ମୁମ୍ଵାଇ ୧୬।୦୯; ବଲିଉଡର ବେବୋ କରୀନା କପୁର ଖାନ୍... ଫିଲ୍ମ ପାଇଁ ଯେତିକି ଚର୍ଚ୍ଚାରେ, ଏବେ ନିଜ ପିଲାଙ୍କ ପ୍ୟାରେଣ୍ଟିଂକୁ ନେଇ ମଧ୍ୟ ସେତିକି ଚର୍ଚ୍ଚା। ତୈମୁର ଓ ଜେହଙ୍କ ସ୍କ୍ରିନ୍ ଟାଇମକୁ ନେଇ ବେଶ୍ ସତର୍କ କରୀନା। ଏପରିକି ଏହି ପ୍ରସଙ୍ଗକୁ ନେଇ ସ୍ୱାମୀ ସୈଫ୍ ଅଲି ଖାନଙ୍କ ସହ ତାଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥାଏ। ତେବେ କାହିଁକି ପିଲାଙ୍କ ଫୋନ୍ ବ୍ୟବହାରକୁ ନେଇ ଏତେ ସିରିଅସ୍ କରୀନା? ଆସନ୍ତୁ ଜାଣିବା...

ମୋବାଇଲ୍ ହେଉ କି ଟ୍ୟାବ୍ଲେଟ୍ ପିଲାମାନେ କେତେ ସମୟ ଡିଜିଟାଲ୍ ସ୍କ୍ରିନ୍ରେ ରହୁଛନ୍ତି, ତା’ ଉପରେ ରହୁଛି ବେବୋଙ୍କ କଡ଼ା ନଜର। କରୀନା କହିଛନ୍ତି, ତୈମୁର କିମ୍ବା ଜେହ୍ଙ୍କ ପାଖରେ ନିଜସ୍ୱ ଫୋନ୍ ନାହିଁ। ତୈମୁର ତାଙ୍କ ନାନିଙ୍କ ଫୋନ୍କୁ ନିଜର ବୋଲି ଭାବିନେଇଥିଲେ ମଧ୍ୟ, କରୀନା ତାଙ୍କୁ ସ୍ପଷ୍ଟ କରିଦେଇଛନ୍ତି—ସେହି ଫୋନ୍ ତାଙ୍କର ନୁହେଁ।

ଏପରିକି ତୈମୁର ନିଜ ସାଙ୍ଗମାନଙ୍କୁ ସେହି ଫୋନ୍କୁ ନିଜର ବୋଲି କହିପାରିବ କି ନାହିଁ ବୋଲି ପଚାରିଥିଲେ। ହେଲେ କରୀନାଙ୍କ ଉତ୍ତର ଥିଲା ନା। ଆଉ ଏହି ସ୍କ୍ରିନ୍ ଟାଇମ୍କୁ ନେଇ ମା’ କରୀନା ଏତେ ସତର୍କ ଯେ, ଏହି ପ୍ରସଙ୍ଗରେ ସୈଫ୍ ଅଲି ଖାନ୍ଙ୍କ ସହ ତାଙ୍କର ଯୁକ୍ତିତର୍କ ମଧ୍ୟ ହୋଇଥାଏ।

କରୀନାଙ୍କ କହିବା ଅନୁସାରେ, ସୈଫ୍ ତାଙ୍କୁ ଏହି ବିଷୟରେ ଅଧିକ ଚିନ୍ତା ନକରି ଶାନ୍ତ ରହିବାକୁ କହନ୍ତି। କିନ୍ତୁ କରୀନାଙ୍କ ମତ—ପିଲାମାନଙ୍କ ସ୍କ୍ରିନ୍ ଟାଇମିଂ ଓ ଫୋନ ବ୍ୟବହାରକୁ ନେଇ ତାଙ୍କୁ ସତର୍କ ରହିବାକୁ ହିଁ ପଡ଼ିବ। ଏହି କଥାକୁ ନେଇ ହିଁ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୁଏ ବୋଲି କହିଛନ୍ତି କରୀନା।

ଅର୍ଥାତ୍, ଗ୍ଲାମର୍ ଦୁନିଆର ଚମକଠାରୁ ଦୂରେ, ନିଜ ପିଲାଙ୍କ ଡିଜିଟାଲ୍ ଅଭ୍ୟାସକୁ ନେଇ ଜଣେ ସଚେତନ ମା’ ଭାବେ ନିଜ ନିୟମରେ ଚାଲିବାକୁ ଚାହୁଁଛନ୍ତି କରୀନା। ଏବେ ତାଙ୍କ ଆଗାମୀ ଫିଲ୍ମ ‘ଦାୟରା’କୁ ନେଇ ଫ୍ୟାନ୍ମାନଙ୍କ ମଧ୍ୟରେ ଉତ୍ସାହ ଥିବା ବେଳେ, କରୀନାଙ୍କ ଏହି ପ୍ୟାରେଣ୍ଟିଂ ମନ୍ତବ୍ୟ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି।