦିତ୍ୟ ଅଶୋକଙ୍କୁ ମଧ୍ୟ ସାମିଲ କରାଯାଇଛି।

ଭାରତୀୟ ଦଳ:- ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ୍ ଆୟର୍, କେ.ଏଲ୍ ରାହୁଲ (ୱିକେଟ୍ କିପର), ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ହର୍ଷିତ ରାଣା, କୁଲଦୀପ ଯାଦବ, ପ୍ରସାଦ କୃଷ୍ଣ ଏବଂ ମହମ୍ମଦ ସିରାଜ।

ନ୍ୟୁଜିଲାଣ୍ଡ ଦଳ:- ଡେଭନ୍ କନୱେ, ହେନରୀ ନିକୋଲ୍ସ, ୱିଲ୍ ୟଙ୍ଗ, ଡାରିଲ୍ ମିଚେଲ, ଗ୍ଲେନ୍ ଫିଲିପ୍ସ, ମିଚେଲ ହେ (ୱିକେଟକିପର), ମାଇକେଲ୍ ବ୍ରେସୱେଲ୍ (ଅଧିନାୟକ), ଜକାରି ଫାଉଲକେସ, କ୍ରିଷ୍ଟିଆନ କ୍ଲାର୍କ, କାଇଲ୍ ଜାମିସନ୍ ଏବଂ ଆଦିତ୍ୟ ଅଶୋକ।

ଭାରତ ନ୍ୟୁଜିଲାଣ୍ଡ ଅନ୍ତର୍ଜାତୀୟ ମ୍ୟାଚ୍‌ ଇତିହାସ

ଭାରତ ଏବଂ ନ୍ୟୁଜିଲାଣ୍ଡ ଏପର୍ଯ୍ୟନ୍ତ ୧୨୦ ଟି ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ଭାରତୀୟ ଦଳ ୬୨ ଟି ମ୍ୟାଚ୍ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୫୦ ଟି ମ୍ୟାଚ୍ ଜିତିଛି। ୭ଟି ମ୍ୟାଚ୍ ଡ୍ର ହୋଇଥିବା ବେଳେ ଗୋଟିଏ ଟାଇ ହୋଇଛି। ଇତିହାସ ଦେଖିଲେ ଦୁଇ ଦଳଙ୍କ ମଧ୍ୟରେ ଭାରତ ପକ୍ଷ ମଜଭୁତ ରହିଛି। ନ୍ୟୁଜିଲାଣ୍ଡ ଠାରୁ ୧୨ଟି ମ୍ୟାଚ୍ ଅଧିକ ଜିତିଛି ଦଳ। ସେହିପରି ଘରୋଇ ମାଟିରେ ମଧ୍ୟ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ପକ୍ଷ ମଜଭୁତ ରହିଛି। ଘରୋଇ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ମୋଟ ୪୦ ଟି ମ୍ୟାଚ୍ ଖେଳିଥିବା ବେଳେ ୩୧ଟି ମ୍ୟାଚ୍ ଜିତିଛି। ନ୍ୟୁଜିଲାଣ୍ଡ ଜିତିଛି ମାତ୍ର ୮ଟି ମ୍ୟାଚ୍। 

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ H2H

ମୋଟ ଦିନିକିଆ ମ୍ୟାଚ୍: ୧୨୦
ଭାରତ ବିଜୟ: ୬୨
ନ୍ୟୁଜିଲାଣ୍ଡ ବିଜୟ: ୫୦
ନୋ ରେଜଲ୍ଟ: ୭
ଟାଇ: ୧

ଭାରତ ବନାମ ନ୍ୟୁଜିଲ୍ୟାଣ୍ଡ H2H (ଭାରତରେ)

ମୋଟ ଦିନିକିଆ ମ୍ୟାଚ୍: ୪୦
ଭାରତ ଜିତିଲା: ୩୧
ନ୍ୟୁଜିଲାଣ୍ଡ ଜିତିଲା: ୮
ନୋ ରେଜଲ୍ଟ: ୧

ଦିନିକିଆ ସିରିଜ୍ ପାଇଁ ଭାରତର ଫୁଲ୍‌ ସ୍କାର୍ଡ- ଶୁଭମନ ଗିଲ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, କେ.ଏଲ୍ ରାହୁଲ (ୱିକେଟକିପର), ଶ୍ରେୟସ୍ ଆୟର୍ (ଉପ-ଅଧିନାୟକ), ୱାଶିଂଟନ୍ ସୁନ୍ଦର, ରବିନ୍ଦ୍ର ଜାଡେଜା, ମହମ୍ମଦ ସିରାଜ, ହର୍ଷିତ ରାଣା, ପ୍ରସିଦ୍ଧ କୃଷ୍ଣା, କୁଲଦୀପ ଯାଦବ, ଧ୍ରୁବ ଜୁରେଲ।(ୱିକେଟକିପର) ନୀତୀଶ କୁମାର ରେଡ୍ଡୀ। ଅର୍ଶଦୀପ ସିଂହ ଏବଂ ଜଶସ୍ୱୀ ଜୟସ୍ୱାଲ।

ଦିନିକିଆ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡର ଫୁଲ୍‌ ସ୍କାର୍ଡ- ଡେଭନ୍ କନୱେ (ୱିକେଟର), ୱିଲ୍ ୟଙ୍ଗ, ହେନରୀ ନିକୋଲ୍ସ, ଡାରିଲ୍ ମିଚେଲ୍, ଗ୍ଲେନ୍ ଫିଲିପ୍ସ, ମାଇକେଲ୍ ବ୍ରେସୱେଲ୍ (ଅଧିନାୟକ), ଜାକାରୀ ଫାଉଲକେସ, ନିକ୍ କେଲି, ଜୋଶ୍ କ୍ଲାର୍କସନ୍, ମାଇକେଲ୍ ରାଇ, କାଇଲ୍ ଜେମିସନ୍, ମିଚେଲ୍ ହେ, ଆଦିତ୍ୟ ଅଶୋକ, କ୍ରିଷ୍ଟିଆନ୍ କ୍ଲାର୍କ ଏବଂ ଜାଡେନ୍ ଲେନକ୍ସ।

ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ ସୂଚୀ

ଜାନୁଆରୀ ୧୧: ପ୍ରଥମ ଦିନିକିଆ, ଭଦୋଦରା
ଜାନୁଆରୀ ୧୪: ଦ୍ୱିତୀୟ ଦିନିକିଆ, ରାଜକୋଟ
ଜାନୁଆରୀ ୧୮: ତୃତୀୟ ଦିନିକିଆ, ଇନ୍ଦୋର