ଫୁଲବାଣୀ/ଦାରିଙ୍ଗବାଡ଼ି: ଭଙ୍ଗା କୁଡ଼ିଆ । କାନ୍ଥ ଦୁର୍ବଳ । ଅର୍ଥ ଅଭାବରୁ ମରାମତି କରି ହେଉନି । ଭଲ ଲୁଗା ଖଣ୍ଡେ ପିନ୍ଧିବାକୁ ନାହିଁ କି ଚଳିବାକୁ ଟଙ୍କା । ଏଥିରେ ପୁଣି ପିଲାଙ୍କ ପଢ଼ା । ଏଭଳି ଚିନ୍ତାରେ ଛନ୍ଦି ହୋଇଯାଇଥିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ ସିକବାଡ଼ି ଗାଁର ବୁର୍ସି ପ୍ରଧାନ । ପିଲାଙ୍କ ଭବିଷ୍ୟତ କଣ ହେବ ଏଭଳି ପ୍ରଶ୍ନ ମନରେ ଉଙ୍କି ମାରୁଥିଲା । ପିଲାଙ୍କ ଭଲ ପାଠପଢ଼ା ଓ ପରିଶ୍ରମ ଦେଖି ଛାଡ଼ିଲେ ଭିଟାମାଟି । ଦାଦନ ଖଟିବାକୁ ଚାଲିଗଲେ । ଯାହାକିଛି ରୋଜଗାର ହେଲା ସେଥିରେ ପିଲାଙ୍କୁ ପଢ଼ାଇଲେ । ଆଜି ଏହି ତ୍ୟାଗର ଫଳ ପାଇଛନ୍ତି । ଆଦିବାସୀ ମୂଲକ କନ୍ଧମାଳ ଜିଲ୍ଲାର ଗୋଟିଏ ଗରିବ ପରିବାରର ୫ ଭାଇ ଭଉଣୀ ବାପା ମାଆଙ୍କ ସ୍ୱପ୍ନକୁ ସାକାର କରିଛନ୍ତି । ଯେଉଁ ଘରେ ଓଳିଏ ଖାଇଲେ ଓଳିଏ ଉପାସରେ ରହିବାକୁ ପଡ଼ୁଥିଲା, ସେହି ଘରର ୫ ଭାଇ ଭଉଣୀ ଡାକ୍ତର ହେବେ । ଏ କଥା ଶୁଣିଲେ ହୁଏତ ବିଶ୍ୱାସ ଲାଗି ନ ପାରେ, କିନ୍ତୁ ଏହା ହିଁ ସତ୍ୟ । ଦାରିଙ୍ଗବାଡ଼ି ବ୍ଲକ୍ର ଉପାନ୍ତ ଗାଁ ସିକବାଡ଼ିର ଏହି ୫ ଭାଇ ଭଉଣୀଙ୍କ ସଫଳ କାହାଣୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ଆଜବେଷ୍ଟ୍ସ ଛପର ସାଙ୍ଗକୁ ମାଟି ଓ କାଠରେ ନିର୍ମାଣ ହୋଇଛି ନୁଆଁଣିଆ ଘର ଖଣ୍ଡେ । ଘର ନୁହେଁ ତ ସତେ ଯେମିତି କୁଡ଼ିଆଟିଏ । ଭିତରକୁ ପଶିଲେ ଖୋଲା ଆକାଶର ଆଲୁଅ ଦେଖାଯାଉଛି । ଏଇ ଘରେ ଜନ୍ମ ନେଇଥିଲେ ୫ ଭାଇ ଭଉଣୀ । ସିକବାଡ଼ି ଗାଁର ବୁର୍ସି ପ୍ରଧାନ ଓ ପତ୍ନୀ ଅନୁସୂୟା ପ୍ରଧାନଙ୍କ ୭ ପୁଅ ଝିଅ । ଚାରି ବର୍ଷ ତଳେ ବଡ଼ ପୁଅ ବିଭୀଷଣ ପ୍ରଧାନ ପ୍ରଥମେ ନିଟ୍ରେ ସଫଳତା ପାଇ ମେଡିକାଲରେ ନାମ ଲେଖାଇଥିଲେ । ଏବେ ସେ କୋରାପୁଟ ସହିଦ୍ ଲକ୍ଷ୍ମଣ ମେଡିକାଲ କଲେଜରେ ଡାକ୍ତରୀ ପାଠ ସାରି ଇଣ୍ଟର୍ନସିପ୍ କରୁଛନ୍ତି । ସେହିପରି ତାଙ୍କ ସାନ ଭଉଣୀ ମୋନାଲିସା ପ୍ରଧାନ ଗତ ବର୍ଷ ନିଟ୍ ପାସ କରିବା ପରେ ସେ ମଧ୍ୟ କୋରାପୁଟ ମେଡିକାଲ କଲେଜରେ ୨ୟ ବର୍ଷର ଛାତ୍ରୀ ଭାବେ ପାଠ ପଢ଼ୁଛନ୍ତି । ଏବେ ଚଳିତ ବର୍ଷ ନିଟ୍ ପରୀକ୍ଷାରେ ତାଙ୍କର ଦୁଇ ସାନ ଭାଇ ଭଉଣୀ ସୁନେମି ପ୍ରଧାନ ଏବଂ ଏସରୀୟ ପ୍ରଧାନ ମଧ୍ୟ ନିଟ୍ରେ କୃତକାର୍ଯ୍ୟ ହେବା ପରେ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି । ସେହିଭଳି ବୁର୍ସୀଙ୍କ ସାନ ଭାଇ ଜିସାୟ ପ୍ରଧାନଙ୍କ ଝିଅ ମୀନାକ୍ଷୀ ମଧ୍ୟ ଚଳିତ ବର୍ଷ ନିଟ୍ରେ ସଫଳତା ପାଇ ଡାକ୍ତରୀ ପାଠ୍ୟକ୍ରମ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି ।

ଅଭାବୀ ପରିବାରରେ ଜନ୍ମ ନେଇଥିଲେ ମଧ୍ୟ ଏହି ଭାଇ ଭଉଣୀମାନେ ଭାଙ୍ଗି ନ ପଡ଼ି ଡାକ୍ତର ହେବା ସ୍ୱପ୍ନ ଦେଖିଥିଲେ । ଏଥିପାଇଁ ପରିବାରକୁ ଅନେକ କଷ୍ଟ ସହିବାକୁ ପଡ଼ିଛି । ବୁର୍ସୀ ପ୍ରଧାନ ପିଲାଙ୍କୁ ପାଠ ପଢ଼ାଇବା ପାଇଁ କେରଳ ଯାଇ ଦାଦନ ଖଟିଥିଲେ । କଷ୍ଟ କରି ପିଲାଙ୍କୁ ବଡ଼ କରିବା ସହ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଏବେ ସାର୍ଥକ ହୋଇଛି । ତାଙ୍କ ବୟସ ଏବେ ୭୦ ଟପିଲାଣି । ଆଉ କାମଦାମ କରି ପାରୁନାହାନ୍ତି । ତଥାପି ଦାୟିତ୍ୱ ସରିନି । ପିଲାଙ୍କ ପାଠ ସରିବା ପର୍ଯ୍ୟନ୍ତ ମୁଣ୍ଡରୁ ଚିନ୍ତା ଯାଉନି । ଆଗକୁ କିପରି ପିଲାଙ୍କୁ ପାଠ ପଢ଼ାଇବେ, ସେଇ ଚିନ୍ତାରେ ରହିଛନ୍ତି ବୁର୍ସୀ । ୩ ଭାଇ ଭଉଣୀ ମେଡିକାଲ କଲେଜରେ ନାମ ଲେଖାଇଥିଲେ ବି ଏବେ ମଧ୍ୟ ଘରେ ବାପା ମାଆଙ୍କୁ କାମରେ ସାହାଯ୍ୟ କରୁଛନ୍ତି । ଏମିତିକି ଗୋରୁଗାଈ ଚରାଇବାକୁ ଯିବା ସହ ସମୟ ମିଳିଲେ ଘରେ ବସି ପାଠ ପଢ଼ୁଛନ୍ତି । ବାପା ମାଆଙ୍କ ରୋଜଗାର ବୋଲି ସେମିତି କିଛି ନାହିଁ । ମକା, ହଳଦୀ ଚାଷରୁ ଯାହା କିଛି ରୋଜଗାର ହୁଏ, ତାହା ପିଲାଙ୍କ ପାଠପଢ଼ାରେ ସରିଯାଏ । ଘରେ ବାପା ମାଆ କଂସାରେ ମୁଠାଏ ପଖାଳ ଭାତ ସାଙ୍ଗକୁ ଲୁଣ ଲଙ୍କା ଆଉ ପିଆଜ ଖାଇ ଚଳି ଯାଆନ୍ତି । ସବୁ ଚିନ୍ତା କେବଳ ପିଲାଙ୍କ ପାଇଁ । ୫ ଭାଇ ଭଉଣୀ ଡାକ୍ତର ହେବେ, ଏନେଇ ପରିବାର ଲୋକ ଖୁସି ଯେତିକି ହେଉଛନ୍ତି ଆଗକୁ ଥିବା ଖର୍ଚ୍ଚ ପାଇଁ ସେତିକି ଚିନ୍ତାରେ ମଧ୍ୟ ରହିଛନ୍ତି । ସେମାନଙ୍କ ନାମ ଲେଖା ପାଇଁ ପରିବାର ଲୋକ ବଳଦ ଛେଳି ବିକି ଦେଇଥିବା କହିଛନ୍ତି । କିଛି ସରକାରୀ ସାହାଯ୍ୟ ମିଳିଲେ ଉପକୃତ ହେବେ ବୋଲି ବାପା-ମା’ କହିଛନ୍ତି । ତେବେ ଦାରିଙ୍ଗବାଡ଼ି ଭଳି ପଛୁଆ ଅଞ୍ଚଳର ଏକ ଗରିବ ପରିବାରର ୫ ଜଣ ସଦସ୍ୟ ଡାକ୍ତରୀ ପଢ଼ିବା ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି ।