Iran ready to surrender enriched uranium: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷକୁ ସମାପ୍ତ କରିବା ପାଇଁ ଆମେରିକା ସହିତ ଚାଲିଥିବା ଏକ ବ୍ୟାପକ ଶାନ୍ତି ଚୁକ୍ତିର ଅଂଶବିଶେଷ ସ୍ୱରୂପ ଇରାନ ନିଜର ଅତ୍ୟଧିକ ସମୃଦ୍ଧ ୟୁରାନିୟମ (highly enriched uranium) ଗଚ୍ଛିତ ସମ୍ପଦକୁ ଆମେରିକାକୁ ହସ୍ତାନତ କରିବାକୁ ରାଜି ହୋଇଛି। ଏନେଇ ଦୁଇ ଆମେରିକୀୟ ଅଧିକାରୀ ଆମେରିକା ଗଣମାଧ୍ୟମ 'ଦି ନ୍ୟୁୟର୍କ ଟାଇମ୍ସ'କୁ ଏହି ସୂଚନା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁ୍କ୍ତି ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୂଚନା ଦେବା ପରେ ଏହି ଖବର ସାମ୍ନାକୁ ଆସିଛି।

କିଛି ଘଣ୍ଟା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହ ଶତ୍ରୁତା ଶେଷ କରିବା ଏବଂ 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍' (Strait of Hormuz) କୁ ପୁନର୍ବାର ଖୋଲିବା ନେଇ ୱାଶିଂଟନ୍ ଏବଂ ତେହେରାନ ଚୁକ୍ତି କରିପାରନ୍ତି ବୋଲି ସୂଚନା ଦେଇଥିଲେ। ତେବେ ଟ୍ରମ୍ପ ପ୍ରସ୍ତାବିତ ଚୁକ୍ତିର ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ କରି ନଥିବା ବେଳେ, ଆମେରିକୀୟ ଅଧିକାରୀମାନେ ଉକ୍ତ ସମ୍ବାଦପତ୍ରକୁ ଏହି ସୂଚନା ଦେଇଛନ୍ତି। ତେବେ ଇରାନ ସତରେ ୟୁରାନିୟମ ହସ୍ତାନତର କରିବ କି ନାହିଁ ସେ ନେଇ ଇରାନ ପକ୍ଷରୁ କୌଣସି ସୂଚନା ମିଳିପାରି ନାହିଁ।
ଆଗାମୀ ଯୋଜନା ଓ ଆଲୋଚନା

ରିପୋର୍ଟ ଅନୁଯାୟୀ, ଆଗାମୀ ୩୦ ରୁ ୬୦ ଦିନ ମଧ୍ୟରେ ଇରାନର ଏହି ଅତ୍ୟଧିକ ସମୃଦ୍ଧ ୟୁରାନିୟମର ହସ୍ତାନ୍ତର ପାଇଁ ଯୋଜନା ପ୍ରସ୍ତୁତ କରାଯିବ। ତେବେ ଅଧିକାରୀମାନେ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏହି ବୁଝାମଣା କେବଳ ବ୍ୟାପକ ସ୍ତରରେ ଅଛି ଏବଂ ଏହି ୟୁରାନିୟମକୁ କିଭଳି ନଷ୍ଟ କରାଯିବ, ତାର ପ୍ରକୃତ ପ୍ରକ୍ରିୟା ଉପରେ ଆଲୋଚନା ହେବା ବାକି ଅଛି। ଥରେ ବ୍ୟାପକ ଶାନ୍ତି ଚୁକ୍ତି ଆନୁଷ୍ଠାନିକ ଭାବେ ସ୍ୱାକ୍ଷରିତ ହୋଇଗଲେ, ଇରାନ କିଭଳି ଏହି ସାମଗ୍ରୀକୁ ସ୍ଥାନାନ୍ତର କରିବ, କିମ୍ବା ନିଷ୍କ୍ରିୟ କରିବ, ସେ ନେଇ ପରବର୍ତ୍ତୀ ପରମାଣୁ ଆଲୋଚନାରେ ବିସ୍ତୃତ ଭାବେ ସମୀକ୍ଷା କରାଯିବ ବୋଲି ଅଧିକାରୀମାନେ କହିଥିଲେ ନ୍ୟୁୟର୍କ ଟାଇମ୍ସ ଖବର ପ୍ରକାଶ କରିଛି।

