ନୂଆଦିଲ୍ଲୀ ୧୦/୦୫: ଜୁନ୍ ମାସରେ ଦେଶ ଏକ ବଡ଼ ଧରଣର ବିଜୁଳି ସଂକଟର ସାମ୍ନା କରିପାରେ । ଜଳ ବିଦ୍ୟୁତ ଉତ୍ପାଦନ ହ୍ରାସ ଯୋଗୁ ଦେଶ ୧୪ ବର୍ଷରେ ସବୁଠୁ ଉତ୍କଟ ବିଜୁଳି ସମସ୍ୟା ଦେଇ ଗତି କରିପାରେ ବୋଲି ସରକାର ଆଶଙ୍କା କରିଛନ୍ତି । କୌଣସି ଆଉଟେଜ ଯେଭଳି ନ ହୁଏ ସେ ଦିଗରେ ସରକାର ଏବେଠୁ କାର୍ଯ୍ୟପନ୍ଥା ଗ୍ରହଣ କଲେଣି ।
ୟୁନିଟ୍ଗୁଡ଼ିକର ମେଣ୍ଟେନାନ୍ସ ସାଙ୍ଗକୁ ଅଚଳ ୟୁନିଟଗୁଡ଼ିକୁ ପୁଣି ଥରେ ଚାଲୁ କରିବାକୁ ଏବେ ଜୋରଦାର ଉଦ୍ୟମ ହେଉଛି ।
ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି, ମାର୍ଚ୍ଚ ପୂର୍ବରୁ ଦେଶ ମଧ୍ୟରେ ୩.୬ ଗିଗାୱାଟ ନୂଆ ତାପଜ ବିଦ୍ୟୁତ କେନ୍ଦ୍ର କାର୍ଯ୍ୟକ୍ଷମ କରାଇବାକୁ ଲକ୍ଷ୍ୟ ରଖାଯାଇଥିଲା ।
ଏଥିରେ ବିଳମ୍ବ ହୋଇଥିବାରୁ ବିଜୁଳି ସମସ୍ୟା ରହିବ । ଜୁନରେ ପିକ୍ ବିଜୁଳି ଅଭାବ ୧୪ ଗିଗାୱାଟ ରହିବା ନେଇ ଆକଳନ କରାଯାଇଛି । ଏ ସମୟରେ ସାଧାରଣତଃ ସୌର ଶକ୍ତି ଉତ୍ପାଦନ ମଧ୍ୟ ପ୍ରଭାବିତ ସ୍ଥିତିରେ ରହିଥାଏ ବୋଲି କେନ୍ଦ୍ରୀୟ ବିଜୁଳି କର୍ତ୍ତୃପକ୍ଷ କହିଛନ୍ତି ।
ସ୍ଥିତି ଉପରେ ନଜର ରଖାଯାଇଛି । ସେହି ଅନୁସାରେ ଏବେ ଯୋଜନା ହାତକୁ ନିଆଯାଉଛି । ସରକାରୀ ତଥ୍ୟ ମୁତାବକ, ଜୁନ ବେଳକୁ ବିଜୁଳି ସ୍ଥିତି ୨୦୦୯-୧୦ ପରଠାରୁ ସବୁଠୁ ଖରାପ ରହିପାରେ । ମାର୍ଚ୍ଚ ଶେଷ ବେଳକୁ ଦେଶର ଜଳ ବିଦ୍ୟୁତ ଉତ୍ପାଦନ ୪ ଦଶନ୍ଧିର ସୁବୁଠୁ ପ୍ରଭାବିତ ସ୍ଥିତିରେ ରହିଛି । ସେହିଭଳି ଅକ୍ଷୟ ଶକ୍ତି ଉତ୍ପାଦନ ମଧ୍ୟ ଫ୍ଲାଟ ରହିଛି ।
ଗତ ସପ୍ତାହରେ ଶକ୍ତି ମନ୍ତ୍ରୀ ଆର୍.କେ. ସିଂ ଏକ ଜରୁରୀ ବୈଠକରେ ସ୍ଥିତି ସମୀକ୍ଷା କରିଥିଲେ । ଜୁନ୍ରେ ବନ୍ଦ ପଡ଼ିଥିବା ଶକ୍ତି ୟୁନିଟଗୁଡିକୁ ପୁନଃରୁଦ୍ଧାର କରିବାକୁ ଏଥିରେ ନିଷ୍ପତ୍ତି ହୋଇଥିଲା । ଏହା ଦ୍ୱାରା ୫ ଗିଗାୱାଟ ତାପଜ ବିଦ୍ୟୁତ ୟୁନିଟ୍କୁ ଯୋଡ଼ାଯିବ ବୋଲି ୨ ଜଣ ଅଧିକାରୀ ବୈଠକ ଶେଷ ପରେ ସୂଚନା ଦେଇଛନ୍ତି ।
