ଲକ୍ଷ୍ନୌ: ଯୋଗୀ ସରକାରଙ୍କ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନେକ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏଥିରେ ଗୌତମବୁଦ୍ଧ ନଗରର ଗ୍ରେଟର ନୋଏଡାରେ ଥିବା ଜେବର ଏୟାରପୋର୍ଟର ନାମ ବଦଳାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ରଖିବାକୁ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଛି। ଏୟାରପୋର୍ଟ ନାମକରଣ ପାଇଁ ୟୁପି ସରକାର ଏବେ ଅଣ୍ଟାଭିଡି ଲାଗି ପଡିଛନ୍ତି। କ୍ୟାବିନେଟ ବୈଠକ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ନିଜେ ନୋଏଡା ଇଣ୍ଟରନ୍ୟାସନାଲ ଏୟାରପୋର୍ଟକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ନାମିତ କରିବାକୁ ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଜେବର ଏୟାରପୋର୍ଟର ନାମ ‘ନରେନ୍ଦ୍ର ମୋଦି ଇଣ୍ଟରନ୍ୟାସନାଲ ଏୟାରପୋର୍ଟ’ ରଖିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶର ବିକାଶ ହୋଇଛି। ରାଜ୍ୟରେ ୪୨ଟି ନୂଆ ହାଇୱେ ନିର୍ମିତ ହୋଇଛି। ଏହା ଛଡା କ୍ୟାବିନେଟ ବୈଠକରେ ମୋଟ ୩୯ ପ୍ରସ୍ତାବରେ ମୋହର ଲାଗିଛି। ଲକ୍ଷ୍ନୌରେ ସାମ୍ବାଦିକ ସମ୍ମିଳନୀରେ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଉତ୍ତରପ୍ରଦେଶ କ୍ୟାବିନେଟ୍ ନରେନ୍ଦ୍ର ମୋଦିଙ୍କ ଜନସେବାର ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛି।

ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଏହି ଅବସରରେ ବିରୋଧୀଙ୍କୁ ମଧ୍ୟଭୁଲି ନାହାନ୍ତି। କହିଛନ୍ତି ୨୦୧୭ ମସିହା ପୂର୍ବରୁ ପ୍ରଦେଶ ପ୍ରଶାସନିକ ଅସ୍ଥିରତା ଓ ସାଧାରଣ ଲୋକେ ଅସୁରକ୍ଷିତ ଅନୁଭବ କରୁଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦର୍ଶିତାରୁ ପ୍ରେରଣା ନେଇ ୟୁପି ଶାସନର ନୂଆ କାର୍ଯ୍ୟ ସଂସ୍କୃତିକୁ ଆପଣେଇଥିଲା, ଆଜି ପ୍ରଦେଶ ଆତ୍ମ ବିଶ୍ୱାସର ସହିତ ବିକାଶର ନୂଆ ଉଦାହରଣ ସ୍ଥାପନା କରୁଛି।