ନୂଆଦିଲ୍ଲୀ, ୦୨/୦୫ : ବଢିଲା ୟୁଏଇର ଶକ୍ତି । ସବୁ ଶତ୍ରୁଙ୍କ ମୁକାବିଲା କରିବ ୟୁଏଇ । କାରଣ ଯୁଦ୍ଧ ଲଢିବାକୁ ସମସ୍ତ ସହାୟତା ପ୍ରଦାନ କରିଛି ଇସ୍ରାଏଲ । ଏପରିକି ନିଜର ଅମୋଘ ଅସ୍ତ୍ରକୁ ମଧ୍ୟ ଇସ୍ରାଏଲ ଯୁଏଇକୁ ପ୍ରଦାନ କରିଥିବା ଜଣା ପଡିଛି ।

ରିପୋର୍ଟ ଅନୁସାରେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଥମୁନି । ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧ ବିରତି ଥିଲେ ବି ଇତ୍ତେଜନା ବଢୁଛି । ପରସ୍ପର ବିରୋଧରେ ବୟାନବାଜି କରୁଛନ୍ତି । ଇରାନ ମଧ୍ୟପ୍ରାଚ୍ୟରେ ଥିବା ଆମେରିକାର ବିଭିନ୍ନ ବେସ୍ ଉପରେ ଆକ୍ରମଣ କରୁଛି । ଏସବୁ ଭିତରେ ଇସ୍ରାଏଲ ନିଜର ଆଇରନ୍ ଡୋମ୍ ୟୁଏଇକୁ ପ୍ରଦାନ କରିଛି । ଏହାସହ ଇରାନୀ ଡ୍ରୋନର ମୁକାବିଲା ପାଇଁ ନିଜର ଆଡଭାନ୍ସଡ୍ ଲେଜର୍ ଓ୍ୱିପନକୁ ପଠାଇଛି ।

ୟୁଏଇ ସେନାରେ ଲେଜର୍ ଓ୍ୱିପନ୍ ସାମିଲ ହେଲା ପରେ ଏହାକୁ ଦୁଇ ଦେଶ ମଧ୍ୟରେ ବଡ ପ୍ରତିରକ୍ଷା ସହଯୋଗ ବୋଲି କୁହାଯାଉଛି । ପୂର୍ବରୁ ଉଭୟ ଦେଶ ମଧ୍ୟରେ କୌଣସି କୁଟନୈତିକ ସମ୍ପର୍କ ନଥିଲା । କିନ୍ତୁ ଆମେରିକାର ମଧ୍ୟସ୍ତତା ପରେ ୨୦୨୦ରେ ଆବ୍ରାହମ୍ ଆକର୍ଡ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଛି । ଯାହାକୁ ନେଇ ୟୁଏଇର ଜଣେ ଅଧିକାରୀ କହିଛନ୍ତି ଯେ, ଲେଜର ଅସ୍ତ୍ର ପ୍ରଦାନ ଦ୍ୱାରା ଇସ୍ରାଏଲ ନିଜର ବନ୍ଧୁତାକୁ ପ୍ରମାଣିତ କରିଛି । ଦୁଇ ଦେଶ ଆଗକୁ ପରସ୍ପରକୁ ସହଯୋଗ କରିବେ । ଖାଲି ଏତିକି ନୁହେଁ ଅନ୍ୟ ଏକ ଆଡଭାନ୍ସଡ୍ ସର୍ଭିଲାନ୍ସ ସିଷ୍ଟମ୍ ସ୍ପେକ୍ଟୋକୁ ଇସ୍ରାଏଲ ୟୁଏଇକୁ ଦେଇଛି । ଯାହା ୨୦ କିଲୋମିଟର ପରିଧି ମଧ୍ୟରେ ଡ୍ରୋନକୁ ଠାବ କରିପାରିବ ।

Also Read :-Donald Trump: ଜର୍ମାନୀକୁ ବଡ଼ ଝଟକା ଦେଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ, ୫ ହଜାର ସୈନ୍ୟ ପ୍ରତ୍ୟାହାର ନିର୍ଦ୍ଦେଶ

ଆଇରନ୍ ବିମ୍ ଲେଜର୍ ସିଷ୍ଟମ୍

ତେଲ୍ ଅଭିଭ୍ ୟୁଏଅକୁ ଯେଉଁ ଆଇରନ୍ ବିମ୍ ଦେଇଛି ତାହା ଏକ ପ୍ରତିରକ୍ଷା ପ୍ରଣାଳୀ । ଏହା ସର୍ଟ୍ ରେଞ୍ଜ୍ ରକେଟ୍ ଏବଂ ଡ୍ରୋନକୁ କିଛି ସେକେଣ୍ଡରେ ପାଉଁଶ କରିଦେବ । ଏହାକୁ ପ୍ରଥମେ ଇସ୍ରାଏଲ ହିଜବୁଲ୍ଲା ବିରୋଧରେ ବ୍ୟବହାର କରିଥିଲା । ଲେଜର୍ ସିଷ୍ଟମ୍ ବ୍ୟତୀତ ୟୁଏଇକୁ ଇସ୍ରାଏଲ ନିଜର ସେନା ପଠାଇଛି ।

ସୂଚନାଯୋଗ୍ୟ, ଇରାନ ଏବେସୁଦ୍ଧା ୟୁଏଇ ଉପରେ ୨୦୦ ଡ୍ରୋନ୍ ଏବଂ ୫୦୦ ବାଲିଷ୍ଟିକ୍ ମିସାଇଲ୍ ମାଡ କରିସାରିଛି । ଇସ୍ରାଏଲ ସହାୟତାରେ ଏସବୁର ମୁକାବିଲାର କରିବାରେ ୟୁଏଇ ଅନେକାଂଶରେ ସଫଳ ହୋଇଛି । ଇସ୍ରାଏଲ ଏପରିକି ନିଜର ଗୁଇନ୍ଦା ତଥ୍ୟ ମଧ୍ୟ ୟୁଏଇ ସହ ସେୟାର କରିଛି ।