ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଆଇଏଏସ୍ ଅଫିସର ନରେଶ ପାଲ ଗଙ୍ଗୱାରଙ୍କୁ ଶିକ୍ଷା ସଚିବ ନିଯୁକ୍ତି କରାଯିବାରେ ପ୍ରଶ୍ନ ଉଠାଇଛନ୍ତି। ରମେଶ ପଶୁପାଳନ ଓ ଡାୟେରୀ ବିଭାଗରେ ଗଙ୍ଗୱାର ଙ୍କ କାର୍ଯ୍ୟକାଳରେ ସବସିଡି ସମ୍ପର୍କିତ କଥିତ ଅନିୟମିତତା କଥା ଉଲ୍ଲେଖ କରିଛନ୍ତି। ଏ ନେଇ ରମେଶ ଏକ୍ସ ରେ ଏକ ପୋଷ୍ଟ କରିଥିବା ବେଳେ ସରକାରଙ୍କ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ଏହା ସେତେବେଳେ ହୋଇଛି ଯେତେବେଳେ ନିଟ୍-ୟୁଜି ୨୦୨୪ ପେପର ଲିକ୍ ମାମଲାରେ ସିବିଆଇ ସଞ୍ଜିବ କୁମାର( ସଞ୍ଜିବ ମୁଖିଆ)ଙ୍କ ବିରୋଧରେ କୌଣସି ପ୍ରମାଣ ଜୁଟାଇ ପାରିଲାନି। ଏହି ଘଟଣା ଏନଡିଏ ସରକାରଙ୍କ ବିଶ୍ୱସନୀୟତା ଉପରେ ପ୍ରଶ୍ନ ଚିହ୍ନ ଲଗାଉଥିବା ରମେଶ କହିଛନ୍ତି।

ଜୟରାମ ରମେଶ କହିଛନ୍ତି ଯେ ଏବେକା ଘଟଣା ଦେଶର ଶିକ୍ଷା ପ୍ରଣାଳୀ ଓ ପେପର ଲିକ୍ ମାମଲାରେ ମୋଦି ସରକାରଙ୍କ ବିଶ୍ୱସନିୟତା ଉପରେ ସନ୍ଦେହ ସୃଷ୍ଟି କରିଛି। ସେ କହିଛନ୍ତି ଯେ ହାୟର ଏଜୁକେସନ ସେକ୍ରେଟାରୀଙ୍କୁ ବଦଳି କରାଯାଇଛି ଓ ତାଙ୍କ ସ୍ଥାନରେ ଜଣେ ଏପରି ଅଧିକାରୀଙ୍କୁ ଅବସ୍ଥାପିତ କରାଯାଇଛି ଯାହାଙ୍କ ପରିବାର କୃଷି ମନ୍ତ୍ରାଳୟରୁ ବିପୁଳ ସବସିଡି ପ୍ରାପ୍ତ କରିଛନ୍ତି। ଏହା ମଧ୍ୟ ଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି।

ରମେଶ କହିଛନ୍ତି ଯେ ସିବିଆଇ ସଞ୍ଜିବ ମୁଖିଆଙ୍କୁ କ୍ଲିନଚିଟ୍ ଦେଇଛି। ମୁଖିଆଙ୍କୁ ୨୦୨୪ ନିଟ୍ ୟୁଜି ପେପର ଲିକ୍ ର ମାଷ୍ଟରମାଇଣ୍ଡ କୁହାଯାଇଥିଲା। ରମେଶ ଏହା ବି ଲେଖିଛନ୍ତି ଯେ ସଞ୍ଜିବ ମୁଖିଆଙ୍କ ପତ୍ନୀ ବିହାର ବିଧାନସଭା ନିର୍ବାଚନରେ ଏଲଜେପି ଟିକେଟ୍ ରେ ନିର୍ବାଚନ ଲଢିଥିଲେ। ଏଲଜେପି ଏନଡିଏର ଏକ ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଦଳ। ଏଥିରୁ ନରେଶ ପାଲ ଗଙ୍ଗୱାରଙ୍କ ଶିକ୍ଷା ସଚିବ ନିଯୁକ୍ତିର ଉତ୍ତର ସହଜରେ ମିଳି ଯାଉଛି ବୋଲି ରମେଶ କହିଛନ୍ତି।

ଏକ ଅନ୍ୟ ପୋଷ୍ଟରେ ରମେଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପେପର ଲିକ୍ ମାମଲା ନିମନ୍ତେ ଫାଷ୍ଟଟ୍ରାକ୍ କୋର୍ଟରେ ବିଚାର ଲାଗି ଘୋଷଣାକୁ ‘ଫାଙ୍କା’ ଓ ‘ଅର୍ଦ୍ଧରାତ୍ରିରେ’ ନିଆଯାଇଥିବା ନିଷ୍ପତ୍ତି ବୋଲି କହିଛନ୍ତି। ରମେଶ କହିଛନ୍ତି ଯେ ଦେଶର ଆଇନରେ ବିନା କୌଣସି ସଂସୋଧନରେ ମଧ୍ୟ ଫାଷ୍ଟ-ଟ୍ରାକ୍ କୋର୍ଟ ସ୍ଥାପିତ କରାଯାଇ ପାରିବ। ତେବେ ଏ ନେଇ ରମେଶ ସରକାରଙ୍କ ମାନସିକତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଫାଷ୍ଟଟ୍ରାକ୍ କୋର୍ଟ ସେବେ ଯାଇ ପ୍ରଭାବୀ ହେବ ଯେବେ ଯାଞ୍ଚ ଏକ ନିଶ୍ଚିତ ସମୟ ସୀମା ମଧ୍ୟରେ ଓ ରାଜନୈତିକ ଇଛାଶକ୍ତି ସହିତ କରାଯିବ।