ନୂଆଦିଲ୍ଲୀ ୦୬/୦୮:ଆମେରିକା ରଚିଥିଲା ମୃତ୍ୟୁର ତାଣ୍ଡବ । ଇତିହାସର ସେହି କଳା ଦିନ । ହିରୋସୀମାର କଳା ଦିନକୁ ପୁରିଛି ୮୧ ବର୍ଷ । ଭୟଙ୍କର ଧ୍ବଂସଲୀଲାର ସାକ୍ଷୀ । କଳା ଦିନର ଶୋକ ମନାଉଛନ୍ତି ଜାପାନବାସୀ । ଏ କାହାଣୀ ସେହି ଧ୍ବଂସ ଲୀଳାର । ଯାହା ପୁରା ଦୁନିଆକୁ ଦୋହଲାଇ ଦେଇଥିଲା । ଗୁରୁବାର ପୁରା ଜାପାନବାସୀ ଏହି କଳାଦିନକୁ ମନେ ପକାଇଛନ୍ତି । ହିରୋସୀମାର ଶାନ୍ତି ମେମୋରିଆଲ ପାର୍କରେ ୮୧ ବର୍ଷ ପୂର୍ତ୍ତି ପାଳନ କରାଯାଇଛି । ସମସ୍ତେ ପିନ୍ଧିଥିଲେ କଳା ପୋଷାକ । ଜାପାନ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ପ୍ରତିନିଧିତ୍ବରେ ୧୨୩ଟି ଦେଶର ପ୍ରତିନିଧି ସାମିଲ ହୋଇଥିଲେ । ସ୍ମାରକୀ ସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ମୃତକଙ୍କ ପାଇଁ ନିରବ ପ୍ରାର୍ଥନା କରାଯାଇଛି । ପରମାଣୁ ଅସ୍ତ୍ର ମୁକ୍ତ ବିଶ୍ବ ଗଠନ ପାଇଁ ପୁଣି ଥରେ ଆହ୍ବାନ କରିଛନ୍ତି ଜାପାନ ପ୍ରଧାନମନ୍ତ୍ରୀ । ଲୋକସଭାରେ ହିରୋସୀମା ଓ ନାଗାସାକି ପୀଡିତଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବାଚସ୍ପତି ଓମ୍ ବିର୍ଲା ।