ଭୁବନେଶ୍ୱର, ୦୫/୧୦:ଆଜି ନବୀକୃତ କଳିଙ୍ଗ ଷ୍ଟୁଡିଓ କମ୍ପ୍ଲେକ୍ସର ଲୋକାର୍ପଣ । ଏହାକୁ ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଖୋଲିବ ବହୁ ପ୍ରତିକ୍ଷୀତ ଗୌରବମୟ‘କଳିଙ୍ଗ ଷ୍ଟୁଡିଓ'। ନବୀକରଣ କାର୍ଯ୍ୟ ସରିଥିବା ବେଳେ ଆଜି ଏହାର ନୂଆ ରୂପ ସର୍ବସାଧାରଣ ତଥା ସିନେପ୍ରେମୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ ହେବାକୁ ଯାଉଛି ।

ବିଶ୍ଵ ସ୍ତରୀୟ ଷ୍ଟୁଡିଓ ପରି କଳ୍ପନା କରି ୫ ବର୍ଷ ତଳେ ଯେଉଁ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ତାହା ଶେଷ ହୋଇଛି। ବହୁ ବାଦ ବିବାଦ ପରେ ଖୋଲିବାକୁ ଯାଉଛି। ଖଣ୍ଡଗିରି-ଭରତପୁର ଅଞ୍ଚଳରେ ୨୨ ଏକର ପରିମିତ ଜମି ଉପରେ ଷ୍ଟୁଡିଓର ନବନିର୍ମାଣ ସମ୍ପନ୍ନ ହୋଇଛି। ସିନେମା ନିର୍ମାଣକୁ ସହଜ ଓ ବିଶ୍ୱସ୍ତରୀୟ କରିବା ପାଇଁ ଏଠାରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି। ସୋ ୱାର୍ଲଡଠାରୁ ଆରମ୍ଭ କରି ଭୂତ ବଙ୍ଗଳା,ବିମାନବନ୍ଦର,ଗାଁ,ରାଜପ୍ରସାଦ,କଟେଜ୍,ସହ ଅନେକ କିଛି ନୂଆ ଭାବରେ ସଜାଯାଇଛି।

ସୁଟିଂ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରାଯାଇଛି। ଷ୍ଟୁଡିଓକୁ ଅଲଟ୍ରା ମଡର୍ଣ୍ଣ ଷ୍ଟୁଡିଓ ଏବଂ ଫିଲ୍ମ ଟେକ୍ ଜୋନ୍ ଭାବେ ଡିଜାଇନ୍ କରାଯାଇଛି। ଫଳରେ ଭର୍ଚୁଆଲ ପ୍ରଡକ୍ସନ୍,ଏଆଇ-ଜେନେରେଟେଡ୍ ଟେକ୍ନୋଲୋଜିର ବ୍ୟବହାର ଦ୍ୱାରା ଓଡ଼ିଆ ସିନେମା ବାହାରକୁ ନଯାଇ ନିଜ ରାଜ୍ୟରେ ହିଁ ବିଶ୍ୱସ୍ତରୀୟ ସିନେମା ନିର୍ମାଣ କରିପାରିବେ। ଏହା ବାହାରର ନିର୍ମାତାଙ୍କୁ ଆକର୍ଷିତ କରିବା ସହ ସିନେମା ନିର୍ମାଣ ଲାଗି ଷ୍ଟୁଡିଓ ଭିତ୍ତିଭୂମି ବ୍ୟବହାର କରିବା ପାଇଁ ବଡ଼ ସୁଯୋଗ ଦେବ ।