ନୂଆଦିଲ୍ଲୀ: ସିବିଏସଇର ଅନ୍-ସ୍କ୍ରିନ୍ ମାର୍କିଂ ସିଷ୍ଟମ୍ ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସିର ପୁନଃ-ପରୀକ୍ଷା ପୋର୍ଟାଲରେ ସୁରକ୍ଷା ଜନିତ ତ୍ରୁଟି ଅଭିଯୋଗ ଆସିବାର ମାତ୍ର କିଛି ଦିନ ପରେ, ପରୀକ୍ଷା ସମ୍ବନ୍ଧୀୟ ଆଉ ଏକ ଡିଜିଟାଲ୍ ପ୍ଲାଟଫର୍ମ ଏବେ ସନ୍ଦେହ ଘେରକୁ ଆସିଛି । ଏଥର, ଭାରତର ସବୁଠାରୁ ପ୍ରତିଯୋଗିତାମୂଳକ ପ୍ରବେଶିକା ପରୀକ୍ଷା ମଧ୍ୟରୁ ଅନ୍ୟତମ ଜେଇ ଆଡଭାନ୍ସ ୨୦୨୬ ସହ ଜଡ଼ିତ ଡିଜିଟାଲ୍ ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠିଛି ।

ଦୁବାଇର ଜଣେ ସାଇବର ସିକ୍ୟୁରିଟି ରିସର୍ଚ୍ଚର ରାଇଲେନ୍ ଅନିଲ୍ ଏକ୍ସରେ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି, ଏକ ସାର୍ବଜନୀନ ଭାବେ ଉପଲବ୍ଧ କ୍ଲାଉଡ୍ ଷ୍ଟୋରେଜ୍ କନଫିଗୁରେସନ୍ ଯୋଗୁଁ ଜେଇ ଆଡଭାନ୍ସ ୨୦୨୬ର ପରୀକ୍ଷାର୍ଥୀଙ୍କ ସୂଚନା ସାମ୍ନାକୁ ଚାଲିଆସିଛି । ରିସର୍ଚ୍ଚର ଅନୁଯାୟୀ, ଏହି ତ୍ରୁଟି ଯୋଗୁଁ ପ୍ରାୟ ୧,୭୯,୬୦୦ ଫଳାଫଳ ରେକର୍ଡ ଏବଂ ପାଖାପାଖି ୧,୮୭,୩୦୦ ଆଡମିଟ୍ କାର୍ଡ ପିଡିଏଫ୍ ଖୋଲାରେ ଉପଲବ୍ଧ ହୋଇଥିଲା ।

ତ୍ରୁଟିକୁ ସ୍ୱୀକାର କଲା ଆଇଆଇଟି ରୁର୍କି

ପୂର୍ବ ପରି ବିବାଦ ଏଡ଼ାଇ ନଯାଇ, ଜେଇ ଆଡଭାନ୍ସ ୨୦୨୬ର ଆୟୋଜକ ସଂସ୍ଥା ଆଇଆଇଟି ରୁର୍କି ଏହି ତ୍ରୁଟିକୁ ସାର୍ବଜନୀନ ଭାବେ ସ୍ୱୀକାର କରିଛି । ଏକ୍ସରେ ପ୍ରତିକ୍ରିୟା ରଖି ଆଇଆଇଟି ରୁର୍କି ସାଇବର୍ ସିକ୍ୟୁରିଟି ରିସର୍ଚ୍ଚରଙ୍କୁ ଏହି ସମସ୍ୟା ବିଷୟରେ ଜଣାଇଥିବାରୁ ଧନ୍ୟବାଦ ଦେଇଛି । ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ନେଇ ମଧ୍ୟ ସଂସ୍ଥା ସ୍ପଷ୍ଟ କରିଛି ।

ସଂସ୍ଥା କହିଛି, "କ୍ଲାଉଡ୍ ଷ୍ଟୋରେଜ୍ ଡିଭାଇସରେ ଥିବା କନଫିଗୁରେସନ୍ ସମସ୍ୟା ଆଡ଼କୁ ଦୃଷ୍ଟି ଆକର୍ଷଣ କରିଥିବାରୁ ଆପଣଙ୍କୁ ଧନ୍ୟବାଦ । ଏହାକୁ ପ୍ରାଥମିକତା ଭିତ୍ତିରେ ଠିକ୍ କରାଯାଉଛି । ସେଠାରେ ସଂରକ୍ଷିତ ତଥ୍ୟ କେବଳ 'ରିଡ୍-ଓନଲି' ଥିଲା, ତେଣୁ ସେଥିରେ କୌଣସି ପ୍ରକାରର ପରିବର୍ତ୍ତନ ବା ହେରଫେରର ସମ୍ଭାବନା ନଥିଲା । ଆପଣଙ୍କର ଏହି ଦାୟିତ୍ୱବାନ ବ୍ୟବହାରକୁ ଆମେ ପ୍ରଶଂସା କରୁଛୁ ।"

