ନ୍ୟୁୟର୍କ, ୦୧/୦୪ : ସରିବ କି ଯୁଦ୍ଧ ? ଇରାନ ଉପରେ ଆକ୍ରମଣ ବନ୍ଦ କରିବେ କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ? ବୟାନ ପରେ ଜୋର୍ ଧରିଲା ଚର୍ଚ୍ଚା । ଏପରିକି ସେ ଏପ୍ରିଲ ୨ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଖବର ଆସିଛି । 

ଟ୍ରମ୍ପଙ୍କ ବୟାନ

ମଙ୍ଗଳବାର ଟ୍ରମ୍ପ୍ କହିଛନ୍ତି ଯେ, ଆମେରିକା ଇରାନ ବିପକ୍ଷ ଯୁଦ୍ଧ ଶୀଘ୍ର ସାରିବାକୁ ଚାହୁଁଛି । ଦୁଇରୁ ତିନି ସପ୍ତାହ ମଧ୍ୟରେ ସବୁ ଶେଷ ହୋଇଯିବ । ଆମେରିକା ପ୍ରଶାସନ ଇରାନ ପ୍ରତନିଧିଙ୍କ ସହ ଲଗାତର ଆଲୋଚନା କରୁଛନ୍ତି । ଇରାନ ଏବେ ଶକ୍ତିହୀନ ହୋଇ ପଡିଛି । ଆମେରିକା ଖୁବ୍ ଶୀଘ୍ର ଇରାନକୁ ଛାଡିଦେବ ବୋଲି ହ୍ୱାଇଟ୍ ହାଉସରେ ଟ୍ରମ୍ପ୍ ପ୍ରକାଶ କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେମାନେ ଇରାନ ସହ କୌଣସି ଡିଲ୍ କରିବାକୁ ଅପରେସନ କରି ନାହାଁନ୍ତି । ଆମେରିକା ସେମାନଙ୍କୁ ପ୍ରସ୍ଥର ଯୁଗକୁ ଠେଲି ଦେଇଛି । ଏବେ ଇରାନ ପାଖରେ ଆଣବିକ ଶକ୍ତି ବିକାଶ କରିବା ପାଇଁ ଆଉ କ୍ଷମତା ନାହିଁ ।

ନିଜେ ତେଲ ଆଣ

ଷ୍ଟ୍ରେଟ୍ ଅଫ୍ ହର୍ମୋଜରେ ଦେଖାଦେଇଥିବା ସଙ୍କଟକୁ ନେଇ ଟ୍ରମ୍ପ୍ କହିଛନ୍ତି ଯେ, ଯଦି ଫ୍ରାନ୍ସ କିମ୍ବା ଅନ୍ୟ କୌଣସି ଦେଶ ତେଲ କିମ୍ବା ଗ୍ୟାସ୍ ଆଣିବାକୁ ଚାହୁଁଛନ୍ତି ତେବେ ନିଜେ ଏହା ଉପରେ କାମ କରନ୍ତୁ । ଆମେରିକା ଏଥିରେ କିଛି କରିପାରିବ ନାହିଁ । ଚାଇନା ଭଳି ଦେଶ ନିଜେ ଷ୍ଟ୍ରେଟ୍ ଦେଇ ତେଲ ଏବଂ ଗ୍ୟାସ୍ ଆଣୁଛି । ଯେଉଁମାନେ ତୈଳ ସଙ୍କଟର ସମ୍ମୁଖୀନ ହେଉଛନ୍ତି ନିଜ କଥା ନିଜେ ବୁଝିବା ଦରକାର । ଆମେରିକା କାହାକୁ ସାହାଯ୍ୟ କରିପାରିବ ନାହିଁ । ଯୁଦ୍ଧ ବେଳେ ଅନେକ ଦେଶ ଆମେରିକାକୁ ସାହାଯ୍ୟ କରିନଥିଲେ । ଏବେ ଆମେରିକା ମଧ୍ୟ କିଛି କରିବନି ବୋଲି ସେ ପ୍ରକାଶ କରିଛନ୍ତି ।

Also Read :- Middle East War: ବିଶ୍ୱରେ ଠପ୍ ହୋଇପାରେ ଇଣ୍ଟରନେଟ୍, ହୋର୍ମୁଜରେ ବିଛା ଯାଇଥିବା କେବଲ ନଷ୍ଟ ହେବା ଆଶଙ୍କା

ଦେଶବାସୀଙ୍କୁ ସମ୍ବୋଧନ

ଭାରତୀୟ ସମୟାନୁସାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏପ୍ରିଲ ୨ ତାରିଖ ସକାଳେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ସେ ଏଥିରେ ଇରାନ ସହ ଚାଲିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ଘୋଷଣା କରିପାରନ୍ତି । ଏନେଇ ଟ୍ରମ୍ପ୍ ବହୁ ଆଗରୁ ସଙ୍କେତ ଦେଇ ସାରିଛନ୍ତି ।