News7 Logo

ଗାଜା ସହରକୁ ସଂପୂର୍ଣ୍ଣ ଖାଲି କର : ଜେରୁଜେଲମ୍ ଆତଙ୍କବାଦୀ ହମଲା ପରେ ଆକ୍ସନ ମୁଡ୍‌ରେ ଇସ୍ରାଏଲୀୟ ସେନା

NEWS7
-

ନୂଆଦିଲ୍ଲୀ : ଇସ୍ରାଏଲୀୟ ସେନାର ବଡ଼ କାର୍ଯ୍ୟାନୁଷ୍ଠାନ। ଉତ୍ତର ଗାଜାରେ ସାମରିକ ଅଭିଯାନ ପୂର୍ବରୁ ମଙ୍ଗଳବାର ସକାଳେ ଗାଜା ସିଟିକୁ ସଂପୂର୍ଣ୍ଣ ରୂପେ ଖାଲି କରିବାକୁ ଦେଇଛି ୱାର୍ଣ୍ଣିଂ। ଗାଜାରେ ଚାଲୁଥିବା ଲଢେଇରେ ସହରକୁ ସଂପୂର୍ଣ୍ଣ ରୂପେ ଖାଲି କରିବାର ଏହା ପ୍ରଥମ ଚେତାବନୀ। ଇସ୍ରାଏଲର ପ୍ରତିରକ୍ଷା ମନ୍ତ୍ରୀ କାଟ୍‌ଜ ମଙ୍ଗଳବାର କହିଛନ୍ତି ଯେ, ଗାଜାରେ ୩୦ଟି ସୁଉଚ୍ଚ ବିଲ୍ଡିଂକୁ ଧ୍ୱଂସବିଧ୍ୱଂସ କରିଦିଆ ଯାଇଛି। ସେ ଅଭିଯୋଗ କରିଛନ୍ତି ଯେ , ହମାସ  ଏହି ବିଲ୍ଡିଂକୁ ସେନା ଭିତ୍ତିଭୂମି ରୂପେ ବ୍ୟବହାର କରୁଥିଲା।

ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ସୋମବାର କହିଥିଲେ , ଇସ୍ରାଏଲ ପାଖାପାଖି ୫୦ଟି ଆତଙ୍କୀ ଟାୱାରକୁ ନଷ୍ଟ କରିବାକୁ ଯୋଜନା କରିଛି ,ଯାହାର ବ୍ୟବହାର ହମାସ ପକ୍ଷରୁ କରାଯାଉଛି।ଗତ କିଛି ଦିନରେ ଇସ୍ରାଏଲ ଗାଜା ସହରରେ ଅନେକ ଉଚ୍ଚ ବିଲ୍ଡିଂକୁ ଧ୍ୱଂସ କରି ଦେଇଛି ଏବଂ ଦାବି କରିଛି ଯେ, ହମାସ ସେଥିରେ ପର୍ଯ୍ୟବେକ୍ଷଣର ସ୍ଥାନ ସ୍ଥାପିତ କରିଛି।

ଏହି ବିଧ୍ୱଂସ ହମାସର ରହିଯାଇ ଥିବା ଗଡ଼ ଉପରେ ନିୟନ୍ତ୍ରଣ ପାଇବା ପାଇଁ ,ଇସ୍ରାଏଲ ଆକ୍ରମଣ ବୃଦ୍ଧିର ଅଂଶ। ଇସ୍ରାଏଲ ପାଲେଷ୍ଟାଇନ୍‌ଙ୍କୁ ଗାଜା ସିଟିର କିଛି ସ୍ଥାନରୁ ଯାଇ ଦକ୍ଷିଣୀ କ୍ଷେତ୍ରରେ ନିର୍ଦ୍ଧାରିତ ମାନବୀୟ କ୍ଷେତ୍ରରେ ଯିବାକୁ ସତର୍କ କରାଇଛି। ଗାଜା ସିଟି କ୍ଷେତ୍ରରେ ପାଖାପାଖି ୧୦ଲକ୍ଷ ପାଲେଷ୍ଟାଇନ ନାଗରିକ ଅଛନ୍ତି। ହେଲେ ଉକ୍ତ ଚେତାବନୀ ପୂର୍ବରୁ ସେଥିରୁ କେବଳ ଅଳ୍ପ ସଂଖ୍ୟକ ଲୋକ ହିଁ ଗାଜା ସିଟି ଛାଡି଼  ଚାଲି ଯାଇଛନ୍ତି।

ଅନ୍ୟପଟେ ଜେରୁଜେଲମ୍‌ର ରାମୋଟ ଜଙ୍କସନରେ ସୋମବାର ଆତଙ୍କବାଦୀ ଆକ୍ରମଣରେ ୬ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଆଉ ୨୧ଜଣ ଆହତ ହୋଇଛନ୍ତି,ଏହାପରେ ଇସ୍ରାଏଲ ପଶ୍ଚିମୀ ତଟରେ ବଡ଼ ସ୍ତରରେ ସାମରିକ ଅଭିଯାନ ଆରମ୍ଭ କରି ଦେଇଛି। ପୁଲିସ ସୂତ୍ରାନୁସାରେ , ୨ ବନ୍ଧୁକଧାରୀ ରାମୋଟ ଜଙ୍କସନରେ ପହଞ୍ଚିଥିଲେ ଏବଂ ବସଷ୍ଟପ୍‌ରେ ଅପେକ୍ଷା କରୁଥିବା ଲୋକଙ୍କ ଉପରେ ଗୁଳିମାଡ଼ ଆରମ୍ଭ କରିଦେଇଥିଲେ। ଜଣେ ସଶସ୍ତ୍ର ନାଗରିକ ଓ ସୁରକ୍ଷା ଅଧିକାରୀ ଜବାବୀ କାର୍ଯ୍ୟାନୁଷ୍ଠାନରେ ଗୁଳି ଚଲାଇ ଥିଲେ , ଯେଉଁଥିରେ ଦୁଇ ଆକ୍ରମଣକାରୀଙ୍କୁ ଘଟଣାସ୍ଥଳରେ ହିଁ ନିପାତ କରାଯାଇ ଥିଲା। ଜେରୁଜେଲମ୍‌ ପୋଷ୍ଟର ରିପୋର୍ଟ ଅନୁସାରେ , ଜରୁରୀକାଳୀନ ସେବା ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ନେଇ ପହଞ୍ଚାଇଛି, ଯେଉଁଠି ଅନେକଙ୍କ ସ୍ଥିତି ଗୁରୁତର ଅଛି।