ବେଙ୍ଗାଲୁରୁ: ସରକାରୀ ବସ୍ ସେବାର ସ୍ଥିତି ଓ ଯାତ୍ରୀମାନଙ୍କ ସୁବିଧା-ଅସୁବିଧା ପରଖିବା ପାଇଁ କର୍ଣ୍ଣାଟକର ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ (Byrathi Suresh) ଶନିବାର ବିଳମ୍ବିତ ରାତିରେ ଏକ ବଡ଼ ପଦକ୍ଷେପ ନେଇଥିଲେ । ସେ କୌଣସି ପୂର୍ବ ସୂଚନା ନଦେଇ, ଜଣେ ସାଧାରଣ ଯାତ୍ରୀଙ୍କ ଭଳି ବେଶ ବଦଳାଇ ବେଙ୍ଗାଲୁରୁ ମହାନଗର ପରିବହନ ନିଗମ ବସରେ ଯାତ୍ରା କରିଥିଲେ ।

ମନ୍ତ୍ରୀ ପ୍ରାୟ ଦୁଇ ଘଣ୍ଟା ଧରି ସାଧାରଣ ଲୋକଙ୍କ ଗହଣରେ ରହି ପ୍ରାୟ ୧୦ରୁ ଅଧିକ ବସରେ ଯାତ୍ରା କରିଥିଲେ। ଏହି ସମୟରେ ଯାତ୍ରୀମାନେ ପ୍ରତିଦିନ ସାମ୍ନା କରୁଥିବା ସମସ୍ୟା, ଯେପରିକି ଖୁଚୁରା ପଇସାକୁ ନେଇ କଣ୍ଡକ୍ଟରଙ୍କ ଦୁର୍ବ୍ୟବହାର ଏବଂ ନିର୍ଦ୍ଦିଷ୍ଟ ଷ୍ଟପେଜରେ ବସ୍ ନରଖିବା ଭଳି ଘଟଣାକୁ ସେ ନିଜେ ଅନୁଭବ କରିଥିଲେ।

କଣ୍ଡକ୍ଟର କହିଲେ– 'ଖୁଚୁରା ନାହିଁ ତ ବସରୁ ଓହ୍ଲାଅ'

ଯାଞ୍ଚ ସମୟରେ ଏକ ଚକିତ କଲାଭଳି ଘଟଣା ସାମ୍ନାକୁ ଆସିଥିଲା। ଜଣେ କଣ୍ଡକ୍ଟର ମନ୍ତ୍ରୀଙ୍କୁ ଚିହ୍ନି ନପାରି ଖୁଚୁରା ପଇସା ପାଇଁ ବଚସା କରିଥିଲେ ଏବଂ "ଖୁଚୁରା ପଇସା ନାହିଁ ତ ବସ୍ରୁ ଓହ୍ଲାଇଯାଅ" ବୋଲି କହିଥିଲେ। ଏହା ବ୍ୟତୀତ, 'ଫନ୍ ୱାର୍ଲ୍ଡ' ବସ୍ ଷ୍ଟପ୍ରେ ଜଣେ ଯାତ୍ରୀ ଓହ୍ଲାଇବା ପାଇଁ ସ୍ପଷ୍ଟ ସଙ୍କେତ ଦେଇଥିଲେ ମଧ୍ୟ ବସ ଡ୍ରାଇଭର ଏବଂ କଣ୍ଡକ୍ଟର ଗାଡ଼ି ଅଟକାଇ ନଥିଲେ।

କାର୍ଯ୍ୟାନୁଷ୍ଠାନ ଓ ଚେତାବନୀ

ଏହି ନିୟମ ଉଲ୍ଲଂଘନ ଏବଂ ଯାତ୍ରୀଙ୍କ ପ୍ରତି ଅବହେଳା ଦେଖିବା ପରେ ମନ୍ତ୍ରୀ ବାଇରାଥୀ ସୁରେଶ ତୁରନ୍ତ ସମ୍ପୃକ୍ତ ଡ୍ରାଇଭର ଓ କଣ୍ଡକ୍ଟରଙ୍କ ବିରୋଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ବସରେ ଯାତ୍ରୀମାନଙ୍କ ଅନୁଭୂତିକୁ ସୁଧାରିବା, ସରକାରୀ କର୍ମଚାରୀଙ୍କ ମଧ୍ୟରେ ଶୃଙ୍ଖଳା ଆଣିବା ଏବଂ ସେମାନଙ୍କୁ ଜବାବଦେହି କରିବା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ସରପ୍ରାଇଜ୍ ଭିଜିଟ୍ ଜାରି ରହିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।