ପରିବାରକୁ ହତ୍ୟା କରିବାକୁ ଯୋଜନା କରିଥିଲା ବଡ଼ ପୁଅ: ହେଲେ ଭୁଲ୍‌ରେ ଅତିଥିଙ୍କୁ ହତ୍ୟା କଲେ ଗୁଣ୍ଡା

Published By : Prameya-News7 Bureau | April 27, 2024 IST

indiatoday

ବେଙ୍ଗାଲୁରୁ: ନିଜ ବାପା ସାବତ ମାଆ ଓ ଭାଇକୁ ହତ୍ୟା କରିବାକୁ ଯୋଜନା କରିଥିଲା ଘରର ବଡ଼ ପୁଅ। ଏଥିପାଇଁ ସୁପାରୀ ଦେଇ ଠିକ୍ କରିଥିଲେ ସୁପାରୀ କିଲର। ହେଲେ ସବୁ ପ୍ଲାନ୍ ଫେଲ୍ ମାରିଗଲା। ଗୁଣ୍ଡାମାନେ ମାଆବାପାକୁ ହତ୍ୟା କରିବା ବଦଳରେ ତାଙ୍କ ସମ୍ପର୍କୀୟଙ୍କୁ ହତ୍ୟା କଲେ। ଘଟଣାରେ ସମସ୍ତ ଅଭିଯୁକ୍ତକୁ ଗିରଫ କରିଛି କର୍ଣ୍ଣାଟକ ପୁଲିସ୍।

କର୍ଣ୍ଣାଟକ ଗଡାଗ ଏରିଆରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୁଖ୍ୟ ଅଭିଯୁକ୍ତ ହେଉଛି ୩୧ ବର୍ଷୀୟ ରିୟଲ ଇଷ୍ଟେଟ ଏଜେଣ୍ଟ ବିନାୟକ ବକାଲେ। ବିନାୟକ ବାପା ପ୍ରକାଶ ବକାଲେ, ସାବତ ମାଆ ସୁନନ୍ଦା ଏବଂ ସାବତ ଭାଇ କାର୍ତ୍ତିକ ବକାଲେଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲା। ଏଥିପାଇଁ ୭ ଜଣ ଗୁଣ୍ଡାଙ୍କ ସହ ୬୫ ଲକ୍ଷ ଟଙ୍କାର ଡିଲ୍ ଫାଇନାଲ୍ ହୋଇଥିଲା।

ଗୁଣ୍ଡାମାନେ ବିନାୟକଙ୍କ ଘରେ ପଶି ୪ ଜଣଙ୍କୁ ହତ୍ୟା କରିଥିଲେ। ହେଲେ ଯେଉଁ ୪ ଜଣଙ୍କୁ ସେମାନେ ହତ୍ୟା କରିଥିଲେ ସେମାନେ ଥିଲେ ବିନାୟକଙ୍କ ଘରକୁ ଆସିଥିବା ଅତିଥୀ ଓ ସାବତ ଭାଇ କାର୍ତ୍ତିକ। ଅତିଥୀମାନେ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ବେଳେ ଗୁଣ୍ଡାମାନେ ତାଙ୍କୁ ହିଁ ପ୍ରକାଶଙ୍କର ବାପାମାଆ ଭାବି ହତ୍ୟା କରିଥିଲେ। ହେଲେ ପ୍ରକୃତରେ ବାପା ପ୍ରକାଶ ଓ ମାଆ ସୁନନ୍ଦା ଗୁଣ୍ଡାମାନଙ୍କ କବଳରୁ ବଞ୍ଚିଯାଇଥିଲେ। ଘଟଣାରେ କାର୍ତ୍ତିକ(୨୭), ପରଶୁରାମ  ହାଦିମଣି(୫୫), ଲକ୍ଷ୍ମୀ ହାଦିମଣି(୪୫) ଓ ଅକାଂକ୍ଷା ହାଦିମଣି(୧୬)ଙ୍କର ମୃତ୍ୟୁ ହୋଇଛି। 

ପୁଲିସର ସୂଚନା ଅନୁସାରେ, ସମ୍ପତ୍ତି ମାମଲାକୁ ନେଇ ବିନାୟକ ଓ ତାଙ୍କ ବାପାଙ୍କ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ଲାଗି ରହୁଥିଲା। ବାପା ପ୍ରକାଶ ପୂର୍ବରୁ ବଡ଼ ପୁଅ ବିନାୟକ ନାଁରେ ଏକାଧିକ ସମ୍ପତ୍ତି ଲେଖି ଦେଇଥିଲେ। ହେଲେ ଗତ ୫-୬ ମାସ ମଧ୍ୟରେ ବିନାୟକ ବାପାଙ୍କୁ ନ ଜଣାଇ ସମ୍ପତ୍ତି ବିକ୍ରି କରିବାରୁ ବାପା-ପୁଅଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ଫଳରେ ବାପ-ପୁଅ ମଧ୍ୟର ଫାଟ ସୃଷ୍ଟି ହୋଇଥିଲା। ପ୍ରକାଶଙ୍କର ସମ୍ପତ୍ତିର ସାନ ପୁଅ କାର୍ତ୍ତିକଙ୍କର ବି ସମାନ ଭାଗ ରହିଥିଲା। ଏହା ବି ବିନାୟକର ଏଭଳି କାଣ୍ଡ ପଛରେ କାରଣ ହୋଇପାରେ ବୋଲି ପୁଲିସ କହିଛି। 

ନିଜ ପରିବାରକୁ ହତ୍ୟା କରିବା ପାଇଁ ବିନାୟକ ଠିକ୍ କରିଥିବା ଗୁଣ୍ଡାମାନେ ଏବେ ପୁଲିସ ହାତରେ ଧରାପଡ଼ିଛନ୍ତି। ବିନାୟକଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ହତ୍ୟାକାରୀ ଗୁଣ୍ଡାମାନେ ହେଲେ ଫିରୋଜ(୨୯), ଜିଶାନ (୨୪), ଶାହିଲ(୧୯), ସୁଲତାନ ଶେଖ(୨୩), ମହେଶ ସାଲୁଙ୍କେ(୨୧) ଏବଂ ୱାହୀଦ ବେପାରୀ(୨୧)।  

ଉତ୍ତର ରେଞ୍ଜର ଆଇଜିପି ବିକାଶ କୁମାର କହିଛନ୍ତି ବିନାୟକ ଫିରୋଜ ମାଧ୍ୟମରେ ଡିଲ୍ କରିଥିଲା। ହତ୍ୟାକାରୀଙ୍କୁ ୬୫ ଲକ୍ଷ ଟଙ୍କା ଦିଆଯିବ ବୋଲି ଡିଲ୍ ଫାଇନାଲ୍ ହୋଇଥିଲା। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି ବୋଲି ଆଇଜିପି କହିଛନ୍ତି।   

 

  • Karnataka
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.