ନୂଆଦିଲ୍ଲୀ ୦୪।୦୯; ଆଜି ହେଉଛି ପବିତ୍ର ଜନ୍ମାଷ୍ଟମୀ । ଜନ୍ମାଷ୍ଟମୀ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ଆଜିର ଦିନରେ ଲକ୍ଷ ଲକ୍ଷ ଭକ୍ତ ଉପବାସ ବା ବ୍ରତ ରଖନ୍ତି । କେହି ନିର୍ଜଳା ତ କେହି ଫଳାହାର କରନ୍ତି । କିନ୍ତୁ ଦୀର୍ଘ ସମୟ ଉପବାସ ପରେ ଅନେକଙ୍କୁ ହୋଇଥାଏ ଦୁର୍ବଳତା, ଥକାପଣ, ଏପରିକି ମୁଣ୍ଡ ବୁଲାଇବା ଭଳି ସମସ୍ୟା । ଏହି ସମସ୍ୟାକୁ ଏଡାଇବା ପାଇଁ କିଛି ଟିପ୍ସ ଫଲୋ କରନ୍ତୁ ।

ବ୍ରତ ଆରମ୍ଭ ପୂର୍ବରୁ ଖାଆନ୍ତୁ ହାଲୁକା ଓ ପୌଷ୍ଟିକ ଖାଦ୍ୟ । ଏହା ଶରୀରକୁ ଆଗାମୀ ସମୟ ପାଇଁ ଶକ୍ତି ଯୋଗାଇଥାଏ। କିନ୍ତୁ ମନେ ରଖନ୍ତୁ ଅଧିକ ତେଲ, ମସଲାଯୁକ୍ତ ଖାଦ୍ୟ, କିମ୍ବା ଛଣା ଜିନିଷରୁ ଦୂରେଇ ରୁହନ୍ତୁ । ନହେଲେ ହଜମ ସମସ୍ୟା ଦେଖାଦେଇପାରେ।

-ବ୍ରତ ସମୟରେ କଦଳୀ, ସେଓ, ଡାଳିମ୍ବ, ଅମୃତଭଣ୍ଡା ଭଳି ଫଳ ଖାଇବା ଭଲ । ଏହି ଫଳରେ ରହିଛି ଭିଟାମିନ୍, ମିନେରାଲ୍ସ ଏବଂ ପ୍ରାକୃତିକ ଶର୍କରା । ଯାହା ଶରୀରକୁ ଦିଏ ତୁରନ୍ତ ଶକ୍ତି । ଏକାଥରକେ ନୁହେଁ ଅଳ୍ପ ଅଳ୍ପ କରି ସମୟ ବ୍ୟବଧାନରେ ଖାଆନ୍ତୁ। ଏଥିରେ ଭୋକ ନିୟନ୍ତ୍ରଣରେ ରହିବ ଏବଂ ଶକ୍ତି ମଧ୍ୟ ବଜାୟ ରହିବ।

-ବ୍ରତରେ ସାଗୁ ମଧ୍ୟ ଏକ ଉତ୍ତମ ବିକଳ୍ପ। ସାଗୁ ଖେଚୁଡ଼ି କିମ୍ବା ସାଗୁରୁ ପ୍ରସ୍ତୁତ ଖାଦ୍ୟ ଶରୀରକୁ ଶୀଘ୍ର ଶକ୍ତି ଦେଇଥାଏ । ସେହିପରି ଅଟାରେ ଥାଏ ଫାଇବର ଓ ପ୍ରୋଟିନ୍। ଯାହା ବ୍ରତ ସମୟରେ ପୋଷଣ ଯୋଗାଇବାରେ ସାହାଯ୍ୟ କରେ।

-ମଖାନା ପୋଷକତତ୍ତ୍ୱରେ ଭରପୁର। ଅଳ୍ପ ଘିଅରେ ହାଲୁକା ଭାବରେ ଭାଜି ଖାଇପାରିବେ। ଏଥିରେ ରହିଛି ପ୍ରୋଟିନ୍ ଓ କ୍ୟାଲସିୟମ୍ । ସେହିପରି ଦହି ମଧ୍ୟ ଫଳାହାରର ଏକ ଭଲ ବିକଳ୍ପ । ଏହା ହଜମ ପ୍ରକ୍ରିୟାକୁ ସହଜ କରିଥାଏ ।

-ଆଉ ସବୁଠାରୁ ଜରୁରୀ କଥା ହେଉଛି ବ୍ରତ ସମୟରେ ପାଣି ପିଇବାକୁ ଭୁଲନ୍ତୁ ନାହିଁ। ଯେଉଁମାନେ ନିର୍ଜଳା ବ୍ରତ ରଖୁନାହାନ୍ତି, ସେମାନେ ପର୍ଯ୍ୟାପ୍ତ ପାଣି ପିଅନ୍ତୁ । ନଡ଼ିଆ ପାଣି ଲେମ୍ବୁ ପାଣି କିମ୍ବା ଛାଛ ଶରୀରକୁ ସତେଜ ରଖିଥାଏ ।

ବ୍ରତ ସରିବା ପରେ ଅନେକେ ବଡ଼ ଭୁଲ କରନ୍ତି । ଦୀର୍ଘ ଉପବାସ ପରେ ହଠାତ୍ ଭାରୀ ଖାଦ୍ୟ ଖାଇଦିଅନ୍ତି । ଏପରି କରନ୍ତୁ ନାହିଁ। ପ୍ରଥମେ ହାଲୁକା ଫଳାହାର କିମ୍ବା ତରଳ ପଦାର୍ଥ ଗ୍ରହଣ କରନ୍ତୁ । ତା’ପରେ ଧୀରେ ଧୀରେ ସାଧାରଣ ଖାଦ୍ୟ ଆରମ୍ଭ କରନ୍ତୁ । ଆଉ ଯଦି ବ୍ରତ ସମୟରେ ଅତ୍ୟଧିକ ଦୁର୍ବଳତା, ମୁଣ୍ଡ ବୁଲାଇବା କିମ୍ବା ଅସୁସ୍ଥ ଅନୁଭବ ହୁଏ ତେବେ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ତେଣୁ ବ୍ରତ ରଖନ୍ତୁ କିନ୍ତୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଭୁଲନ୍ତୁ ନାହିଁ ।