ବେଙ୍ଗାଲୁରୁ: କର୍ଣ୍ଣାଟକରେ ଗତ ସପ୍ତାହରେ ବିଧାନ ପରିଷଦ ନିର୍ବାଚନରେ ବିଜେପିର କିଛି ବିଧାୟକ କ୍ରସ୍ ଭୋଟିଂ କରିଥିଲେ । ଏହି ମାମଲାରେ ବିଜେପିର ପ୍ରଦେଶ ସଭାପତି ବି.ୱାଇ.ବିଜୟେନ୍ଦ୍ର ଏକ ବଡ଼ ବୟାନ ଦେଇଛନ୍ତି । ସେ ସ୍ପଷ୍ଟ କରିଛନ୍ତି ଯେ ଏହି ମାମଲାକୁ ଏକ ତାର୍କିକ ସିଦ୍ଧାନ୍ତରେ ପହଞ୍ଚାଯିବ । ଘଟଣାର ସତ୍ୟାସତ୍ୟ ଜାଣିବା ଏବଂ ଉତ୍ତରଦାୟିତ୍ୱ ସ୍ଥିର କରିବା ପାଇଁ ଖୁବଶୀଘ୍ର ପ୍ରସିଦ୍ଧ ଧର୍ମସ୍ଥଳୀରେ ଠାରେ ବିଧାୟକ ଦଳର ବୈଠକ ଡକାଯିବ । ସେ ସଙ୍କେତ ଦେଇଛନ୍ତି ଯେ ସେଠାରେ ବିଜେପି ବିଧାୟକମାନଙ୍କୁ ଭଗବାନ ମଞ୍ଜୁନାଥ (ଶିବ)ଙ୍କ ସାମ୍ନାରେ 'ପ୍ରମାଣ'ନେଇ ସତ କହିବାକୁ କୁହାଯିବ ।

ଦକ୍ଷିଣ କନ୍ନଡ ଜିଲ୍ଲାର ନେତ୍ରାବତୀ ନଦୀ କୂଳରେ ଅବସ୍ଥିତ ଧର୍ମସ୍ଥଳର ଇତିହାସ ପ୍ରାୟ ୮୦୦ ବର୍ଷ ପୁରୁଣା । ଏପରି ବିଶ୍ୱାସ ରହିଛି ଯେ ଯିଏ ବି ଭଗବାନ ମଞ୍ଜୁନାଥଙ୍କ ସାମ୍ନାରେ ମିଛ କୁହେ, ତାକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିଥାଏ ।

ବିଜୟେନ୍ଦ୍ର କହିଛନ୍ତି, "ନିକଟରେ ଶେଷ ହୋଇଥିବା ବିଧାନ ପରିଷଦ ନିର୍ବାଚନରେ ବିଜେପି ବିଧାୟକମାନଙ୍କ ଦ୍ୱାରା ହୋଇଥିବା ଅତିକମରେ ଚାରୋଟି କ୍ରସ୍-ଭୋଟ୍କୁ ନେଇ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ଚାଲିଛି । ଆମ ଦଳର କର୍ମକର୍ତ୍ତାମାନେ ବିଧାୟକମାନଙ୍କ ଏଭଳି ବ୍ୟବହାରରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଘଟଣା ଏକ ପ୍ରକାରେ ବିଜେପିର ସମସ୍ତ ୬୩ ଜଣ ବିଧାୟକଙ୍କୁ ସନ୍ଦେହ ଘେରକୁ ଆଣିଦେଇଛି ।"

ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି, ରାଜ୍ୟ ଦଳୀୟ ସଭାପତି ଭାବେ ଏହି ଘଟଣା ତାଙ୍କୁ ଅତ୍ୟନ୍ତ ନିରାଶ କରିଛି । ସେ କହିଛନ୍ତି, "ଆପଣ ବିଶ୍ୱାସ କରି ନପାରନ୍ତି - ମୁଁ ଆଜି ସକାଳ ୩ଟାରେ ଉଠିଛି, କାରଣ ମୁଁ ଏହି ମାମଲାକୁ ଏକ ଶେଷ ନିଷ୍କର୍ଷରେ ପହଞ୍ଚାଇବାକୁ ଚାହୁଁଛି । ମୁଁ ଜାତୀୟ ସଭାପତିଙ୍କୁ ଫୋନ୍ କରିଥିଲି ଏବଂ ସେ ଏହି ବିଷୟରେ ସ୍ପଷ୍ଟୀକରଣ ମାଗିଛନ୍ତି । ମୁଁ ଏବଂ ବିଧାନସଭାର ବିରୋଧୀ ଦଳ ନେତା ଆର୍.ଅଶୋକ ଦିଲ୍ଲୀ ଯାଇ ସବୁ ସୂଚନା ଦେବୁ ବୋଲି ଜଣାଇଛି ।"

ରାଜ୍ୟ ବିଜେପି ସଭାପତି ସୂଚନା ଦେଇଛନ୍ତି ଯେ 'କ୍ରସ୍-ଭୋଟିଂ' ଘଟଣାର ତଦନ୍ତ ପାଇଁ ଦଳୀୟ ନେତା ସି.ଟି.ରବି, ମହେଶ ତେଙ୍ଗିନାକାଇ ଏବଂ ଏନ୍.ମହେଶଙ୍କୁ ନେଇ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଗଠନ କରାଯାଇଛି । ସେ କହିଛନ୍ତି ଯେ ବିଧାୟକ ଦଳର ବୈଠକ ଖୁବଶୀଘ୍ର, ସମ୍ଭବତଃ ଆସନ୍ତା ସପ୍ତାହରେ ଧର୍ମସ୍ଥଳରେ ଅନୁଷ୍ଠିତ ହେବ ଏବଂ ସେଠାରେ ସତ ସାମ୍ନାକୁ ଆସିବ ।

ସୂଚନାଯୋଗ୍ୟ, ଗତ ଗୁରୁବାର ଜୁନ୍ ୧୮ରେ ହୋଇଥିବା ବିଧାନ ପରିଷଦ ନିର୍ବାଚନରେ କଂଗ୍ରେସ ୭ଟି ଆସନରୁ ୫ଟି ଜିତିଥିବା ବେଳେ ବିରୋଧୀ ବିଜେପିକୁ ୨ଟି ଆସନ ମିଳିଥିଲା । ଜେଡିଏସ୍ ଗୋଟିଏ ଆସନରେ ଲଢ଼ିଥିଲେ ମଧ୍ୟ ବିଫଳ ହୋଇଥିଲା । ଫଳାଫଳରୁ ଜଣାପଡ଼ିଥିଲା ଯେ ବିଜେପି ଏବଂ ଜେଡିଏସ୍ ବିଧାୟକମାନେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ୍-ଭୋଟିଂ କରିଥିଲେ । ଶାସକ ଦଳକୁ ମୋଟ ୧୫୧ଟି ଭୋଟ୍ ମିଳିଥିଲା, ଯାହା ଆଶା କରାଯାଉଥିବା ୧୪୦ ଭୋଟଠାରୁ ୧୧ଟି ଅଧିକ।