ନୂଆଦିଲ୍ଲୀ: ଜାପାନର ସଂସଦ ଏକ ନୂଆ 'ଜାତୀୟ ଗୁପ୍ତଚର ପରିଷଦ' ଏବଂ ଏକ 'ଜାତୀୟ ଗୁପ୍ତଚର ବ୍ୟୁରୋ' (NIB) ପ୍ରତିଷ୍ଠା ପାଇଁ ଆଇନ ପାସ କରିଛି । ୧୯୫୨ ମସିହା ପରଠାରୁ ଜାପାନର ଗୁଇନ୍ଦା ବ୍ୟବସ୍ଥାରେ ଏହା ସବୁଠାରୁ ବଡ଼ ପରିବର୍ତ୍ତନ । ପ୍ରଧାନମନ୍ତ୍ରୀ ସନାଏ ତାକାଇଚିଙ୍କ ସରକାର ଏହି ଆଇନକୁ ଏପରି ସମୟରେ ପାସ କରିଛନ୍ତି, ଯେତେବେଳେ ନୂଆଦିଲ୍ଲୀରେ କ୍ୱାଡ୍ ଦେଶଗୁଡ଼ିକର ବୈଠକ ଅନୁଷ୍ଠିତ ହେଉଛି । ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ତାକାଇଚି ଅଷ୍ଟ୍ରେଲିଆ, ଭିଏତନାମ ଓ ଫିଲିପାଇନ୍ସ ଗସ୍ତ କରିଥିବା ବେଳେ ଫିଲିପାଇନ୍ସ ରାଷ୍ଟ୍ରପତି ମଧ୍ୟ ଜାପାନ ଗସ୍ତ କରିଛନ୍ତି । ଏହି ସବୁ ଗସ୍ତରୁ ସ୍ପଷ୍ଟ ଜଣାପଡୁଛି ଯେ ଜାପାନ ଏବେ ତା'ର ପୁରୁଣା 'ଫୁକୁଦା ସିଦ୍ଧାନ୍ତ'କୁ ପଛରେ ପକାଇ ଆଗକୁ ବଢ଼ିଛି ।

ଚୀନ ବିରୋଧରେ ଜାପାନର ରଣନୀତି

ଜାପାନର ପ୍ରଧାନମନ୍ତ୍ରୀ ଚୀନ ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ ଆସିଆନ୍ ଦେଶଗୁଡ଼ିକ ସହିତ ପ୍ରତିରକ୍ଷା ସମ୍ପର୍କକୁ ଅଧିକ ମଜଭୁତ କରିବାକୁ ଚାହୁଁଛନ୍ତି । ଜାପାନ ଏବେ ତା'ର 'ଜାତୀୟ ସୁରକ୍ଷା ରଣନୀତି' ଅଧୀନରେ ସରକାରୀ ସୁରକ୍ଷା ସହାୟତା ଏବଂ ପାରସ୍ପରିକ ପ୍ରବେଶ ଚୁକ୍ତି ମାଧ୍ୟମରେ ଏକ ଶକ୍ତିଶାଳୀ ସୁରକ୍ଷା ବ୍ୟବସ୍ଥା ତିଆରି କରୁଛି ।

ଏହି ପଦକ୍ଷେପ ଦ୍ୱାରା ଜାପାନ ନିଜକୁ ଏକ ଶାନ୍ତ ଦେଶ ବଦଳରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଏକ ସକ୍ରିୟ ସୁରକ୍ଷା ସହଯୋଗୀ ଭାବରେ ଉପସ୍ଥାପିତ କରିଛି । ଜାପାନ ଏବେ ଆସିଆନ୍ ଦେଶଗୁଡ଼ିକୁ କେବଳ ଆର୍ଥିକ ସହାୟତା ଦେବାରେ ସୀମିତ ନ ରହି ବିଭିନ୍ନ କ୍ଷେତ୍ରରେ ସିଧାସଳଖ ସହଯୋଗ କରିବ । ଚୀନ୍ ଉପରେ ନିର୍ଭରଶୀଳତା କମାଇବା ପାଇଁ ଅଶୋଧିତ ତେଲ, ଦୁର୍ଲଭ ଖଣିଜ ପଦାର୍ଥର ଯୋଗାଣ ଏବଂ ଆର୍ଥିକ ସୁରକ୍ଷାକୁ ମଜଭୁତ କରିବ ।