ଶକ୍ତି ଉତ୍ପାଦନ ବୃଦ୍ଧି ପାଇଁ ସବୁ ପ୍ରକାର ଯୋଜନା କରାଯାଉଛି । ଫଳରେ ଜୁନ୍ରେ ଶକ୍ତି ଚାହିଦାକୁ ପୂରଣ କରାଯାଇପାରିବ ।
ସୂଚନା ମୁତାବକ, ଜୁନରେ ରାତ୍ରକାଳୀନ ସର୍ବୋଚ୍ଚ ବିଜୁଳି ଚାହିଦା ୨୩୫ ଗିଗାୱାଟ ରହିପାରେ ବୋଲି ଗ୍ରୀଡ ଇଣ୍ଡିଆ ଆକଳନ କରିଛି । ବିଜୁଳି ଯୋଗାଣକୁ ନଜରରେ ରଖିଲେ ଦେଶ ମଧ୍ୟରେ ୧୮୭ ଗିଗାୱାଟ୍ ତାପଜ ବିଦ୍ୟୁତ ଉପଲବ୍ଧ । ସେହିଭଳି ଅକ୍ଷୟ ଶକ୍ତି ଉତ୍ସରୁ ଦେଶ ୩୪ ଗିଗାୱାଟ ଶକ୍ତି ପାଉଥିବା ସରକାରୀ ଡାଟାରୁ ଜଣାପଡିଛି ।
ଶକ୍ତି ଚାହିଦାକୁ ନଜରରେ ରଖି ଶକ୍ତି ମନ୍ତ୍ରଣାଳୟ ଗତ ମାସରେ ଗ୍ୟାସ ଭିତ୍ତିକ ଏବଂ ଆମଦାନି କୋଇଲା ଭିତ୍ତିକ ୟୁନିଟ୍ଗୁଡିକ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ କରାଇବା ନେଇ ନିଷ୍ପତ୍ତି ନେଇଛି । ଏହି ୟୁନିଟ୍ଗୁଡିକ ସମ୍ପୂର୍ଣ୍ଣ କ୍ଷମତାରେ ଚଳାଇବାକୁ ନିର୍ଦ୍ଦେଶ ରହିଛି । କୋଇଲା ବ୍ୟବହାର କମ୍ କରିବା ଉପରେ ସରକାର ଜୋର ଦେଉଛନ୍ତି ।
୨୦୭୦ ବେଳକୁ ନେଟ୍ ଜିରୋ ଲକ୍ଷ୍ୟ ହାସଲ ଦିଗରେ ପଦକ୍ଷେପ ଏବେ ସେତେଟା ଆଖିଦୃଶିଆ ନୁହେଁ । ଫଳରେ କୋଇଲା ପ୍ରଦୂଷଣ ସୃଷ୍ଟି କରୁଥିଲେ ମଧ୍ୟ ଶକ୍ତି ସଙ୍କଟକୁ ଏଡାଇବା ଲାଗି ସରକାର ବାଧ୍ୟ ହୋଇ ଏହାର ବ୍ୟବହାରକୁ ଅନୁମତି ଦେଉଛନ୍ତି । ଦେଶ ମଧ୍ୟରେ ନୂଆ ତାପଜ ବିଦ୍ୟୁତ କେନ୍ଦ୍ର ସ୍ଥାପନ କରିବା ଯୋଜନା ରହିଛି ।
ବିକଶିତ ଦେଶ କୋଇଲାଭିତ୍ତିକ ପ୍ଲାଣ୍ଟ ଗୁଡ଼ିକୁ ବିରୋଧ କରୁଛନ୍ତି । ତେବେ ଏଭଳି ଯୋଜନା କାର୍ଯ୍ୟକ୍ଷମ ହୋଇ ବିଜୁଳି ଉତ୍ପାଦନ ହେବାକୁ ଅନ୍ତତଃ ପକ୍ଷେ ୪ ବର୍ଷ ଯାଏ ସମୟ ଲାଗିଥାଏ । ଦେଶ ମଧ୍ୟରେ ଏବେ କାର୍ଯ୍ୟକ୍ଷମ ଥିବା କୋଇଲାଭିତ୍ତିକ ଏବଂ ସୌର ଶକ୍ତି ପ୍ଲାଣ୍ଟ ଗୁଡିକ ଦିନର ବିଜୁଳି ଚାହିଦା ପୂରଣ କରିବାକୁ ସକ୍ଷମ ହେଉଛନ୍ତି ବୋଲି ଅନ୍ୟ ଜଣେ ସରକାରୀ ଅଧିକାରୀ କହିଛନ୍ତି