ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀର ଉତ୍ପତ୍ତିକୁ ନେଇ ପୁଣି ଥରେ ବିଶ୍ୱବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପୂର୍ବତନ ମୁଖ୍ୟ ଚିକିତ୍ସା ପରାମର୍ଶଦାତା ଡାକ୍ତର ଆନ୍ଥୋନୀ ଫାଉଚି (Anthony Fauci) ଚୀନର ଉହାନ ସ୍ଥିତ ଏକ ଗବେଷଣାଗାରକୁ ପାଣ୍ଠି ଯୋଗାଇଥିଲେ, ଯେଉଁଠାରୁ କରୋନା ଭୂତାଣୁ ବ୍ୟାପିଥିବା ଆଶଙ୍କା କରାଯାଉଛି। ଆମେରିକା ନ୍ୟାସନାଲ ଇଣ୍ଟେଲିଜେନ୍ସର ବିଦାୟୀ ଡାଇରେକ୍ଟର (DNI) ତୁଳସୀ ଗାବାର୍ଡ ଏଭଳି ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି।

ନିଜ କାର୍ଯ୍ୟକାଳର ଶେଷ ଦିନରେ କିଛି ଅପ୍ରକାଶିତ ତଥା ଗୁପ୍ତ ଦସ୍ତାବିଜ ସାମ୍ନାକୁ ଆଣି ଗାବାର୍ଡ କହିଛନ୍ତି ଯେ, ୨୦୨୦ ମସିହାରେ ଯେତେବେଳେ କୋଭିଡ ମହାମାରୀ ଆମେରିକାରେ ବ୍ୟାପିଥିଲା, ସେତେବେଳେ ସରକାରୀ ରଣନୀତିର ନେତୃତ୍ୱ ନେଉଥିବା ଫାଉଚି, ଆମେରିକା ଟିକସଦାତାଙ୍କ ଲକ୍ଷ ଲକ୍ଷ ଡଲାର ଚୀନର 'ଉହାନ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି' (WIV) କୁ ଦେଇଥିଲେ। ଏହି ଅର୍ଥ ଭୂତାଣୁର କ୍ଷମତା ବଢ଼ାଇବା ସମ୍ପର୍କିତ ଗବେଷଣା ପାଇଁ ବ୍ୟବହାର କରାଯାଇଥିଲା।

ଗାବାର୍ଡଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ସରକାରୀ ବିବୃତ୍ତି ଅନୁସାରେ, ଫାଉଚି ଗୁଇନ୍ଦା ଅଧିକାରୀଙ୍କ ସହ ମିଶି କୋଭିଡ-୧୯ ର 'ଲ୍ୟାବ୍-ଲିକ୍' (ଗବେଷଣାଗାରରୁ ଭୂତାଣୁ ବାହାରିବା) ସତ୍ୟକୁ ଚାପିଦେବାକୁ ଚେଷ୍ଟା କରିଥିଲେ। ୨୦୨୪ ମସିହାରେ ଆମେରିକା କଂଗ୍ରେସ (ସଂସଦ) ସାମ୍ନାରେ ଶପଥ ନେଇ ଫାଉଚି କହିଥିଲେ ଯେ, ସେ ଭୂତାଣୁ ଗବେଷଣା ବା ଗୁଇନ୍ଦା ଅଧିକାରୀଙ୍କ ସହ କୌଣସି ଆଲୋଚନାରେ ସାମିଲ ନଥିଲେ। କିନ୍ତୁ ବର୍ତ୍ତମାନ ହସ୍ତଗତ ହୋଇଥିବା ଦସ୍ତାବିଜ ପ୍ରମାଣ କରୁଛି ଯେ, ଫାଉଚି କଂଗ୍ରେସ ନିକଟରେ ମିଛ କହିଥିଲେ।