ଫିଲିପିନ୍ସ ଓ ଭିଏତନାମ ସହ ସମ୍ପର୍କ

ଫିଲିପିନ୍ସ ବର୍ତ୍ତମାନ ଜାପାନର ସବୁଠାରୁ ନିକଟତର ପ୍ରତିରକ୍ଷା ସହଯୋଗୀ ପାଲଟିଛି । ଉଭୟ ଦେଶ କେବଳ କାଗଜପତ୍ରରେ ସୀମିତ ନ ରହି ଯୁଦ୍ଧ ଭଳି ସ୍ଥିତିର ମୁକାବିଲା ପାଇଁ ଅନ୍ୟ ଦେଶରେ ସେନା ମୁତୟନ କରି ମିଳିତ ସମରାଭ୍ୟାସ କରୁଛନ୍ତି । ଜାପାନ ସମ୍ବିଧାନ ପାରମ୍ପରିକ ଭାବେ କୌଣସି ସାମରିକ ଆକ୍ରମଣ ଦୂରେଇ ରଖୁଥିଲା, କିନ୍ତୁ ଦକ୍ଷିଣ ଚୀନ୍ ସାଗରରେ ଚୀନର ବଢ଼ୁଥିବା ଦବଦବାକୁ ଦେଖି ଜାପାନ ଏହି ନୀତି ଆଭିମୁଖ୍ୟ ଆପଣାଇଛି । ଜାପାନ, ଭିଏତନାମ ସହ ମଧ୍ୟ ଟେକ୍ନୋଲୋଜି ଏବଂ ଆର୍ଥିକ ସୁରକ୍ଷା ସମ୍ବନ୍ଧିତ ୬ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ଵାକ୍ଷର କରିଛି ।

ଭାରତ ଯେପରି ଆସିଆନ୍ ଦେଶଗୁଡ଼ିକୁ ଚୀନ୍ ଠାରୁ ଦୂରେଇ ରଖିବାକୁ ଏବଂ ସେମାନଙ୍କ ସ୍ଵାଧୀନତା ରକ୍ଷା କରିବାକୁ ଚେଷ୍ଟା କରୁଛି, ଜାପାନ ମଧ୍ୟ ସେହିଭଳି କାମ କରୁଛି । ଜାପାନ ଚାହୁଁଛି ଯେ ଏହି ଦେଶଗୁଡ଼ିକୁ ଆମେରିକା ଏବଂ ଚୀନ୍ ମଧ୍ୟରୁ କୌଣସି ଗୋଟିଏକୁ ବାଧ୍ୟ ହୋଇ ବାଛିବାକୁ ନ ପଡ଼ୁ।

ଚୀନର ପ୍ରତିକ୍ରିୟା

ସିଙ୍ଗାପୁରରେ ଜାପାନ ପ୍ରତିରକ୍ଷା ମନ୍ତ୍ରୀ ଶିଞ୍ଜିରୋ କୋଇଜୁମି କହିଛନ୍ତି ଯେ ଜାପାନ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଓ ଆତ୍ମରକ୍ଷାମୂଳକ ମାର୍ଗରେ ଚାଲିବାକୁ ପ୍ରତିବଦ୍ଧ । ଜାପାନ ଉପରେ ଲଗାଯାଇଥିବା 'ନୂଆ ସାମରିକବାଦ'ର ଅଭିଯୋଗ ଭୁଲ୍ । ଅପରପକ୍ଷରେ ଚୀନ୍ ଗଣମାଧ୍ୟମ ଜାପାନର ଏହି ନୂଆ ନୀତିକୁ ସମାଲୋଚନା କରି ଏହାକୁ 'ଶୀତଳ ଯୁଦ୍ଧର ମାନସିକତା' ଏବଂ ବିବାଦ ବଢ଼ାଇବା ଭଳି ପଦକ୍ଷେପ ବୋଲି କହିଛି । କିନ୍ତୁ ଆସିଆନର ଅଧିକାଂଶ ଦେଶ ଚୀନକୁ ମୁକାବିଲା କରିବା ପାଇଁ ଜାପାନକୁ ଏକ ବିଶ୍ୱାସଯୋଗ୍ୟ ସହଯୋଗୀ ଭାବେ ଦେଖୁଛନ୍ତି ।