ନୂଆଦିଲ୍ଲୀ ୧୯।୩: ପଶ୍ଚିମ ଏସିୟାରେ ଜାରି ଯୁଦ୍ଧ ବୈଶ୍ୱିକ ରାଜନୀତି ଲାଗି ନୂଆ ସଂକଟ ସୃଷ୍ଟି କରିଛି। ଯୁଦ୍ଧ ଆରମ୍ଭ ହେବା ପରେ ଇରାନ ଲଗାତାର ହୋର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ଜାହାଜଙ୍କୁ ଟାର୍ଗେଟ କରୁଛି। ଏପର୍ଯ୍ୟନ୍ତ କେବଳ ସେହି ଦେଶଙ୍କ ଜାହାଜକୁ ପ୍ରଣାଳୀ ଦେଇ ଯାତାୟାତ କରିବାକୁ ଅନୁମତି ମିଳୁଛି ଯେଉଁମାନଙ୍କ ଦେଶ ଯୁଦ୍ଧରେ ନିରପେକ୍ଷ ଅଛନ୍ତି ନଚେତ ଇରାନର ବନ୍ଧୁ ରାଷ୍ଟ୍ର। ଏବେ ସାମ୍ନାକୁ ଆସୁଥିବା ଏକ ରିପୋର୍ଟ ଅନୁସାରେ ଇରାନ ଏହି ପ୍ରଣାଳୀ ଦେଇ ଯାଉଥିବା ଜାହାଜଙ୍କ ଉପରେ ଶୁଳ୍କ ଲଗାଇବାକୁ ଯୋଜନା କରୁଛି।

ଗୁରୁବାର ଜନୈକ ଇରାନୀ ସାଂସଦ ଏ ନେଇ ବିସ୍ତୃତ ସୂଚନା ଦେଇ କହିଛନ୍ତି ଯେ ସଂସଦରେ ଏକ ଏପରି ପ୍ରସ୍ତାବ ଅଣାଯାଇଛି। ଏହି ପଦକ୍ଷେପକୁ ଗୁରୁତ୍ୱପୂର୍ଣ୍ଣ ଜଳ ମାର୍ଗ ଉପରେ ତେହେରାନର ଥିବା କର୍ତ୍ତୃତ୍ୱରୁ ଆର୍ଥିକ ଲାଭ ଅର୍ଜନର ଉଦ୍ୟମ ମନେ କରାଯାଉଛି, ଏହି ମାର୍ଗ ଦେଇ ବିଶ୍ୱର ପାଖାପାଖି ଏକ ପଞ୍ଚମାଂଶ ପ୍ରାକୃତିକ ଗ୍ୟାସ ଓ ଅଶୋଧିତ ତୈଳ ପରିବହନ ହେଉଛି। ଇରାନ ଷ୍ଟୁଡେଣ୍ଟସ ନ୍ୟୁଜ୍ ଏଜେନ୍ସୀ ଅନୁସାରେ ଇରାନ ସାଂସଦ କହିଛନ୍ତି ଯେ ତେହେରାନ ସଂସଦ ଏକ ଏପରି ବିଧେୟକ ଉପରେ ବିଚାର କରୁଛି, ଯେଉଁଥିରେ ହୋର୍ମୁଜ ଦେଇ ଯାଉଥିବା ପ୍ରତ୍ୟେକ ଜାହାଜଙ୍କ ଠାରୁ ଟୋଲ ଟ୍ୟାକ୍ସ ଆଦାୟ କରାଯିବ।

ଏହା ପୂର୍ବରୁ ଇରାନର ସର୍ବୋଚ୍ଚ ନେତାଙ୍କ ପରାମର୍ଶଦାତା କହିଥିଲେ ଯେ ଯୁଦ୍ଧ ସମାପ୍ତ ହେବା ପରେ ଇରାନ ହୋର୍ମୁଜ ନିମନ୍ତେ ଏକ ନୂଆ ବ୍ୟବସ୍ଥା ଲାଗୁ କରିପାରେ। ଏହା ଅନୁସାରେ ତେହେରାନ ସେହି ସବୁ ଦେଶଙ୍କ ଉପରେ କଟକଣା ଲଗାଇପାରେ ଯେଉଁମାନେ ତା ଉପରେ କଟକଣା ଲଗାଇ ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆମେରିକା ଚାପରେ ୟୁରୋପ ସମେତ ବିଶ୍ୱର ଅନେକ ଦେଶ ଇରାନଠାରୁ ତୈଳ ଅଥବା ଗ୍ୟାସ କ୍ରୟ କରନ୍ତିନି। ଏଣୁ ଇରାନ ଉତ୍ପାଦିତ ଅଧିକାଂଶ ତେଲ ଚୀନ୍ ଯାଏ ନଚେତ ବ୍ଲାକ ମାର୍କେଟରେ ପାକିସ୍ତାନକୁ ଯାଏ ।

ଉପସାଗରୀୟ ଦେଶଙ୍କୁ ଘେରି ରହିଥିବା ହୋର୍ମୁଜ ଦେଇ ବିଶ୍ୱର ୨୦% ତୈଳ ଓ ଗ୍ୟାସ୍ ପରିବହନ ହୋଇଥାଏ। ଏଥିରେ ଯଦି ଇରାନ ଶୁଳ୍କ ବ୍ୟବସ୍ଥା ଲାଗୁ କରେ ତେବେ ଏହା ଦେଶ ଲାଗି ଏକ ନୂଆ ଆର୍ଥିକ ଉତ୍ସ ହେବ। ଯୁଦ୍ଧ ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ଇରାନ ଏହି ପ୍ରଣାଳୀରେ ବିଶ୍ୱର ବିଭିନ୍ନ ଦେଶଙ୍କ ୨୦ଟି ଜାହାଜକୁ ଟାର୍ଗେଟ କଲାଣି। ଏଥିରେ ଅନେକ ଟ୍ୟାଙ୍କରଙ୍କୁ ଡ୍ରୋନ ଓ ମିଜାଇଲରେ ଟାର୍ଗେଟ କରାଯାଇଛି। ଏହି ସବୁ ଜାହାଜମାନଙ୍କର ନିଆଁ ଲାଗିଯାଇଛି ନଚେତ ଯାତ୍ରା ଅଧାରେ ବନ୍ଦ ରଖିଛନ୍ତି। ଏହି ସବୁ ଘଟଣାରେ କଣ୍ଟେନର ଜାହାଜ ଓ ବଲ୍କ କ୍ୟାରିୟର ମଧ୍ୟ ପ୍ରଭାବିତ ହୋଇଛନ୍ତି। ଏହାଛଡା ଆମେରିକା, ଇସ୍ରାଏଲ ଓ ୟୁରପୀୟ ଜାହାଜମାନଙ୍କୁ ଏହି ରାସ୍ତା ଦେଇ ଯିବାକୁ ଅନୁମତି ଦିଆଯାଉନି। ତେବେ ଚୀନ୍ ଓ ଭାରତର ଜାହାଜ ଏହି ବାଟ ଦେଇ ବାହାରିବା ଏବେ ପାଶ୍ଚାତ୍ୟ ଗଣମାଧ୍ୟମଙ୍କ ଆଖିରେ ଯାଉନି।