କୋଭିଡର ଉତ୍ପତ୍ତି ସମ୍ପର୍କିତ ଗୁଇନ୍ଦା ସଂସ୍ଥାର ଆକଳନକୁ ପ୍ରଭାବିତ ଏବଂ ନିୟନ୍ତ୍ରିତ କରିବାରେ ଫାଉଚିଙ୍କ ସିଧାସଳଖ ହାତ ଥିଲା। ୩୮ ବର୍ଷ ଧରି ଆମେରିକାର 'ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଆଲର୍ଜି ଆଣ୍ଡ ଇନଫେକ୍ସିଅସ୍ ଡିଜିଜେସ୍' (NIAID) ର ମୁଖ୍ୟ ରହିଥିବା ୮୫ ବର୍ଷୀୟ ଫାଉଚି ୨୦୨୨ ଡିସେମ୍ବରରେ ଅବସର ନେଇଥିଲେ। ଅଭିଯୋଗ ହୋଇଛି ଯେ, ସେ ବଡ଼ ବଡ଼ ଫାର୍ମାସ୍ୟୁଟିକାଲ୍ କମ୍ପାନୀ (ଔଷଧ କମ୍ପାନୀ) ଏବଂ ଟ୍ରିଲିୟନ ଡଲାର ମୂଲ୍ୟର "ୟୁନିଭର୍ସାଲ ଭ୍ୟାକସିନ" ବା ସାର୍ବଜନୀନ ଟିକା ପ୍ରସ୍ତୁତି ବ୍ୟବସାୟର ସ୍ୱାର୍ଥ ରକ୍ଷା ପାଇଁ ଏହି ବିପଜ୍ଜନକ କରୋନା ଗବେଷଣାକୁ ପ୍ରୋତ୍ସାହନ ଦେଇଥିଲେ।

ଫାଉଚି ପରଦା ପଛରେ ରହି ନିଜ ପସନ୍ଦର ବିଶେଷଜ୍ଞମାନଙ୍କ ଜରିଆରେ ଗୁଇନ୍ଦା ସଂସ୍ଥା ଉପରେ ଚାପ ପକାଇଥିଲେ, ଯେମିତି କୋଭିଡକୁ ଏକ ପ୍ରାକୃତିକ କିମ୍ବା ପଶୁପକ୍ଷୀଙ୍କ ଠାରୁ ସୃଷ୍ଟି ହୋଇଥିବା ଭୂତାଣୁ ବୋଲି ଦର୍ଶାଯାଇପାରିବ। ଏହାଦ୍ୱାରା ସେ ନିଜର ବିପଜ୍ଜନକ ଗବେଷଣାକୁ ଲୁଚାଇବାକୁ ଚାହୁଁଥିଲେ ବୋଲି ଗାବାର୍ଡଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ରିପୋର୍ଟ ଅନୁଯାୟୀ, ମହାମାରୀ ସମୟରେ ଫାଉଚି ଏବଂ କିଛି ଗୁଇନ୍ଦା ଅଧିକାରୀ ମିଶି ଏକ ଆତ୍ମ-ସ୍ୱାର୍ଥ ରକ୍ଷାକାରୀ ବ୍ୟବସ୍ଥା ତିଆରି କରିଥିଲେ ।

ଫାଉଚି ନିଜ ସଂସ୍ଥା (NIAID) ରୁ ପାଣ୍ଠି ପାଉଥିବା ବୈଜ୍ଞାନିକମାନଙ୍କୁ ଗୁଇନ୍ଦା ସଂସ୍ଥାକୁ ପରାମର୍ଶ ଦେବା ପାଇଁ ବାଛିଥିଲେ। ଏହି ବୈଜ୍ଞାନିକମାନଙ୍କ ପରାମର୍ଶ ଆଧାରରେ ଗୁଇନ୍ଦା ରିପୋର୍ଟ ପ୍ରସ୍ତୁତ କରାଗଲା, ଯାହାକୁ ପରବର୍ତ୍ତୀ ସମୟରେ 'ବୈଜ୍ଞାନିକ ସହମତି' ବୋଲି କହି ଲ୍ୟାବ୍-ଲିକ୍ ତଥ୍ୟକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। ଫାଉଚି ନିଜେ ଏକ "ଜାଲ୍ ବା ଭ୍ରମାତ୍ମକ ବୈଜ୍ଞାନିକ ପେପର" ପ୍ରକାଶ କରିବାରେ ସାହାଯ୍ୟ କରିଥିଲେ ଏବଂ ପରେ ତାହାକୁ ଗୁଇନ୍ଦା ସଂସ୍ଥା ନିକଟରେ ସତ୍ୟ ବୋଲି ଉପସ୍ଥାପନ କରିଥିଲେ।