ନୂଆଦିଲ୍ଲୀ: ଆୟରଲ୍ୟାଣ୍ଡ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୁଇ ଥର ବିଶ୍ୱବିଜେତା ଭାରତୀୟ ଦଳ ବିପକ୍ଷରେ ଏକ ସ୍ମରଣୀୟ ତଥା ଐତିହାସିକ ଟି-୨୦ ସିରିଜ୍ ବିଜୟ ହାସଲ କରିବାର ମାତ୍ର ଗୋଟିଏ ଦିନ ପରେ ଆୟରଲ୍ୟାଣ୍ଡର ମୁଖ୍ୟ କୋଚ୍ ହେନରିଚ୍‌ ମଲାନ ସମସ୍ତଙ୍କୁ ଚକିତ କଲାଭଳି ଏକ ନିଷ୍ପତ୍ତି ନେଇଛନ୍ତି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଭାରତୀୟ ଦଳକୁ ୨-୦ ରେ ପରାସ୍ତ କରି ଆୟରଲ୍ୟାଣ୍ଡ ଅନ୍ତର୍ଜାତୀୟ କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ଭାରତ ବିପକ୍ଷରେ ସିରିଜ୍ ଜିତିବାର ଗୌରବ ଅର୍ଜନ କରିଛି। କିନ୍ତୁ ଏହି ସଫଳତାର ଉତ୍ସବ ମଧ୍ୟରେ ମଲାନ ନିଜ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

୪ ବର୍ଷରୁ ଅଧିକ ସମୟ ଧରି ଦଳର ମୁଖ୍ୟ କୋଚ୍ ଦାୟିତ୍ୱ ତୁଲାଉଥିବା ମଲାନ, ସିରିଜ୍ ବିଜୟ ପରେ ନିଜ ଖେଳାଳି ଏବଂ ସହଯୋଗୀ କର୍ମଚାରୀଙ୍କୁ ନିଜର ଏହି ନିଷ୍ପତ୍ତି ସମ୍ପର୍କରେ ଜଣାଇଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆୟରଲ୍ୟାଣ୍ଡ କ୍ରିକେଟ୍ ଦଳ କ୍ରମାଗତ ତିନୋଟି ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବା ସହ ତିନୋଟି ମହତ୍ତ୍ୱପୂର୍ଣ୍ଣ ଟେଷ୍ଟ ମ୍ୟାଚ୍ ମଧ୍ୟ ଜିତିବାରେ ସଫଳ ହୋଇଥିଲା।

ଇସ୍ତଫା ପଛର କାରଣ
ହେନରିଚ୍‌ ମଲାନଙ୍କ ଚୁକ୍ତିନାମା ବାସ୍ତବରେ ୨୦୨୭ ମସିହା ପର୍ଯ୍ୟନ୍ତ ରହିଥିଲା। କିନ୍ତୁ ସେ ଅନୁଭବ କଲେ ଯେ, ଏବେ ଦଳ ପାଇଁ ଜଣେ ନୂଆ ମୁଖ୍ୟ କୋଚ୍ ଆସିବାର ସଠିକ୍ ସମୟ ଆସିଛି । ସେ ଆସନ୍ତା ବର୍ଷ ହେବାକୁ ଥିବା ଦିନିକିଆ (ODI) ବିଶ୍ୱକପ୍ ପାଇଁ ଦଳକୁ ଯୋଗ୍ୟତା ଅର୍ଜନ କରାଇବା ଉପରେ ସମ୍ପୂର୍ଣ୍ଣ ଧ୍ୟାନ କେନ୍ଦ୍ରୀଭୂତ କରିପାରିବେ। ବିଦାୟକାଳୀନ ବାର୍ତ୍ତାରେ ମଲାନ କହିଛନ୍ତି, ଏହି ଖେଳାଳି, ଷ୍ଟାଫ୍ ଏବଂ ଆୟରଲ୍ୟାଣ୍ଡର କ୍ରିକେଟ୍ ସମୁଦାୟ ସହ କାମ କରିବା ମୋ ପାଇଁ ଏକ ବଡ଼ ସୌଭାଗ୍ୟର ବିଷୟ ଥିଲା। ମୋ ପରିବାର ଏବଂ ମୁଁ ଏଠାରେ ରହିବାର ଏକ ସୁନ୍ଦର ଅନୁଭୂତି ପାଇଛୁ ଏବଂ ଆମେ ଆୟରଲ୍ୟାଣ୍ଡ କ୍ରିକେଟ୍ ସହ ବିତାଇଥିବା ସମୟକୁ ସବୁବେଳେ ମନେ ରଖିବୁ।

ଏହା ସହ ପାକିସ୍ତାନ, ୱେଷ୍ଟଇଣ୍ଡିଜ୍ ଏବଂ ଦକ୍ଷିଣ ଆଫ୍ରିକା ଭଳି ଶୀର୍ଷ ଦଳଗୁଡ଼ିକୁ ପରାସ୍ତ କରି କ୍ରମାଗତ ଭାବେ ବିଶ୍ୱକପକୁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଥିବା ଆୟରଲ୍ୟାଣ୍ଡ ଟିମ୍‌ ପାଇଁ ସେ ଖୁସି ବ୍ୟକ୍ତି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଆମର ଏହି ସ୍ୱପ୍ନ ଉପରେ ବିଶ୍ୱାସ ରଖିଥିବାରୁ ସମସ୍ତ ଖେଳାଳି ଓ ପ୍ରଶିକ୍ଷକଙ୍କୁ ଅନେକ ଧନ୍ୟବାଦ । ଏହା ଏକ ସ୍ବତନ୍ତ୍ର ଯାତ୍ରା ଥିଲା।

ସେପଟେ କ୍ରିକେଟ ଆୟରଲ୍ୟାଣ୍ଡର 'ଡାରେକ୍ଟର ଅଫ୍ ହାଇ ପରଫରମାନ୍ସ' ଗ୍ରେମ୍ ୱେଷ୍ଟ, ଦେଶର କ୍ରିକେଟ ଉନ୍ନତିରେ ମଲାନଙ୍କ ଅବଦାନ ପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ନିଜ ବାର୍ତ୍ତାରେ କହିଛନ୍ତି ଯେ, ମଲାନ ଏକ ଚ୍ୟାଲେଞ୍ଜପୂର୍ଣ୍ଣ ସମୟରେ ଦଳ ସହ ଯୋଡ଼ି ହୋଇଥିଲେ ଏବଂ ଆୟରଲ୍ୟାଣ୍ଡ ପୁରୁଷ କ୍ରିକେଟ ଦଳକୁ ଆଗକୁ ନେବାରେ ତାଙ୍କର ଏକ ପ୍ରମୁଖ ଭୂମିକା ରହିଥିଲା। ବିଶ୍ୱକପ୍ ଯୋଗ୍ୟତା ଠାରୁ ଆରମ୍ଭ କରି ଐତିହାସିକ ଟେଷ୍ଟ ବିଜୟ ଏବଂ ଦଳର ବେଞ୍ଚ୍ ଷ୍ଟ୍ରେନ୍ଥ ମଜଭୁତ କରିବାରେ ତାଙ୍କର ଅବଦାନ ଅତୁଳନୀୟ ।