ବୌଦ୍ଧ ୧୬।୧୧: ବୌଦ୍ଧରେ କପଡ଼ା ବ୍ୟବସାୟୀ ବିରୂପାକ୍ଷ ଅଗ୍ରଓ୍ବାଲ ନିଖୋଜର ୪ ଦିନ ପରେ ବି ପୋଲିସ ହାତ ଖାଲି । ଖୋଜି ଖୋଜି ନୟାନ୍ତ ପୋଲିସ ଓ ପରିବାରବର୍ଗ । ଘଟଣାକୁ ୪ ଦିନ ବିତି ଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କର କୌଣସି ଖୋଜଖବର ମିଳିପାରି ନାହିଁ । ସମୟ ଗଡ଼ିବା ସହ ବୌଦ୍ଧ ସହରରେ ଟେନ୍ସନ୍ ବଢ଼ିବାରେ ଲାଗିଛି ।

ଗତ ୧୨ ତାରିଖ ଦିନ ପ୍ରାୟ ୧୧ଟା ପରେ ବିରୂପାକ୍ଷ ଦୋକାନରୁ ବାହାରି କୁଆଡ଼େ ଚାଲିଯାଇଥିଲେ ଏବଂ ରାତିରେ ମଧ୍ୟ ଘରକୁ ଫେରିନଥିଲେ । ଏନେଇ ପରିବାର ପକ୍ଷରୁ ଆଦର୍ଶ ଥାନାରେ ଏତଲା ଦିଆଯାଇଥିଲା । ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ୪ ଦିନ ହେଲା ତାଙ୍କର କୌଣସି ଖୋଜ ଖବର ମିଳିନାହିଁ । ଏହି ଘଟଣାର ତଦନ୍ତ ପାଇଁ ବୌଦ୍ଧ ପୋଲିସ ପକ୍ଷରୁ ୨ଟି ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି । ଗୋଟିଏ ଟିମ୍ SDPOଙ୍କ ନେତୃତ୍ବରେ କାମ କରୁଥିବା ବେଳେ ଅନ୍ୟଟି ଆଦର୍ଶ ଥାନା IICଙ୍କ ନେତୃତ୍ବରେ ତଦନ୍ତ ଜାରି ରଖିଛି । ତଥାପି ତଦନ୍ତର ୪ ଦିନ ପରେ ବି ପୋଲିସର ହାତ ଖାଲି ରହିଛି ।

ଏହି ଘଟଣାକୁ ନେଇ ଆଜି ବୌଦ୍ଧ ବଣିକ ସଂଘ ସମେତ ସହରର ବିଭିନ୍ନ ସଂଗଠନ ପକ୍ଷରୁ ଏକ ପଦଯାତ୍ରା ଶାନ୍ତିପୂର୍ଣ୍ଣ ଭାବରେ ମର୍ଯାକୁଦ ବ୍ରିଜ୍ ଛକ ଠାରୁ ବାହାରି ଏସପି କାର୍ଯ୍ୟାଳୟରେ ପହଞ୍ଚିବା ସହ ଏସପି କୁଲଦୀପ ମୀନାଙ୍କୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ତୁରନ୍ତ ଘଟଣାର ତଦନ୍ତ କରି ଉଚିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି କରିଛନ୍ତି ।