ଆନ୍ତର୍ଜାତୀୟ ପରମାଣୁ ଶକ୍ତି ସଂସ୍ଥା (IAEA) ଅନୁଯାୟୀ, ବର୍ତ୍ତମାନ ଇରାନ ପାଖରେ ପ୍ରାୟ ୪୦୦ କିଲୋଗ୍ରାମ ୟୁରାନିୟମ ଅଛି ଯାହା ୬୦ ପ୍ରତିଶତ ଶୁଦ୍ଧତା ସହ ସମୃଦ୍ଧ, ଯାହା ପରମାଣୁ ଅସ୍ତ୍ର ତିଆରି ସ୍ତରର ବହୁତ ନିକଟତର। ଇସ୍ରାଏଲର ଅଧିକାରୀମାନେ ବାରମ୍ବାର ଯୁକ୍ତି ବାଢ଼ିଛନ୍ତି ଯେ ଏହି ଗଚ୍ଛିତ ସମ୍ପଦକୁ ଆହୁରି ସମୃଦ୍ଧ କରି ଏକାଧିକ ପରମାଣୁ ବୋମା ତିଆରି କରାଯାଇପାରିବ। ସେଥିପାଇଁ ଏହି ପ୍ରସଙ୍ଗଟି ଆଲୋଚନାର ସବୁଠାରୁ ବଡ଼ ପ୍ରତିବନ୍ଧକ ସାଜିଥିଲା।

ଇରାନର ଆଲୋଚନାକାରୀମାନେ ପ୍ରଥମେ ଚାହୁଁଥିଲେ ଯେ ୟୁରାନିୟମ ଗଚ୍ଛିତ ସମ୍ପଦ ଉପରେ କୌଣସି ବି ପ୍ରତିଶ୍ରୁତିକୁ ଆଲୋଚନାର ପରବର୍ତ୍ତୀ ପର୍ଯ୍ୟାୟ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଉ। କିନ୍ତୁ ଆମେରିକୀୟ ଅଧିକାରୀମାନଙ୍କ କହିବା ଅନୁସାରେ, ୱାଶିଂଟନ୍ ଜିଦ୍ ଧରିଥିଲା ଯେ ପ୍ରାରମ୍ଭିକ ଚୁକ୍ତିନାମାରେ ଇରାନକୁ ଅତିକମରେ ଏକ ପ୍ରାଥମିକ ପ୍ରତିଶ୍ରୁତି ଦେବାକୁ ପଡ଼ିବ। ଆମେରିକା ଚେତାବନୀ ଦେଇଥିଲା ଯେ ଏପରି ନକଲେ ଆଲୋଚନା ଭାଙ୍ଗିଯିବ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ପୁଣି ଆରମ୍ଭ ହେବ।

ଆମେରିକାର ସାମରିକ ବିକଳ୍ପ ଓ ଯୋଜନା

'ଦି ନ୍ୟୁୟର୍କ ଟାଇମ୍ସ' ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ନିକଟ ଅତୀତରେ ଆମେରିକାର ସାମରିକ ଯୋଜନାକାରୀମାନେ ଇରାନର ୟୁରାନିୟମ ଗଚ୍ଛିତ ଭଣ୍ଡାରକୁ ଟାର୍ଗେଟ୍ କରିବା ପାଇଁ ଅନେକ ବିକଳ୍ପ ପ୍ରସ୍ତୁତ କରିଥିଲେ। ଏହି ଭଣ୍ଡାରର ଅଧିକାଂଶ ଭାଗ ଇସଫାହାନ (Isfahan) ପରମାଣୁ କେନ୍ଦ୍ରର ଭୂତଳ ଭାଗରେ ଗଚ୍ଛିତ ଥିବା ବିଶ୍ୱାସ କରାଯାଏ। ଗତବର୍ଷ ଆମେରିକାର ଟୋମାହକ୍ (Tomahawk) ମିସାଇଲ ମାଧ୍ୟମରେ ଏହି ସ୍ଥାନ ଉପରେ ଆକ୍ରମଣ କରାଯାଇଥିଲା।

ଆଲୋଚନା ହୋଇଥିବା ବିକଳ୍ପଗୁଡ଼ିକ ମଧ୍ୟରେ ଭୂତଳ ଭଣ୍ଡାରକୁ ନଷ୍ଟ କରିବା ପାଇଁ 'ବଙ୍କର-ବଷ୍ଟିଂ' (bunker-busting) ବୋମାର ବ୍ୟବହାର ମଧ୍ୟ ସାମିଲ ଥିଲା। ଏପରିକି ଗୋଟିଏ ସମୟରେ ଟ୍ରମ୍ପ ଏହି ୟୁରାନିୟମ ଭଣ୍ଡାରକୁ ଜବତ କରିବା ପାଇଁ ଏକ ମିଳିତ ଆମେରିକା-ଇସ୍ରାଏଲ କମାଣ୍ଡୋ ଅପରେସନକୁ ଅନୁମୋଦନ କରିବାକୁ ବିଚାର କରୁଥିଲେ, କାରଣ ପୂର୍ବ ଆକ୍ରମଣ ପରେ ଇରାନ ପୁଣିଥରେ ସେହି ସାମଗ୍ରୀ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲା। କିନ୍ତୁ ଅଧିକ ବିପଦ ଥିବା ଯୋଗୁଁ ଶେଷରେ ଏହି ଅପରେସନକୁ ଅନୁମତି ମିଳି ନଥିଲା।