ୱାଶିଂଟନ: ଆମେରିକା ଗୋଇନ୍ଦା ବିଭାଗର ଆକଳନ ଅନୁଯାୟୀ, ଗତ ଅପ୍ରେଲ ମାସରୁ ଆରମ୍ଭ ହୋଇଥିବା ୬ ସପ୍ତାହର ଅସ୍ତ୍ରବିରତି (Ceasefire) ର ସୁଯୋଗ ନେଇ ଇରାନ ପୁଣି ଥରେ ନିଜର ଡ୍ରୋନ୍ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଆମେରିକା ଓ ଇସ୍ରାଏଲର ଏୟାର୍ ଷ୍ଟ୍ରାଇକ୍ ଯୋଗୁଁ ଇରାନର ସାମରିକ ଭିତ୍ତିଭୂମି ବହୁ ପରିମାଣରେ ନଷ୍ଟ ହୋଇଯାଇଥିବା ଦାବି କରାଯାଉଥିଲେ ମଧ୍ୟ, ତେହେରାନ ବହୁତ ଦ୍ରୁତ ଗତିରେ ନିଜର ସାମରିକ ଶକ୍ତିର ପୁନର୍ଗଠନ କରୁଥିବା ଜଣାପଡ଼ିଛି। ଗୋଇନ୍ଦା ରିପୋର୍ଟ ଅନୁଯାୟୀ, ଇରାନ ନିଜର ମିସାଇଲ୍ ଲଞ୍ଚ ସାଇଟ୍, ଲଞ୍ଚର ଏବଂ ଅସ୍ତ୍ରଶସ୍ତ୍ର ନିର୍ମାଣ କାରଖାନାଗୁଡ଼ିକୁ ସଜାଡ଼ିବାରେ ଲାଗିଛି।

ଡ୍ରୋନ୍ ଯୁଦ୍ଧ ଓ ଚୀନ-ଋଷର ସହାୟତା

ଜଣେ ଆମେରିକୀୟ ଅଧିକାରୀଙ୍କ ସୂଚନା ମୁତାବକ, ଇରାନ ଆଗାମୀ ୬ ମାସ ମଧ୍ୟରେ ନିଜର ଡ୍ରୋନ୍ ଆକ୍ରମଣ କ୍ଷମତାକୁ ସମ୍ପୂର୍ଣ୍ଣ ଭାବେ ପୂର୍ବ ସ୍ଥିତିକୁ ଫେରାଇ ଆଣିପାରେ। ଯଦି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଯୁଦ୍ଧ ଆରମ୍ଭ କରନ୍ତି, ତେବେ ଇରାନ ଏହି ଡ୍ରୋନ୍ ଗୁଡ଼ିକ ଉପରେ ଅଧିକ ନିର୍ଭର କରିବ। ରିପୋର୍ଟ ଅନୁଯାୟୀ, ଇରାନର ଏହି ଦ୍ରୁତ ପୁନର୍ଗଠନ ପଛରେ ଋଷ ଏବଂ ଚୀନର ସହାୟତା ରହିଛି। ଚୀନ ଯୁଦ୍ଧ ସମୟରେ ମଧ୍ୟ ଇରାନକୁ ମିସାଇଲ୍ ତିଆରିର କିଛି ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଯୋଗାଉଥିବା ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଅଭିଯୋଗ କରିଛନ୍ତି, ଯଦିଓ ଚୀନ ଏହାକୁ ଅସ୍ୱୀକାର କରିଛି।

ଇରାନର ସାମରିକ ସ୍ଥିତି

ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଇରାନର ପ୍ରାୟ ଦୁଇ-ତୃତୀୟାଂଶ ମିସାଇଲ୍ ଲଞ୍ଚର ସୁରକ୍ଷିତ ଏବଂ କାର୍ଯ୍ୟକ୍ଷମ ରହିଛି। ଅସ୍ତ୍ରବିରତି ଯୋଗୁଁ ଇରାନକୁ ମାଟିତଳେ ପୋତି ହୋଇଯାଇଥିବା ଲଞ୍ଚରଗୁଡ଼ିକୁ ବାହାର କରିବାକୁ ସମୟ ମିଳିଗଲା। ଏହା ସହିତ ଇରାନର ପ୍ରାୟ ୫୦ ପ୍ରତିଶତ ଡ୍ରୋନ୍ କ୍ଷମତା ଏବେ ବି ସୁରକ୍ଷିତ ଅଛି ଏବଂ ହଜାର ହଜାର ଡ୍ରୋନ୍ ଆକ୍ରମଣ ପାଇଁ ପ୍ରସ୍ତୁତ ରହିଛି। ହୋର୍ମୁଜ ଜଳଡମରୁମଧ୍ୟର ସାମୁଦ୍ରିକ ମାର୍ଗକୁ ବିପଦରେ ପକାଇବା ପାଇଁ ଇରାନର ଉପକୂଳ ପ୍ରତିରକ୍ଷା କ୍ରୁଜ୍ ମିସାଇଲ୍ ଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି, କାରଣ ଆମେରିକା ସେଗୁଡ଼ିକୁ ଟାର୍ଗେଟ୍ କରିନଥିଲା।

ଦାବି ଓ ବାସ୍ତବତା ମଧ୍ୟରେ ଫରକ

ନିକଟରେ ଆମେରିକା ସେଣ୍ଟ୍ରାଲ୍ କମାଣ୍ଡ (CENTCOM) ର କମାଣ୍ଡର ଆଡମିରାଲ୍ ବ୍ରାଡ୍ କୁପର ସଂସଦରେ ବୟାନ ଦେଇଥିଲେ ଯେ ‘ଅପରେସନ ଏପିକ୍ ଫ୍ୟୁରୀ’ (Operation Epic Fury) ଦ୍ୱାରା ଇରାନର ୯୦ ପ୍ରତିଶତ ପ୍ରତିରକ୍ଷା ଶିଳ୍ପ ଭିତ୍ତିଭୂମି ଧ୍ୱଂସ କରିଦିଆଯାଇଛି, ଯାହାକୁ ସଜାଡ଼ିବାକୁ ବର୍ଷ ବର୍ଷ ସମୟ ଲାଗିବ। ମାତ୍ର ସିଏନଏନର ରିପୋର୍ଟ ଅନୁଯାୟୀ, ଗୋଇନ୍ଦା ଆକଳନ କୁପରଙ୍କ ଦାବିକୁ ଭୁଲ୍ ପ୍ରମାଣିତ କରୁଛି। ଇରାନର ଅଧାରୁ ଅଧିକ ପ୍ରତିରକ୍ଷା ଶିଳ୍ପ ଏବେ ବି କାର୍ଯ୍ୟକ୍ଷମ ଅଛି ଏବଂ ତା’ର ସାମରିକ ଶକ୍ତି ଫେରି ପାଇବାକୁ ବର୍ଷ ବର୍ଷ ନୁହେଁ, ବରଂ ମାତ୍ର କିଛି ମାସ ଲାଗିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି।