କୋଲକାତା: କଂଗ୍ରେସ ବିନା ବିଜେପି ସହିତ ଲଢ଼ିବା ପ୍ରକୃତରେ କଷ୍ଟକର । ଏକଥା କଂଗ୍ରେସ ନେତା କହ୍ନେୟା କୁମାର କୋଲକାତାରେ କହିଛନ୍ତି । କୋଲକାତା ପ୍ରେସ କ୍ଲବରେ ଆୟୋଜତି ସାମ୍ବାଦିକ ସମ୍ମିଳନୀରେ ଶୁକ୍ରବାର କହ୍ନେୟା କୁମାର ଏହା କହିଛନ୍ତି । ଏହା ସହ ନାଁ ନନେଇ କଂଗ୍ରେସର ସହଯୋଗୀ ଦଳଙ୍କ ଉପରେ ବର୍ଷିଛନ୍ତି କହ୍ନେୟା ଏବଂ ପଶ୍ଚିମବଙ୍ଗରେ ଦଳର ଭୋଟ ପ୍ରତିଶତ ବୃଦ୍ଧି ପାଇବ ବୋଲି ସେ ଆଶା ପ୍ରକାଶ କରିଛନ୍ତି ।

ସେ କହିଛନ୍ତି, ଆମେ କୌଣସି ଏନଜିଓ ନୁହେଁ । No Vote to BJP କ୍ୟାମ୍ପେନ୍ କରି ଆମର ରାଜନୈତିକ ଦାୟିତ୍ବ ଶେଷ ହୋଇଯାଏନି । ଲୋକେ ପଚାରିବେ, ଯଦି ଆମେ ବିଜେପିକୁ ଭୋଟ ଦେବୁନି, ତେବେ କାହାକୁ ଦେବୁ ? ଆମେ ବେଙ୍ଗଲରେ ସ୍ୱଚ୍ଛ ରାଜନୀତି ଆଣିଛୁ। ବିକାଶର କଥା କହୁଥିବା ରାଜନୀତି ଆଣିଛୁ।

କହ୍ନେୟା କୁମାର କହିଛନ୍ତି ଯେ, ୨୦ ବର୍ଷ ପରେ କଂଗ୍ରେସ ଏଠାରେ ଏକା ଲଢ଼ିଛି। ଆମେ ଆଶା କରୁଛୁ ଯେ, ଯଦି ଆମେ ଲୋକଙ୍କ ଆଶୀର୍ବାଦ ପାଇବୁ, ତେବେ ଆମେ ଏଠାରେ ଘୃଣା ଏବଂ ଲୁଟପାଟର ରାଜନୀତିକୁ ବନ୍ଦ କରିପାରିବୁ। ସେ ପ୍ରଶ୍ନ କରିଛନ୍ତି, କଂଗ୍ରେସ ବିନା ଦେଶରେ ବିଜେପି ସହିତ ଲଢ଼ିବା ସମ୍ଭବ କି ? ପଶ୍ଚିମବଙ୍ଗରେ ପରିସ୍ଥିତି ବହୁତ ଖରାପ। ଦେଶରେ କୌଣସି ସ୍ଥାନରେ ଏତେ ନାମ ବାଦ ଦିଆଯାଇ ନାହିଁ। କୋଲକାତାର ଚୌରଙ୍ଗୀ ବିଧାନସଭା ନିର୍ବାଚନମଣ୍ଡଳୀରେ, ୮୦,୦୦୦ ନାମ ବାଦ ଦିଆଯାଇଛି।

କହ୍ନେୟା କୁମାର ଆହୁରି କହିଛନ୍ତି, ଏବେ କେହି କୋଲକାତା କାମ କରିବାକୁ ଆସୁନାହାନ୍ତି । କୋଲକାତାର ଲୋକମାନେ ଏବେ ଅନ୍ୟ ରାଜ୍ୟକୁ ଯାଇ କାମ କରିବାକୁ ବାଧ୍ୟ ହେଉଛନ୍ତି । ସେଠାକାର ବିଜେପି ସରକାର ବଙ୍ଗଳା ଭାଷାଭାଷୀ ଲୋକଙ୍କୁ ଅନୁପ୍ରବେଶକାରୀ କହି ହଇରାଣ କରୁଛି ଏବଂ ଜେଲରେ ପୂରାଉଛି । ସେ ଦାବି କରିଛନ୍ତି, ବହୁ ପ୍ରୟାସ ପରେ ବି ବିଜେପି ବେଙ୍ଗଲରେ ବିଜୟୀ ହୋଇପାରିବ ନାହିଁ ।