ନୂଆଦିଲ୍ଲୀ: ପିଲା ଖେଳୁଥିଲେ, କିନ୍ତୁ ସେମାନଙ୍କୁ ଜଣାନଥିଲା ଏଥିପାଇଁ ତାଙ୍କ ବାପା-ମା ଫସିଯିବେ  । ୫ କୋଟି ଟଙ୍କା କାରରେ ଖେଳିବା ପଡ଼ିଲା ମହଙ୍ଗା । ପିଲାମାନେ କାରରେ ଏମିତି ସ୍କ୍ରାଚ୍‌ କଲେ ଯେ, ମାଲିକଙ୍କୁ ଏବେ ଗଣିବାକୁ ପଡ଼ିବ ୯୫ ଲକ୍ଷ ଟଙ୍କା । ଆଉ ସେଥିପାଇଁ ଗାଡ଼ିର ମାଲିକ ପିଲାମାନଙ୍କ ଅଭିଭାବକଙ୍କୁ କୋର୍ଟଙ୍କୁ ଟାଣିଛନ୍ତି । ଏହି ଘଟଣାଟି ଦକ୍ଷିଣ-ପଶ୍ଚିମ ଚୀନ୍‌ର ୟୁନାନ ପ୍ରଦେଶର 'କୁନମିଙ୍ଗ' ସହରରେ ଘଟିଛି। ଗାଡ଼ିର ମାଲିକ କୌଣସି  କାମରେ ବାହାରକୁ ଯାଇଥିଲେ ଏବଂ ତାଙ୍କର ନାଲି ରଙ୍ଗର ଦାମୀ ଫେରାରୀ ୪୮୮ ଜିଟିବି (Ferrari 488 GTB) କାରଟି ବାହାରେ ପାର୍କିଂ ହୋଇଥିଲା।

ମାଲିକଙ୍କ ଅନୁପସ୍ଥିତିରେ,  ପ୍ରାୟ ୧୦ ବର୍ଷରୁ କମ୍ ବୟସର ୪ ଜଣ ପିଲା ସେହି ସୁପରକାରକୁ ନିଜର ଖେଳପଡ଼ିଆ ବନେଇ ଦେଇଥିଲେ। ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ, ପିଲାମାନେ ଗାଡ଼ିକୁ ବାଡ଼ିରେ ପିଟୁଥିଲେ । ଫଳରେ କାରର କାଚ ସବୁ ଭାଙ୍ଗି ଯାଇଥିବା ବେଳେ, ଏଥିରେ ଅନେକ ଦାଗ ବି ପଡ଼ିଛି ।  ଫେରାରୀ କାରର ଆନୁମାନିକ ମୂଲ୍ୟ ୩.୬ ମିଲିୟନ୍ ୟୁଆନ୍, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୫.୦୪ କୋଟି ଟଙ୍କା। ମାଲିକ ଘରକୁ ଫେରିବା ପରେ ଦେଖିଲେ ଯେ, ଗାଡ଼ିର ବନେଟ୍, ଛାତ , ପଛ ଲାଇଟ୍ ଏବଂ କାଚ ସବୁଠି ସ୍କ୍ରାଚ୍ (ଦାଗ) ପଡ଼ିଯାଇଛି। ଏପରିକି ଗାଡ଼ିର ଆଗ ବମ୍ପର ମଧ୍ୟ ଫାଟିଯାଇଛି।

ରିପୋର୍ଟ ଅନୁସାରେ, ଏହାର ମରାମତି ଖର୍ଚ୍ଚ ପ୍ରାୟ ୯୫ ଲକ୍ଷ ଟଙ୍କା ଆକଳନ କରାଯାଇଛି। ସ୍ଥାନୀୟ ବଜାରର ପାର୍ଟସ୍ ବ୍ୟବହାର କଲେ ମଧ୍ୟ ଏହା ପ୍ରାୟ ୨୭.୯୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଗାଡ଼ିର ମାଲିକ ପ୍ରଥମେ ପୋଲିସର ସହାୟତା ନେଇଥିଲେ ଏବଂ ସମସ୍ୟାର ସମାଧାନ ପାଇଁ ପିଲାମାନଙ୍କ ପିତାମାତାଙ୍କ ସହ ଦୁଇ ଦୁଇ ଥର ଆଲୋଚନା କରିଥିଲେ। କିନ୍ତୁ ପିଲାମାନଙ୍କ ବାପାମାଆ ଏହି ବଡ଼ କ୍ଷୟକ୍ଷତି ପାଇଁ ମାତ୍ର ୫,୦୦୦ ୟୁଆନ୍ (ପ୍ରାୟ ୪.୭୫ ଲକ୍ଷ ଟଙ୍କା) ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହା ସହିତ ସେମାନେ ନିଜ ପିଲାମାନଙ୍କ ଦ୍ୱାରା ଭୁଲ୍ ପାଇଁ କ୍ଷମା ମାଗିବାକୁ ପ୍ରସ୍ତୁତ ନଥିଲେ।

ପିତାମାତାଙ୍କର ଏଭଳି ଦାୟିତ୍ୱହୀନ ମନୋଭାବ ଏବଂ କମ୍ କ୍ଷତିପୂରଣ ରାଶି ଯୋଗୁଁ ଫେରାରୀ ମାଲିକ ଅସନ୍ତୋଷ ପ୍ରକଟ କରିଥିଲେ। ସେ ସମ୍ପୂର୍ଣ୍ଣ ମରାମତି ଖର୍ଚ୍ଚ ଆଦାୟ କରିବା ପାଇଁ ସେମାନଙ୍କ ବିରୋଧରେ ଏକ ସିଭିଲ୍ ମାମଲା ଦାୟର କରି କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ତେବେ ଏହି ଫେରାରୀ କାର ତାର ଶକ୍ତିଶାଳୀ Twin-Turbocharged V8 ଇଞ୍ଜିନ ପାଇଁ ଜଣାଶୁଣା, ଯାହା 661 hp ପାୱାର ସୃଷ୍ଟି କରିଥାଏ। ଅଟୋମୋବାଇଲ୍ ଦୁନିଆରେ ଏହା ଏକ ଅତ୍ୟନ୍ତ ଆଦୃତ ଏବଂ ଆଇକନିକ୍ ମଡେଲ୍।