ସଂସ୍ଥାର ପ୍ରତିକ୍ରିୟାରୁ ଜଣାପଡୁଛି ଯେ ତଥ୍ୟଗୁଡ଼ିକ ଅନ୍ୟମାନଙ୍କ ପାଇଁ ଦୃଶ୍ୟମାନ ହୋଇଥାଇପାରେ, କିନ୍ତୁ ଏହି ତ୍ରୁଟିପୂର୍ଣ୍ଣ ଷ୍ଟୋରେଜ୍ କନଫିଗୁରେସନ୍ ମାଧ୍ୟମରେ ରେକର୍ଡଗୁଡ଼ିକୁ ବଦଳାଯାଇଥିବାର କୌଣସି ସଙ୍କେତ ମିଳିନାହିଁ । ପରବର୍ତ୍ତୀ ସମୟରେ ରାଇଲେନ୍ ଅନିଲ୍ ମଧ୍ୟ ଏହି ମାମଲାର ସମାଧାନ କରିଥିବାରୁ ଆଇଆଇଟି ରୁର୍କିକୁ ଧନ୍ୟବାଦ ଜଣାଇଛନ୍ତି । ସଂସ୍ଥାନର ତତ୍ପରତାକୁ ପ୍ରଶଂସା କରିଛନ୍ତି ।

ପରୀକ୍ଷାର୍ଥୀଙ୍କ ତଥ୍ୟ ଲିକ୍ ହୋଇଥିବା ଅଭିଯୋଗ

ଅନିଲଙ୍କ କହିବା ଅନୁସାରେ, ଖୋଲାରେ ଉପଲବ୍ଧ ହୋଇଥିବା ଫାଇଲଗୁଡିକ ମଧ୍ୟରେ ଆଡମିଟ୍ କାର୍ଡର ପିଡିଏଫ୍ ଏବଂ ରେଜଲ୍ଟ ସମ୍ପର୍କିତ ରେକର୍ଡ ଥିଲା । ପରୀକ୍ଷାର୍ଥୀଙ୍କ ନାମ, ଜନ୍ମ ତାରିଖ ଏବଂ ମୋବାଇଲ୍ ନମ୍ବର ଭଳି ବ୍ୟକ୍ତିଗତ ସୂଚନା ରହିଥିଲା । ତେବେ, ଆଇଆଇଟି ରୁର୍କିର ସ୍ୱୀକାରୋକ୍ତି ସ୍ପଷ୍ଟ କରୁଛି ଯେ କ୍ଲାଉଡ୍ ଷ୍ଟୋରେଜ୍ କନଫିଗୁରେସନ୍ରେ ସମସ୍ୟା ଥିଲା ଏବଂ ସଂସ୍ଥାନର ଦୃଷ୍ଟିକୁ ଏହା ଅଣାଯିବା ପରେ ସମାଧାନମୂଳକ ପଦକ୍ଷେପ ନିଆଯାଇଛି ।

ସିବିଏସଇ, ଏନଟିଏ ଏବଂ ଏବେ ଜେଇ ଆଡଭାନ୍ସ ସହ ସହ ଜଡ଼ିତ ପୋର୍ଟାଲ ସାଇବର୍ ସୁରକ୍ଷା ସମ୍ୱନ୍ଧୀୟ ପ୍ରଶ୍ନର ସମ୍ମୁଖୀନ ହୋଇଛି । ବର୍ତ୍ତମାନ କେବଳ ପରୀକ୍ଷା ପରିଚାଳନା ନୁହେଁ, ବରଂ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ବ୍ୟକ୍ତିଗତ ସୂଚନା ସୁରକ୍ଷିତ ରଖୁଥିବା ସିଷ୍ଟମଗୁଡିକ ଉପରକୁ ମଧ୍ୟ ପ୍ରଶ୍ନ ଉଠିଲାଣି ।